ଦୁବାଇ: ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତାରେ ନବମ ସ୍ଥାନକୁ ଉଠିଛନ୍ତି। ଦି ଓଭାଲ୍ରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ରେ ତାଙ୍କ ମ୍ୟାଚ୍ ବିଜୟୀ ବୋଲିଂ ପାଇଁ ବୁମ୍ରା ଗୋଟିଏ ସ୍ଥାନ ଲମ୍ଫ ମାରିଛନ୍ତି। ବୁମ୍ରା ଏହି ଟେଷ୍ଟ୍ରେ ଚମତ୍କାର ରିଭର୍ସ ସୁଇଂ ବୋଲିଂ କରି ଇଂଲଣ୍ଡ ଦ୍ବିତୀୟ ପାଳିରେ ଓଲି ପୋପ୍ ଓ ଜନି ବେୟାରଷ୍ଟୋଙ୍କୁ ଆଉଟ୍ କରିଥିଲେ। ଯେଉଁଥିପାଇଁ ମ୍ୟାଚ୍ ଭାରତ ପକ୍ଷକୁ ଆସିଯାଇଥିଲା। ଆଉ ଏହି ଟେଷ୍ଟ୍ ଜିତି ଭାରତ ମଧ୍ୟ ୨-୧ର ଅଗ୍ରଣୀ ପାଇଯାଇଛି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ବୋଲରଙ୍କ ମାନ୍ୟତାର ଶୀର୍ଷରେ ରହିଥିଲା ବେଳେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଗୋଟିଏ ହେଲେ ମ୍ୟାଚ୍ ଖେଳିପାରିନଥିବା ସତ୍ତ୍ବେ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଦ୍ବିତୀୟରେ ସ୍ଥିର ରହିଛନ୍ତି।
ବୋଲରଙ୍କ ମାନ୍ୟତାରେ ବୁମ୍ରା ଉଠିଥିଲା ବେଳେ ବ୍ୟାଟ୍ସମ୍ୟାନ୍ଙ୍କ ତାଲିକାରେ ଅଲ୍ରାଉଣ୍ଡର ଶାର୍ଦୁଲ ଠାକୁର (ଓଭାଲ୍ ଟେଷ୍ଟ୍ର ଉଭୟ ପାଳିରେ ଅର୍ଦ୍ଧଶତକ) ୫୯ ସ୍ଥାନ ଲମ୍ଫ ମାରି ୭୯ତମ ସ୍ଥାନରେ ପହଞ୍ଚିଯାଇଛନ୍ତି। ସେ ମଧ୍ୟ ବୋଲରଙ୍କ ମାନ୍ୟତା ତାଲିକାରେ ୭ ସ୍ଥାନ ଉଠି ୪୯ରେ ପହଞ୍ଚିଛନ୍ତି। ତେବେ ବ୍ୟାଟ୍ସମ୍ୟାନ୍ଙ୍କ ମାନ୍ୟତା ତାଲିକାର ଶୀର୍ଷ-୧୦ରେ କୌଣସି ପରିବର୍ତନ ଘଟିନି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଶୀର୍ଷରେ ଅପରିବର୍ତିତ ରହିଥିଲା ବେଳେ ଦୁଇ ଭାରତୀୟ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଯଥାକ୍ରମେ ପଞ୍ଚମ ଓ ଷଷ୍ଠରେ ସ୍ଥିର ରହିଛନ୍ତି। ହେଲେ ଦି ଓଭାଲ ଟେଷ୍ଟ୍ର ଦ୍ବିତୀୟ ପାଳିରେ ମ୍ୟାଚ୍ ବିଜୟୀ ଶତକ (୧୨୭ ରନ୍) ହାସଲ କରିଥିବାରୁ କୋହଲିଙ୍କଠାରୁ ରୋହିତ ତାଙ୍କ ଅଗ୍ରଣୀ ରେଟିଂ ପଏଣ୍ଟ୍ ୩୦କୁ ବଢ଼ାଇଛନ୍ତି। ଅନ୍ୟପକ୍ଷରେ ଅଶ୍ବିନ୍ ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ଗୋଟିଏ ସ୍ଥାନ ଖସି ପଞ୍ଚମରେ ପହଞ୍ଚିଥିଲା ବେଳେ ରବୀନ୍ଦ୍ର ଜାଦେଜା ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି।