ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟ୍ ହେଉଛି ଏହି ଖେଳର ସର୍ବୋଚ୍ଚ ଫର୍ମାଟ୍। କିନ୍ତୁ କ୍ରିକେଟ୍ ଖେଳୁଥିବା ଅଧିକାଂଶ ପ୍ରମୁଖ ରାଷ୍ଟ୍ର ଏବେ ଏହି ଫର୍ମାଟ୍ ପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ହେଉଛି। ଫଳରେ ଟେଷ୍ଟ୍ କ୍ରିକେଟ୍ର ଭବିଷ୍ୟତକୁ ନେଇ ଅନେକ ସମୟରେ ସନ୍ଦିହାନ ରହୁଛନ୍ତି କିଂବଦନ୍ତିମାନେ। ଏଭଳି ଏକ ଅଭିଯୋଗ କିନ୍ତୁ ଶନିବାର ପଦାକୁ ଆସିଛି। ଟେଷ୍ଟ୍ କ୍ରିକେଟ୍ ପ୍ରତି ପ୍ରମୁଖ ଦେଶଗୁଡ଼ିକ ଅଣଦେଖା ନୀତି ଆପଣାଉଛନ୍ତି ବୋଲି ଖୋଲାଖୋଲି ମତ ଦେଇଛନ୍ତି କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକ୍ଲେ। ଟେଷ୍ଟ୍ କ୍ରିକେଟ୍କୁ ବଞ୍ଚାଇବା ପାଇଁ ହୋଇଥିବା ଏକ ଅନୁଧ୍ୟାନର ରିପୋର୍ଟ ଆଇସିସିକୁ ପ୍ରଦାନ କରାଯାଇଥିଲା। ଭାରତ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଏଥି ପ୍ରତି ଉଚିତ ଧ୍ୟାନ ଦେଇ ନଥିବା ହକ୍ଲେ ଦାବି କରିଛନ୍ତି। କ୍ରିକେଟ୍ ଅଷ୍ଟ୍ରେଲିଆ କିନ୍ତୁ ସମସ୍ତ ୩ ଫର୍ମାଟ୍ ପ୍ରତି ପ୍ରତିଶ୍ରୁତିବଦ୍ଧ ବୋଲି ହକ୍ଲେ ପ୍ରକାଶ କରିଛନ୍ତି।
ସିଡନି ମର୍ଣ୍ଣିଂ ହେରାଲ୍ଡରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, କ୍ରିକେଟ୍ ଦୁନିଆର ୩ ପ୍ରମୁଖ ଦେଶ ତଥା ବିଗ୍ ଥ୍ରୀ’ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଟେଷ୍ଟ୍ କ୍ରିକେଟ୍କୁ ସେତେଟା ଗୁରୁତ୍ବ ଦେଉନାହାନ୍ତି। ନ୍ୟୁଜିଲାଣ୍ଡ୍ କ୍ରିକେଟ୍ ଅଧ୍ୟକ୍ଷ ମାର୍ଟିନ୍ ସ୍ନିଡେନ୍ ଟେଷ୍ଟ୍ କ୍ରିକେଟ୍ର ଏଫ୍ଟିପି (ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍)କୁ ନେଇ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଗୁରୁତ୍ବ ଦିଆଯାଇନାହିଁ। ହକ୍ଲେ କହିଛନ୍ତି ‘ବିଶ୍ବ ଟେଷ୍ଟ୍ ପ୍ରତିଯୋଗିତା ପଏଣ୍ଟ୍ ବ୍ୟବସ୍ଥା, ୪୦ ଓଭରିଆ ଦିନିକିଆ, ଟ୍ବେଣ୍ଟି-୨୦ କ୍ରିକେଟ୍ ସମ୍ପର୍କିତ ବିପଦ ଏବଂ ଦ୍ବିପାକ୍ଷିକ ଶୃଙ୍ଖଳାର ପ୍ରସାରଣ ଅଧିକାର ରାଜସ୍ବ ଆଦିରେ ପରିବର୍ତ୍ତନ ଆବଶ୍ୟକ।’ ଟେଷ୍ଟ୍ କ୍ରିକେଟ୍ ଆମର ସବୁଠାରୁ ମୂଲ୍ୟବାନ ସମ୍ପତି ବୋଲି ହକ୍ଲେ କହିଛନ୍ତି।