ଟେଷ୍ଟ ମାନ୍ୟତାରେ କୋହଲି ଦ୍ୱିତୀୟ

ଦୁବାଇ: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟେଷ୍ଟର ଉଭୟ ପାଳିରେ ଯଥାକ୍ରମେ ଦ୍ୱିଶତକ ଓ ଅର୍ଧଶତକ ଜମାଇବା ସାଙ୍ଗକୁ ଶୃଙ୍ଖଳାରେ ମୋଟ ୬୧୦ (ଦୁଇଟି ଦ୍ୱିଶତକ, ଗୋଟିଏ ଶତକ) ରନ୍‌ କରିଥିବା କୋହଲି ଏକାବେଳକେ ୩ ସ୍ଥାନ ଉପରକୁ ଉଠିଯାଇଛନ୍ତି। କୋହଲି (୮୯୩) ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିଲା ବେଳେ ଶୀର୍ଷରେ ରହିଥିବା ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ (୯୩୮)ଙ୍କଠୁ ୪୫ ପଏଣ୍ଟ୍‌ କମ୍‌ରେ ରହିଛନ୍ତି। ହେଲେ କୋହଲି ଦ୍ୱିତୀୟ ସ୍ଥାନକୁ ଲମ୍ଫ ଦେବା ଅବସରରେ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର, ଭାରତର ଚେତେଶ୍ୱର ପୂଜାରା, ନ୍ୟୁଜିଲାଣ୍ଡ୍‌ର କେନ୍‌ ଓ୍ଵିଲିୟମ୍‌ସନ୍‌ ଏବଂ ଇଂଲଣ୍ଡର ଜୋ ରୁଟ୍‌ଙ୍କୁ ପଛକୁ ଠେଲି ଦେଇଛନ୍ତି। ଅନ୍ୟପକ୍ଷରେ କୋହଲି ଆଇସିସି ଦିନିକିଆ ଓ ଟେ୍ଵଣ୍ଟି-୨୦ ବ୍ୟାଟ୍‌ସମ୍ୟାନ୍‌ଙ୍କ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ମାଡ଼ି ବସିଛନ୍ତି। ଆଉ ଟେଷ୍ଟରେ ଶୀର୍ଷ ମାନ୍ୟତାକୁ ଉଠିଲେ କୋହଲି ବିଶ୍ୱର ଦ୍ୱିତୀୟ ଅଧିନାୟକ ଭାବେ ତିନିଟିଯାକ ଫର୍ମାଟ୍‌ରେ ଏହି ମାନ୍ୟତା ପାଇବେ। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏକମାତ୍ର ଅଧିନାୟକ ଭାବେ ଟେଷ୍ଟ, ଦିନିକିଆ ଓ ଟେ୍ଵଣ୍ଟି-୨୦ରେ ଶୀର୍ଷ ମାନ୍ୟତା ପାଇଥିଲେ। ପଣ୍ଟିଂ ୨୦୦୫-୦୬ରେ ହିଁ ଆଇସିସି ମାନ୍ୟତା (ତିନିଟିଯାକ ଫର୍ମାଟ୍‌)ର ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲେ। ଅବଶ୍ୟ ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ୍‌ ମଧ୍ୟ ତିନିଟିଯାକ ଫର୍ମାଟ୍‌ରେ ଆଇସିସି ମାନ୍ୟତାର ଶୀର୍ଷ ସ୍ଥାନ ଅକ୍ତିଆର କରିବାର ଗୌରବ ନିଜ ନାମରେ ରଖିଛନ୍ତି।

ସମ୍ବନ୍ଧିତ ଖବର