ଟେଷ୍ଟ୍‌ ମାନ୍ୟତା: ଅଶ୍ବିନ୍‌ ୨କୁ ଉଠିଲେ; ଏକାଦଶ ସ୍ଥାନରେ ମୟଙ୍କ

ଦୁବାଇ: ମୁମ୍ବାଇରେ ଖେଳାଯାଇଥିବା ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ଦ୍ବିତୀୟ ଟେଷ୍ଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଓପନର୍‌ ମୟଙ୍କ ଅଗ୍ରୱାଲ ଓ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ ସଦ୍ୟ ପ୍ରକାଶିତ ଟେଷ୍ଟ୍‌ ମାନ୍ୟତାରେ ଉପରକୁ ଉଠିଛନ୍ତି। ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ମୟଙ୍କ (୧୫୦ ଓ ୬୨ ରନ୍‌) ୩୦ ସ୍ଥାନ ଉପରକୁ ଉଠି ଏକାଦଶରେ ପହଞ୍ଚିଛନ୍ତି। ସେ ଏବେ ତାଙ୍କ ଜୀବନର ଶ୍ରେଷ୍ଠ ମାନ୍ୟତା (ଦଶମ)ଠୁ ଗୋଟିଏ କମ୍‌ରେ ରହିଛନ୍ତି। ୨୦୧୯ ନଭେମ୍ବରରେ ମୟଙ୍କ ପ୍ରଥମ ଥର ଶୀର୍ଷ ୧୦ରେ ରହିଥିଲେ।

ବିଶ୍ବର ତୃତୀୟ ବୋଲର ଭାବେ ଗୋଟିଏ ପାଳିରେ ୧୦ ୱିକେଟ୍‌ ଅକ୍ତିଆର କରିଥିବା ମୁମ୍ବାଇ ଜନ୍ମିତ ଏଜାଜ ୨୩ ସ୍ଥାନ ଲମ୍ଫ ଦେଇ ୩୮ରେ ପହଞ୍ଚିଛନ୍ତି। ପୂର୍ବରୁ ଏହି ସ୍ପିନରଙ୍କ ଶ୍ରେଷ୍ଠ ମାନ୍ୟତା ୫୩ ଏବଂ ଶୃଙ୍ଖଳା ପୂର୍ବରୁ ୬୨ରେ ଥିଲା। ମୁମ୍ବାଇ ଟେଷ୍ଟ୍‌ ପରେ ଭାରତୀୟ ଓପନର୍‌ ଶୁବମନ ଗିଲ (୨୧ସ୍ଥାନ ଉଠି ୪୫), ଦ୍ରୁତ ବୋଲର ମହମ୍ମଦ ସିରାଜ (୪ସ୍ଥାନ ଉଠି ୪୧) ଏବଂ ନ୍ୟୁଜିଲାଣ୍ଡ ବ୍ୟାଟର୍‌ ଡାରିଲ ମିଚେଲ (୨୬ ସ୍ଥାନ ‌ଉଠି ୭୮) ବଡ଼ ଲମ୍ଫ ଦେଇଛନ୍ତି।

ବୋଲରଙ୍କ ମାନ୍ୟତା’ରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ସ୍ଥାନରେ ଥିଲା ବେଳେ ଶୀର୍ଷରେ ପ୍ୟାଟ୍‌ କମିନ୍ସ ରହିଛନ୍ତି। ଏହି ମ୍ୟାଚ୍‌ରେ ୪୩ ରେଟିଂ ପଏଣ୍ଟ୍‌ ପାଇଥିବା ଅଶ୍ବିନଙ୍କ ପଏଣ୍ଟ୍‌ ଏବେ ୮୮୩ରେ ପହଞ୍ଚିଛି। ଏବେ ସେ ତୃତୀୟ ସ୍ଥାନରେ ଥିବା ଜୋସ ହାଜଲେଉଡଙ୍କଠୁ ୬୭ ପଏଣ୍ଟ୍‌ ଆଗରେ ରହିଛନ୍ତି। ଅଲ୍‌ରାଉଣ୍ଡର ମାନ୍ୟତାରେ ମଧ୍ୟ ଅଶ୍ବିନ ଦ୍ବିତୀୟରେ ରହିଥିଲା ବେଳେ ତାଙ୍କ ସାଥୀ ରବୀନ୍ଦ୍ର ଜାଦେଜା ଚତୁର୍ଥ ଏବଂ ଶୀର୍ଷରେ ୱେଷ୍ଟଇଣ୍ଡିଜ୍‌ର ଜାସନ ‌ହୋଲ୍ଡର ରହିଛନ୍ତି।

ସମ୍ବନ୍ଧିତ ଖବର