ଟେଷ୍ଟ କ୍ରିକେଟ୍‌ରେ ଫ୍ରି ହିଟ୍, ଟାଇମର ଏମ୍‌ସିସି ସମିତି ସୁପାରିସ

ଲଣ୍ଡନ: ଦିନିକିଆ ଓ ଟ୍ବେଣ୍ଟି-୨୦ ଭଳି ଟେଷ୍ଟ୍‌ କ୍ରିକେଟ୍‌ରେ ‘ନୋ’ ବଲ୍ ପକାଇବା ଏଣିକି ବୋଲରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବ। ସେହିଭଳି ମନ୍ଥର ବୋଲିଂ ମଧ୍ୟ ସେମାନଙ୍କୁ ଅଡ଼ୁଆରେ ପକାଇବ। କାରଣ ଟେଷ୍ଟ୍‌ କ୍ରିକେଟକୁ ଅଧିକ ରୋମାଞ୍ଚକର ଏବଂ ଦର୍ଶକ ସୁଲଭ କରିବା ଲାଗି ଏମ୍‌ସିସି (ମେରିଲବର୍ନ କ୍ରିକେଟ୍ କ୍ଲବ୍‌) ବିଶ୍ବ ସମିତି ଏଥିରେ ଫ୍ରି-ହିଟ୍ ଓ କ୍ଲକ୍ ଟାଇମର ବ୍ୟବହାର ପାଇଁ ସୁପାରିସ କରିଛି। ବେଙ୍ଗାଲୁରୁଠାରେ ଚଳିତ ମାସ ୮ ଓ ୯ ତାରିଖ ଦୁଇ ଦିନ ଧରି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ସମିତି ମଧ୍ୟ ଆସନ୍ତା ବିଶ୍ବ ଟେଷ୍ଟ୍‌ ପ୍ରତିଯୋଗିତାରେ ଏକପ୍ରକାର ଲାଲ ବଲ୍ ବ୍ୟବହାର କରିବାକୁ ସୁପାରିସ କରିଛି। ସମିତିର ଏହି ତିନିଟି ସୁପାରିସ ଲାଗୁ କରା‌ଯିବ କି ନାହିଁ ସେ ନିଷ୍ପତ୍ତି କିନ୍ତୁ ଆଇସିସି ନେବ। ଆଇସିସି ଗ୍ରହଣ କରିବା ପରେ ଯାଇ ଟେଷ୍ଟ କ୍ରିକେଟ୍‌ରେ ଏହାକୁ ଆନୁଷ୍ଠାନିକ ଭାବେ ଲାଗୁ କରାଯିବ। ବୈଠକରେ ସମିତି ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ୍‌ର ସାମିଲକୁ ସବୁଜ ସଂଙ୍କେତ ଦେବା ସହ ମନ୍ଥର ବୋଲିଂ ସମସ୍ୟା ନେଇ ମଧ୍ୟ ଏଥିରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। କାରଣ ନିକଟରେ କରାଯାଇଥିବା ଏକ ଗଣନାରୁ ଦଳଗୁଡ଼ିକ ଗୋଟିଏ ଦିନରେ ନିର୍ଧାରିତ ୯୦ ଓଭର ବୋଲିଂ ନ କରି ପାରିବା ଟେଷ୍ଟ୍‌ କ୍ରିକେଟର ଦର୍ଶକ ସଂଖ୍ୟା କମିବାର ଅନ୍ୟତମ କାରଣ ବୋଲି ଜଣାପଡ଼ିଥିଲା। ଆଇସିସି କରିଥିବା ଏହି ଗଣନା ଅନୁଯାୟୀ ୨୦୧୮ରେ ଖେଳା ଯାଇଥିବା ଟେଷ୍ଟ୍‌ ମ୍ୟାଚ୍‌ଗୁଡ଼ିକରେ ଘଣ୍ଟା ପିଛା ମାତ୍ର ୧୩.୭୭ ଓଭର ବୋଲିଂ ହୋଇଥିଲା। ଯାହା ଗତ ୭ ବର୍ଷ ମଧ୍ୟରେ ସବୁଠାରୁ କମ୍। ଏହି ଗଣନାରୁ ଘଣ୍ଟା ପିଛା ଓଭର ହାର କମିବାର ମୁଖ୍ୟ କାରଣ ଡିଆର୍‌ଏସ୍ ବୋଲି ଜଣାପଡ଼ିଥିଲା। ହେଲେ ବିଶ୍ବ ସମିତି ଖେଳାଳିମାନେ ଏଥିଲାଗି ଅଧିକ ଦାୟିତ୍ବବାନ ହେବାକୁ ଆହ୍ବାନ କରିଛି। ସେଥିପାଇଁ ସ୍କୋର ବୋର୍ଡରେ କ୍ଲକ୍ ଟଇମର ଲଗାଇବାକୁ ସୁପାରିସ୍ କରଛି। ଏଥିରେ ଟାଇମର ଉପରୁ ତଳକୁ ୪୫ ସେକେଣ୍ଡରେ କାଉଣ୍ଟ କରିବ। ନୁଆ ବ୍ୟାଟ୍ସମ୍ୟାନ୍ ଆସୁଥିଲେ ଏହାକୁ ୬୦ ସେକେଣ୍ଡ ଏବଂ ବୋଲର ବଦଳିଲେ ୮୦ ସେକେଣ୍ଡ କରାଯିବ। ଟାଇମର ଶୂନରେ ପହଞ୍ଚିଲା ବେଳକୁ ଯଦି କୌଣସି ଦଳ ଖେଳିବା ପାଇଁ ପ୍ରସ୍ତୁତ ହୋଇ ନଥାଏ, ତାହାଲେ ତାକୁ ଚେତାବନୀ ଦିଆଯିବ। ସେହି ପାଳିରେ ଆଉ ଥରେ ଏଭଳି କଲେ ୫ ରନ୍‌ରେ ଦଣ୍ଡିତ ହେବ। ୱିକେଟ୍ ପତନ ବେଳେ ମଧ୍ୟ ଡେସିଂ ରୁମ୍‌ର ଦୂରତା ଦେଖି ସମୟ ପ୍ରଦାନ କରାଯିବ। ମୃଦୁ ପାନୀୟ ବିରତି ବେଳେ ଖେଳାଳିମା‌ନେ ଟାଇମର ଶୂନରେ ପହଞ୍ଚିଲା ବେଳକୁ ଖେଳିବା ପାଇଁ ପ୍ରସ୍ତୁତ ହୋଇଯିବା ଦରକାର। ଏମସିସି ସମିତିର ପରବର୍ତୀ ବୈଠକ ଅଗଷ୍ଟ ୧୧ ଓ ୧୨ରେ ଲଣ୍ଡନରେ ବସିବ। ଟେଷ୍ଟ୍‌ କ୍ରିକେଟ୍‌କୁ ଅଧିକ ମନୋରଞ୍ଜନ ଭରା କରିବାକୁ ସେତେବେଳେ ସମିତି ଆଉ କିଛି ନିଆରା ସୁପାରିସ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର