ମୋ ଜୀବଦଶାରେ ଟେଷ୍ଟ୍ କ୍ରିକେଟ୍ ମରିବନି, କିନ୍ତୁ ଖେଳିବ କିଏ?

ସିଡନି: ଅଷ୍ଟ୍ରେଲିଆର ମହାନ ଖେଳାଳି ଇଆନ ଚାପେଲ ଶନିବାର ଏକ ଚାଞ୍ଚଲ୍ୟକର ମତ ପ୍ରକାଶ କରିଛନ୍ତି। ଏହି କିଂବଦନ୍ତି ଅଲରାଉଣ୍ଡର୍‌ କହିଛନ୍ତି ମୋ ଜୀବଦଶା ମଧ୍ୟରେ ଟେଷ୍ଟ୍ କ୍ରିକେଟ୍‌ କେବେ ମରିଯିବ ନାହିଁ ଏହା ମୁଁ ଦୃଢ଼ ନିଶ୍ଚିତ। କିନ୍ତୁ ପ୍ରଶ୍ନ ଉଠୁଛି ଏଥିରେ ଶ୍ରେଷ୍ଠ ଖେଳାଳିମାନେ ‌ଖେଳିବେ କି ନା। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ବିଶ୍ବବ୍ୟାପୀ କାୟା ବିସ୍ତାର କାରଣରୁ ଏଭଳି ଆଶଙ୍କା ଦେଖାଦେଇଛି। ଟେଷ୍ଟ୍‌ କ୍ରିକେଟ୍ ଖେଳାଯିବା ଏହି‌ ଖେଳ ପାଇଁ ଭଲ, କିନ୍ତୁ ଏହା ଭଲରେ ଖେଳାଯିବା ଉଚିତ୍। ‘ତୁମେ ଯଦି ଶ୍ରେଷ୍ଠ ଖେଳାଳିଙ୍କୁ ପାଉନାହଁ,‌ ତେବେ ଟେଷ୍ଟ୍ କ୍ରିକେଟ୍‌ ଦେଖିବା ଯୋଗ୍ୟ ବି ହେବ ନାହିଁ। ଟ୍ବେଣ୍ଟି-୨୦ କ୍ରିକେଟ୍‌ର ଦ୍ରୁତ ସମ୍ପ୍ରସାରଣ ତଥା ବିସ୍ତାର ଏବେ ଅନ୍ତର୍ଜାତୀୟ କ୍ରିକେଟ ପାଇଁ ଖେଳାଳିଙ୍କୁ ବଜାୟ ରଖିବା ଏକ ଆହ୍ବାନ ଆଣିଛି। ଭବିଷ୍ୟତରେ ଟେଷ୍ଟ୍ କ୍ରିକେଟ୍ ପାଇଁ ଏହା କ୍ଷତି ପହଞ୍ଚାଇବ’ ବୋଲି ଚାପେଲ୍ ପ୍ରକାଶ କରିଛନ୍ତି। କ୍ରିସ୍ ଲିନ୍‌ଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ‘ଆପତ୍ତିବିହୀନ ପ୍ରମାଣପତ୍ର’ ପ୍ରଦାନ ନ କରିବାକୁ ନେଇ ଉଠିଥିବା ବିବାଦ ପରିପ୍ରେକ୍ଷୀରେ ଚାପେଲ୍ ଏଭଳି ମତ ରଖିଛନ୍ତି। ୟୁଏଇ ଟ୍ବେଣ୍ଟି-୨୦ରେ ଖେଳିବାକୁ କ୍ରିସ୍ ଲିନ୍ କ୍ରିକେଟ୍‌ ଅଷ୍ଟ୍ରେଲିଆକୁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହା ମିଳିନାହିଁ। ୟୁଏଇ ଲିଗ୍ ପାଇଁ ସେ ଜଣେ ପ୍ରମୁଖ ଖେଳାଳି ଭାବେ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ କ୍ରିକେଟ୍ ଅଷ୍ଟ୍ରେଲିଆ ବାଟ ଛାଡୁନି। ଲିନ୍‌ଙ୍କୁ ସମର୍ଥନ କରି ଚାପେଲ୍ କହିଛନ୍ତି ମୁଁ ଯଦି ଲିନ୍‌ଙ୍କ ସ୍ଥାନରେ ଥାଆନ୍ତି ତେବେ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଅଦାଲତକୁ ଟାଣିନିଅନ୍ତି। ବିଶ୍ବ ସିରିଜ୍ କ୍ରିକେଟ୍‌ ବେଳେ ମଧ୍ୟ ଏଭଳି ହୋଇଥିଲା। ଲିନ୍‌ଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ କିମ୍ବା କ୍ରିକେଟ୍‌ କୁଇନ୍ସଲାଣ୍ଡ୍ ଚୁକ୍ତିବଦ୍ଧ କରିନାହାନ୍ତି। ଅଥଚ ତାଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି। ‘ଆପଣ ଜଣଙ୍କୁ ଚୁକ୍ତିବଦ୍ଧ କରୁନାହାନ୍ତି କି ଅନ୍ୟତ୍ର ‌ଖେଳିବାକୁ ଛାଡୁନାହାନ୍ତି’ କାହିଁକି ବୋଲି ଚାପେଲ୍ କହିଛନ୍ତି।

ସମ୍ବନ୍ଧିତ ଖବର