ନୂଆଦିଲ୍ଲୀ: ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ ହୋଇଛନ୍ତି। ତାଙ୍କ ତଳ ପିଠି ହାଡ଼ରେ ସାମାନ୍ୟ ଫାଟ ଦେଖାଦେଇଛି। ଫଳରେ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ‘ଗାନ୍ଧୀ-ମାଣ୍ଡେଲା ଟ୍ରଫି’ ଟେ‌ଷ୍ଟ ଶୃଙ୍ଖଳାରୁ ବୁମ୍‌ରା ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଅନ୍ୟତମ ଦ୍ରୁତ ବୋଲର ଉମେଶ ଯାଦବ ଦଳରେ ସାମିଲ ହୋଇଛନ୍ତି। ଏନେଇ ମଙ୍ଗଳବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସ୍ପଷ୍ଟ କରିଛି। ବୁମ୍‌ରା ଏବେ ୭ରୁ ୮ ସପ୍ତାହ ପାଇଁ ଦଳ ବାହାରେ ରହିବେ। ଫଳରେ ନଭେମ୍ବର ଶେଷ ପର୍ଯ୍ୟନ୍ତ ସେ ମ୍ୟାଚ୍‌ ଖେଳିପାରିବେ ନାହିଁ ବୋଲି ବିସିସିଆଇ କହିଛି। ଯାହାଫଳରେ ବୁମ୍‌ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ବ୍ୟତୀତ ବାଂଲାଦେଶ ବିପକ୍ଷ ଘରୋଇ ଶୃଙ୍ଖଳା ଖେଳିବାରୁ ମଧ୍ୟ ବଞ୍ଚିତ ହେବେ ବୋଲି ବିସିସିଆଇ କହିଛି। ବାଂଲାଦେଶ ଭାରତ ଗସ୍ତରେ ଆସି ୩ ଟ୍ବେଣ୍ଟି-୨୦ ସାଙ୍ଗକୁ ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଅନ୍ତର୍ଗତ ୨ ଟେଷ୍ଟ୍‌ ଖେଳିବାର ସୂଚୀ ରହିଛି। ନଭେମ୍ବର ୩ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଶୃଙ୍ଖଳା ଖେଳାଯିବ। ବୁମ୍‌ରା ଦ୍ବିତୀୟ ଥର ପାଇଁ ଆହତ ଯୋଗୁଁ ଟେ‌ଷ୍ଟ୍‌ ଶୃଙ୍ଖଳାରୁ ବଞ୍ଚିତ ହେବାକୁ ଯାଉଛନ୍ତି। ଗତବର୍ଷ ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ବେଳେ ସେ ପ୍ରଥମ ୨ ଟେଷ୍ଟ୍‌ରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପୂର୍ବରୁ ମଧ୍ୟ ବୁମ୍‌ରାଙ୍କୁ ଅଧିକରୁ ଅଧିକ ମ୍ୟାଚ୍‌ ଖେଳାଇବାରୁ ବିରତ ରହିବାକୁ ଦୁଇ ପୂର୍ବତନ ଦ୍ରୁତ ବୋଲର ଚେତନ ଶର୍ମା ଏବଂ ଜାହିର ଖାନ୍‌ ବିସିସିଆଇକୁ ପରାମର୍ଶ ଦେଇଥିଲେ। ବୁମ୍‌ରାଙ୍କ ଭଳି ସମ୍ପତ୍ତିକୁ ସବୁବେଳେ ସମ୍ଭାବ୍ୟ ଆଘାତଜନିତ ସମସ୍ୟାରୁ ସୁରକ୍ଷିତ ରଖିବା ପାଇଁ ଏ ଦୁହେଁ କହି ଆସୁଛନ୍ତି।

Advertisment

୨୫ ବର୍ଷ ବୟସ୍କ ବୁମ୍‌ରା ଗତ ଦିନିକିଆ ବିଶ୍ବକପ୍‌ରେ ଭାରତର ଅଗ୍ରଣୀ ୱିକେଟ୍‌ ଦଖଲକାରୀ ବୋଲର ରହିଥିଲେ। ଗତ ଇଂଲଣ୍ଡ ବିଶ୍ବକପ୍‌ରେ ସେ ୧୮ ୱିକେଟ୍‌ ଅକ୍ତିଆର କରିଥିଲେ। ଏହାପରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ୯.୨୪ ହାରରେ ୧୩ ୱିକେଟ୍‌ ଦଖଲ କରିଥିଲେ। ଏପରିକି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୫/୭ର ବୋଲିଂ ଚିତ୍ର ବୁମ୍‌ରାଙ୍କୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍‌ରେ ୫ ୱିକେଟ୍‌ ସଫଳତା ପାଇବାରେ ପ୍ରଥମ ଏସୀୟ ବୋଲରର ଗୌରବ ଦେଇଥିଲା। ନିଜର ୧୧ତମ ଟେଷ୍ଟ୍‌ରେ ହିଁ ବୁମ୍‌ରା ହ୍ୟାଟ୍ରିକ୍ ଅର୍ଜନର ଗୌରବ ହାତେଇଥିଲେ। ବୁମ୍‌ରା ମଧ୍ୟ ହାଇଦ୍ରାବାଦରେ ଜୀବନର ଶ୍ରେଷ୍ଠ ବୋଲିଂ ସଫଳତା (୧୦/୧୩୩) ପାଇଥିଲେ। ମୋଟ ଉପରେ ବୁମ୍‌ରା ୧୨ ଟେଷ୍ଟ୍‌ ଖେଳି ୬୨ ୱିକେଟ୍‌ ନିଜ ନାମରେ ରଖିଛନ୍ତି। ଅନ୍ୟ ପକ୍ଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଗାମୀ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ତାଙ୍କ ସ୍ଥାନ ନେଇଥିବା ଉମେଶ ଯାଦବ ୪୧ ଟେଷ୍ଟ୍‌ ଖେଳି ୧୧୯ ୱିକେଟ୍‌ ଅକ୍ତିଆର କରିଛନ୍ତି। ଉମେଶ ଗତ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଟେଷ୍ଟ୍‌ ଖେଳିଥିଲେ। ତେବେ ଦଳରେ ଈଶାନ୍ତ ଶର୍ମା ଓ ମହମ୍ମଦ ସାମି ରହିଥିବାରୁ ଉମେଶଙ୍କ ଚୂଡ଼ାନ୍ତ ଏକାଦଶରେ ଖେଳିବା ଆଶା କମ୍‌ ରହିବ ବୋଲି କୁହାଯାଉଛି।

ପରିବର୍ତିତ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ (ଉପଅଧିନାୟକ), ମୟଙ୍କ ଅଗ୍ରୱାଲ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ରିଦ୍ଧିମାନ ଶାହା (ୱିକେଟ୍‌ରକ୍ଷକ), ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବୀନ୍ଦ୍ର ଜାଦେଜା, କୁଲ୍‌ଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଇଶାନ୍ତ ଶର୍ମା, ଶୁଭମନ୍‌ ଗିଲ୍‌।