ଆଡିଲେଡ୍: ବର୍ଷା ପ୍ରଭାବିତ ପର୍ଥ ଦିନିକିଆକୁ ୭ ୱିକେଟ୍ରେ ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲାରେ ଗୁରୁବାର ଅଷ୍ଟ୍ରେଲିଆକୁ ଭେଟିବ। ପ୍ରଥମ ଦିନିକିଆକୁ ସହଜରେ ଜିତି ନେଇଥିବା କଙ୍ଗାରୁ ଦଳ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଭ୍ରମଣକାରୀ ଭାରତ ଶୃଙ୍ଖଳାରେ ଜୀବିତ ରହିବା ଆଶାରେ ମଇଦାନକୁ ଓହ୍ଲାଇବ। ପର୍ଥ ଲଢ଼େଇ ଭଳି ଏହି ମ୍ୟାଚ୍ରେ ମଧ୍ୟ ସମସ୍ତଙ୍କ ନଜର ଦୁଇ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ରହିବ। ସେପଟେ ଅଷ୍ଟ୍ରେଲିଆ ପାଇଁ ତା’ର ଦୁଇ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର୍ ମିଚେଲ ଷ୍ଟାର୍କ ଓ ଜୋସ୍ ହାଜେଲଉଡ୍ଙ୍କ ପ୍ରଦର୍ଶନ ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ରହିବ। ପର୍ଥରେ ଉଭୟ ନୂଆ ବଲ୍ରେ ଭାରତୀୟ ବ୍ୟାଟର୍ଙ୍କୁ ନିୟମିତ ପରୀକ୍ଷାରେ ପକାଇଥିଲେ।
ଆଡିଲେଡ୍ରେ ମଧ୍ୟ ଏହି ଦୁଇ ଜଣ ହିଁ ଭାରତ ପାଇଁ ସବୁଠୁ ବଡ଼ ଆହ୍ବାନ ହେବେ। ପ୍ରଥମ ଦିନିକିଆରେ କୋହଲି ଓ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ମାତ୍ର ୨୨ ବଲ୍ରେ ସୀମିତ ରହିଥିଲା। ୭ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରି ରୋହିତ ୧୪ ବଲ୍ ଖେଳି ୮ ରନ୍ରେ ଅଟକି ଯାଇଥିଲା ବେଳେ କୋହଲି ୮ ବଲ୍ ଖେଳି ଖାତା ଖୋଲି ପାରି ନଥିଲେ। ଏଣୁ ଭାରତୀୟ ଦଳ ଭଳି ଏହି ଦୁଇ କିଂବଦନ୍ତି ତାରକା ମଧ୍ୟ ଗୁରୁବାରର ଏହି ମୁକାବିଲାରେ ଢେର୍ ଚାପରେ ରହିବେ। ଅଷ୍ଟ୍ରେଲିଆ ତା’ର ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସ, ଆଲେକ୍ସ କେରି, କ୍ୟାମରନ୍ ଗ୍ରିନ୍, ଆଡାମ ଜାମ୍ପା ଓ ଜୋସ୍ ଇଂଗ୍ଲିସ୍ଙ୍କ ଭଳି ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ପ୍ରଥମ ଦିନିକିଆରେ ଭାରତକୁ ସହଜରେ ହରାଇ ସାରିଛି। ଦୁଇ ପଦାର୍ପଣକାରୀ ମାଥ୍ୟୁ ରେନ୍ସ’ ଓ ମିଚେଲ ଓଏନ୍ଙ୍କ ସହ ଅନଭିଜ୍ଞ ମ୍ୟାଟ୍ କୁନେମନ୍ ଓ ଜୋସ୍ ଫିଲିପ୍ ସଫଳତାର ସହ ଏମାନଙ୍କ ଶୂନ୍ୟସ୍ଥାନ ପୂରଣ କରିନେଇଥିଲେ। ଭାରତ ପକ୍ଷରୁ ପଦାର୍ପଣକାରୀ ନୀତୀଶ କୁମାର ରେଡ୍ଡୀ କିଛି ଆତ୍ମବିଶ୍ବାସଭରା ସଟ୍ ଖେଳିଥିଲା ବେଳେ ବାମହାତୀ ବୋଲର୍ ଅର୍ଶଦୀପ ସିଂହ ପ୍ରଭାବୀ ବୋଲିଂ କରିଥିଲେ। ସେହିଭଳି କେଏଲ୍ ରାହୁଲ ଓ ଅକ୍ଷର ପଟେଲ ଦଳର ସମ୍ମାନ ରଖିଥିଲେ। ଅନ୍ୟମାନେ ପ୍ରାୟତଃ ନିରାଶ କରିଥିଲେ। ଦ୍ବିତୀୟ ଦିନିକିଆରେ ମଧ୍ୟ ଘରୋଇ ଦଳ ଏହି ସଫଳତାକୁ ଦୋହରାଇବ ବୋଲି ପୂର୍ବରୁ ଦୃଢ଼ୋକ୍ତି ପ୍ରକାଶ କରିସାରିଛି। ଭାରତ ପାଇଁ ପର୍ଥ ଭଳି ଆଡିଲେଡ୍ ପିଚ୍ ମଧ୍ୟ ଅଗ୍ନିପରୀକ୍ଷା ସଦୃଶ ହେବ। ଏଠାରେ ବି ଟସ୍ ଗୁରୁତ୍ବପୂର୍ଣ୍ଣ ରହିବ। ନୂଆ ଅଧିନାୟକ ଶୁବମନ୍ ଗିଲ୍ ନିଜ ପ୍ରଥମ ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଥିଲେ। ଗୁରୁବାର ହାରିଲେ ନିଜ ନେତୃତ୍ବର ପ୍ରଥମ ଏକଦିବସୀୟ ଶୃଙ୍ଖଳା ହାରିବାର ଅଲୋଡ଼ା ରେକର୍ଡ କରିବେ।
କ୍ୟାରି ଓ ଜାମ୍ପା ଫେରିବେ
ଆଡିଲେଡ୍ରେ ଅଷ୍ଟ୍ରେଲିଆର ଦୁଇ ନିୟମିତ ଖେଳାଳି ବ୍ୟାଟର୍ ଆଲେକ୍ସ କେରି ଏବଂ ସ୍ପିନର ଆଡାମ ଜାମ୍ପା ଫେରିବେ। ଏମାନେ ଫିଲିପ୍ ଓ କୁନେମନ୍ଙ୍କ ସ୍ଥାନ ନେବେ। ସମ୍ଭାବ୍ୟ ଅଷ୍ଟ୍ରେଲିଆ: ମିଚେଲ ମାର୍ସ (ଅଧିନାୟକ), ଟ୍ରାଭିସ୍ ହେଡ୍, ମାଥ୍ୟୁ ସର୍ଟ, ଆଲେକ୍ସ କେରି (ୱିକେଟ୍ରକ୍ଷକ), ମାଥ୍ୟୁ ରେନ୍ସ’, କୁପର କନୋଲି, ମିଚେଲ ଓଏନ୍, ମିଚେଲ ଷ୍ଟାର୍କ, ନାଥନ ଏଲିଅସ୍, ଜୋସ୍ ହାଜେଲଉଡ୍, ଆଡାମ ଜାମ୍ପା।
ଭାରତର ଅଦଳବଦଳ ସମ୍ଭାବନା କମ୍
ପ୍ରଥମ ଦିନିକିଆରେ ବ୍ୟାଟର୍ ବିଫଳ ହୋଇଥିଲେ ମଧ୍ୟ ଆଡିଲେଡ୍ରେ ଭାରତ ବଡ଼ ଧରଣର ଅଦଳବଦଳ କରିବାର ସମ୍ଭାବନା ପ୍ରାୟତଃ ନାହିଁ। ଏପରିକି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ଅପରିବର୍ତ୍ତିତ ଦଳ ନେଇ ପଡ଼ିଆକୁ ଓହ୍ଲାଇପାରେ। କଚଟି ସ୍ପିନର କୁଲଦୀପ ସିଂହ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଅଲରାଉଣ୍ଡ୍ ଦକ୍ଷତା ଲାଗି ଅକ୍ଷର ପଟେଲ ଓ ୱାସିଂଟନ୍ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବେ। ଏକମାତ୍ର ପରିବର୍ତ୍ତନ ଭାବେ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ସ୍ଥାନ ସୁଇଂ ବୋଲର ପ୍ରସିଦ୍ଧ କ୍ରିଷ୍ଣା ନେଇପାରନ୍ତି। ସମ୍ଭାବ୍ୟ ଭାରତ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ଅକ୍ଷର ପଟେଲ, ୱାସିଂଟନ୍ ସୁନ୍ଦର/କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା/ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ପାଗ ଭଲ ରହିବ, ପିଚ୍ ବ୍ୟାଟିଂ ଉପଯୋଗୀ
ଆଡିଲେଡ୍ରେ ଗତ କିଛି ଦିନ ହେବ ବର୍ଷା ହେଉଛି। ସେଥିପାଇଁ ପଡ଼ିଆ ଓ ପିଚ୍କୁ ଶୁଖାଇବା ଲାଗି ଗ୍ରାଉଣ୍ଡ୍ସ୍ମ୍ୟାନ୍ ୟୁଭି ଲାଇଟ୍ ବ୍ୟବହାର କରୁଛନ୍ତି। ତଥାପି ଏଠାକାର ପିଚ୍ ବ୍ୟାଟିଂକୁ ସୁହାଇବ ବୋଲି ଆଶା କରାଯାଉଛି। ଗୁରୁବାର ଏଠାକାର ପାଗ ପ୍ରାୟତଃ ଶୁଖିଲା ରହିବାର ପୂର୍ବାନୁମାନ ଥିବାରୁ ମ୍ୟାଚ୍ରେ ବର୍ଷା ବ୍ୟାଘାତ ହେବାର ସମ୍ଭାବନା ପ୍ରାୟତଃ ନାହିଁ। ତେବେ ପାଗ କୋହଲା ଓ ଥଣ୍ଡା ରହିବାର ଥିବାରୁ ଭାରତୀୟ ଖେଳାଳି ସାମାନ୍ୟ ଅଡ଼ୁଆର ସମ୍ମୁଖୀନ ହୋଇ ପାରନ୍ତି। ଆଡିଲେଡ୍ ପିଚ୍ର ସ୍କୋୟାର ବାଉଣ୍ଡରୀ ଛୋଟିଆ ଥିବାରୁ ଉଭୟ ଦଳର ବ୍ୟାଟର୍ ଏହାର ଫାଇଦା ନେବାକୁ ଚେଷ୍ଟା କରିବେ।
୫୪ ରନ୍ କଲେ କୋହଲି ଦ୍ବିତୀୟକୁ ଉଠିବେ
ପର୍ଥରେ ସଂଘର୍ଷ କରିଥିବା କୋହଲିଙ୍କ ପାଖରେ ଆଡିଲେଡ୍ରେ ନୂଆ ମାଇଲ୍ଖୁଣ୍ଟ ଛୁଇଁବାର ସୁଯୋଗ ରହିବ। ଆଉ ୫୪ ରନ୍ କଲେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କୁ ଟପି ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ରନ୍ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପଛକୁ ଦ୍ବିତୀୟ ସ୍ଥାନକୁ ଉଠିବେ। ଅନ୍ୟପକ୍ଷରେ ଆଉ ୫୦ ରନ୍ କଲେ ଅଷ୍ଟ୍ରେଲିଆ ଓପନର୍ ଟ୍ରାଭିସ୍ ହେଡ୍ ଦିନିକିଆରେ ୩,୦୦୦ରନ୍ ପୂରଣ କରିବେ। ୫ ୱିକେଟ୍ ସଫଳତା ପାଇଲେ ମିଚେଲ ଷ୍ଟାର୍କ ନିଜ ଦେଶର ମହାନ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା, ବ୍ରେଟ୍ ଲି’ ଓ ସେନ୍ ୱାର୍ଣ୍ଣଙ୍କ ସହ ୨୫୦ ୱିକେଟ୍ କ୍ଲବ୍ରେ ଯୋଗଦେବେ। ଆଡିଲେଡ୍ରେ ଅଷ୍ଟ୍ରେଲିଆ ୨୦୦୮ ମସିହା ଜାନୁଆରି ମାସଠାରୁ ପରାଜିତ ହୋଇନି। ଏଠାରେ ୨୦୧୧ ଓ ୨୦୧୯ରେ ଖେଳିଥିବା ଦୁଇଟି ଦିନିକିଆରେ କଙ୍ଗାରୁ ଦଳ ସଫଳ ପଶ୍ଚାତ୍ଧାବନ କରିଥିଲା।