ଆଇସିସି ଟେଷ୍ଟ୍‌ ମାନ୍ୟତା: ଶୀର୍ଷ ସ୍ଥାନ ବଜାୟ ରଖିଲେ ସ୍ମିଥ୍‌

ଦୁବାଇ: ଚତୁର୍ଥ ଆସେସ୍‌ ଟେଷ୍ଟକୁ ୧୮୫ ରନ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆର ଦୁଇ ଖେଳାଳି ‌ଷ୍ଟିଭ୍‌ ସ୍ମିଥ୍‌ ଓ ପ୍ୟାଟ୍‌ କମିନ୍ସ ଆଇସିସି ଟେଷ୍ଟ୍‌ ମାନ୍ୟତାର ଯଥାକ୍ରମେ ବ୍ୟାଟ୍‌ସମ୍ୟାନ୍‌ ଓ ବୋଲରଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଏହି ମ୍ୟାଚ୍‌ର ଦୁଇପାଳିରେ ସ୍ମିଥ୍‌ ୨୧୧ ଓ ୮୨ ରନ୍‌ ସଂଗ୍ରହ କରିବା ପରେ ତାଙ୍କ ମାନ୍ୟତା ପଏଣ୍ଟ୍‌ ୯୩୭ରେ ପହଞ୍ଚିଯାଇଛି। ଯାହାକି ସେ ୨୦୦୭ରେ ଅର୍ଜନ କରିଥିବା ନିଜର ସର୍ବାଧିକ ପଏଣ୍ଟ୍‌ଠୁ ୧୦ ପଛରେ ରହିଛନ୍ତି। ସଂପ୍ରତି ଦ୍ବିତୀୟ ସ୍ଥାନରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କଠୁ ୩୪ ପଏଣ୍ଟ୍‌ ଆଗରେ ଥିବାରୁ ୫ ମ୍ୟାଚ୍‌ ଆସେସ୍‌ ଶୃଙ୍ଖଳା ଶେଷ ପର୍ଯ୍ୟନ୍ତ ସେ ଶୀର୍ଷ ସ୍ଥାନରେ ରହିବା ନିଶ୍ଚିତ କରିଛନ୍ତି। ଇଂଲଣ୍ଡର ଜୋସ୍ ବଟ୍ଟଲର ୪ ସ୍ଥାନ ଉପରକୁ ଉଠି ୩୭ ଏବଂ ରୋରି ବର୍ନ୍ସ ୬ ସ୍ଥାନ ଉପରକୁ ଉଠି ୬୧ରେ ପହଞ୍ଚିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ ୬ ସ୍ଥାନ ଉପରକୁ ଉଠି ୬୦ରେ ପହଞ୍ଚିଛନ୍ତି। ସେହିପରି ବାଂଲାଦେଶକୁ ଚଟ୍ଟୋଗ୍ରାମ ଟେଷ୍ଟ୍‌ରେ ହରାଇଥିବା ଆଫ୍‌ଗାନିସ୍ତାନ ଖେଳାଳିଙ୍କ ମାନ୍ୟତାରେ ମଧ୍ୟ ବୃଦ୍ଧି ଘଟିଛି। ଦୁଇଟି ପାଳିରେ ଯଥାକ୍ରମେ ୯୨ ଓ ୫୦ ରନ୍‌ କରିଥିବା ଅସଗର ଆଫ୍‌ଗାନ ୧୧୦ରୁ ସିଧା ସଳଖ ୬୩ରେ ଏବଂ ଶତକ ହାସଲ କରିଥିବା ରହମାତ ସାହ ୯୩ରୁ ୬୫ରେ ପହଞ୍ଚିଛନ୍ତି।

‌ଚତୁର୍ଥ ଆସେସ୍‌ ଟେଷ୍ଟରେ ୭ ୱିକେଟ୍‌ ଅକ୍ତିଆର କରିଥିବା କମିନ୍ସ ୯୧୪ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନକୁ ମଜବୁତ କରିଛନ୍ତି। ସେ ଅଷ୍ଟ୍ରେଲିଆର ସର୍ବକାଳୀନ ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ସାମିଲ ହେବ ସହ ୨୦୦୧ରେ ଏହି ସ୍ଥାନରେ ପହଞ୍ଚିଥିବା ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ ସମକକ୍ଷ ‌ମଧ୍ୟ ହୋଇଛନ୍ତି। ସେ ଦ୍ବିତୀୟ ସ୍ଥାନରେ ଥିବା ‌ଦକ୍ଷିଣ ଆଫ୍ରିକାର କାଗିସୋ ରବାଦାଙ୍କଠୁ ୬୩ ପଏଣ୍ଟ୍‌ ଆଗରେ ରହିଛନ୍ତି। ତୃତୀୟ ସ୍ଥାନରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ରହିଛନ୍ତି। ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟର ଶ୍ରେ‌ଷ୍ଠ ଖେଳାଳି ହୋଇଥିବା ଅଧିନାୟକ ରସିଦ ଖାନ୍‌ (୧୧/୧୦୪) ୬୯ରୁ ୩୭ରେ ପହଞ୍ଚିଛନ୍ତି। ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଥିବା ଅଲ୍‌ରାଉଣ୍ଡର ମହମ୍ମଦ ନବି ୨୧ସ୍ଥ‌ାନ ଉପରକୁ ଉଠି ୮୫ରେ ରହିଛନ୍ତି। ବାଂଲାଦେଶର ବାମହାତୀ ସ୍ପିନର ସକିବ ଅଲ୍‌ ହାସନ ଏବଂ ତାଇଜୁଲ ଇସଲାମ ଯଥାକ୍ରମେ ୨୧ ଓ ୨୨ତମ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର