ଦୃଷ୍ଟି ଶକ୍ତି ଦୁର୍ବଳ ଥିଲେ ଟେଷ୍ଟ୍‌ କ୍ରିକେଟ୍‌ରେ ତିଷ୍ଠି ପାରିବନି: ଦ୍ରାବିଡ଼

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ କହିଛନ୍ତି ଯେ ଜଣେ ଖେଳାଳିର ଦୃ‌ଷ୍ଟି ଶକ୍ତିରେ ଦୁର୍ବଳତା ତଥା‌ କମ୍‌ ଥିଲେ କ୍ରିକେଟ୍‌ର ଦୀର୍ଘତମ ଫର୍ମାଟ୍‌ ଟେଷ୍ଟ୍‌ରେ ତିଷ୍ଠିବା ସମ୍ଭବ ହେବନାହିଁ। କିନ୍ତୁ ସୀମିତ ଓଭର ଫର୍ମାଟ୍‌ରେ ଏହା ସେତେଟା ପ୍ରଭାବ ପକାଇ ପାରିବନାହିଁ। ଟ୍ବେଣ୍ଟି-୨୦ରେ ୱେଷ୍ଟ୍‌ଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍‌ ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ଦେଖ। ସେ ଏହି ଫର୍ମାଟ୍‌ରେ ଛକା ମାରିବାରେ ମାହିର। କିନ୍ତୁ ଟେଷ୍ଟ୍‌ରେ ଏପରି କରିବା ସହଜ ନୁହେଁ। ଏଥିପାଇଁ କୌଶଳ ଓ ସାମର୍ଥ୍ୟ ଆବଶ୍ୟକ ବୋଲି ଦ୍ରାବିଡ଼ ବିଡିଓକାଷ୍ଟ୍‌ରେ ସଂଜୟ ମଞ୍ଜରେକରଙ୍କ ସହ କଥା ହେଲା ବେଳେ କହିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌କୁ ତୁଳନା କଲେ ଦେଖିବ ଟ୍ବେଣ୍ଟି-୨୦ କ୍ରିକେଟ୍‌ ଏହାଠୁ କେତେ ଅଲଗା। ଯଦି ତୁମର ଦୃଷ୍ଟି ଶକ୍ତି ଦୁର୍ବଳ ତେବେ ‌ତୁମେ ଟେଷ୍ଟ୍‌ କ୍ରିକେଟ୍‌ରେ ତିଷ୍ଠି ପାରିବନି। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଗୁଣ ହେଉଛି, ଧୁଆଁଧାର ବ୍ୟାଟିଂ। ତାହା ତୁ‌ମେ କରିପାରିବ। କିନ୍ତୁ ଟେଷ୍ଟ୍‌ରେ ଏହା ହେବନି ବୋଲି ଦ୍ରାବିଡ଼ କହିଛନ୍ତି।

ଟେଷ୍ଟ୍‌ କ୍ରିକେଟ୍‌ ହେଉଛି ସବୁ ଫର୍ମାଟ୍‌ରୁ ପୂରା ଅଲଗା। ଏଠାରେ ଖେଳାଳିଙ୍କ ପାଇଁ ବଡ଼ ଆହ୍ବାନ ଥାଏ ବୋଲି ଦ୍ରାବିଡ଼ କହିଛନ୍ତି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଆରମ୍ଭରୁ ସ୍କୋର୍‌ କରିବାର ଆବଶ୍ୟକତା ଥାଏ। ଯଦିଓ ସବୁ ଫର୍ମାଟ୍‌ର ଚାପ କଥା କହିବା ତାହାଲେ ଗୋଟିଏ ଟେଷ୍ଟ୍‌ ୫ ଦିନ ପର୍ଯ୍ୟନ୍ତ ଖେଳାଗଲେ ମଧ୍ୟ ଏଥିରେ ଚାପ ରହିଥିବା ନେଇ ମୁଁ ଭାବେନି। ଦିନିକିଆ ମ୍ୟାଚ୍‌ରେ ଗୋଟିଏ ଦିନ ଖରାପ ହେଲେ ତାହା ଗଲା। କିନ୍ତୁ ଟେଷ୍ଟ୍‌ରେ ଯଦି ତୁମେ ଆଉଟ୍‌ ହେ‌ଲ,‌ ତେବେ ତୁମ ଦଳ ଓ ବିପକ୍ଷ ଦଳର ବ୍ୟାଟିଂ ଦେଖିପାରିବ। ଚିନ୍ତା କରିବାକୁ‌ ଟେଷ୍ଟ୍‌ କ୍ରିକେଟ୍‌ରେ ଅଧିକ ସମୟ ମିଳିଥାଏ। ‌ମୋ ମତରେ ଟେଷ୍ଟ୍‌ କ୍ରିକେଟ୍‌ ଅନ୍ୟ ସମସ୍ତ ଫର୍ମାଟ୍‌ଠୁ ‌ଅଧିକ ପ୍ରଶସ୍ତ ବୋଲି ଦ୍ରାବିଡ଼ କହିଛନ୍ତି।

ଦ୍ରାବିଡ଼ ୧୯୯୬ରେ ପଦାର୍ପଣ କରିଥିଲେ। ପଦାର୍ପଣଠୁ ସେ ଲଗାତାର ୯୪ ‌ଟେଷ୍ଟ୍‌ ଖେଳିବାର କୀର୍ତ୍ତିମାନ କରିଥିଲେ। ଏହି କୀର୍ତ୍ତିମାନକୁ ଅଷ୍ଟ୍ରେଲିଆର ଆଦାମ ଗିଲକ୍ରିଷ୍ଟ ଭାଙ୍ଗିଥିଲେ। ଦ୍ରାବିଡ୍‌ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ତୃତୀୟ ସ୍ଥାନରେ ବ୍ୟାଟିଂ କରି ୧୦,୦୦୦ରୁ ଅଧିକ ରନ୍‌ କରିଥିଲେ। ସେ ଭାରତ ପକ୍ଷରୁ ୧୬୪ ଟେଷ୍ଟ୍‌, ୩୪୪ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ସେ ୪୮ ‌ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ତାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଇଂଲଣ୍ଡରେ ଟେଷ୍ଟ୍‌ ଶୃଙ୍ଖଳା ଜିତିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର