ଚହରଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ, ଟେଷ୍ଟ୍‌ ଶୃଙ୍ଖଳାକୁ ୨-୦ରେ ପୋଛିଲା ଭାରତ-ଏ

ହୁବ୍‌ଲି: ଶ୍ରୀଲଙ୍କା-ଏ ବିପକ୍ଷ ୪ ଦିନିଆ ଅଣଆନୁଷ୍ଠାନିକ ଟେଷ୍ଟ୍‌ ଶୃଙ୍ଖଳାକୁ ଭାରତ-ଏ ୨-୦ରେ ପୋଛି ନେଇଛି। ଭାରତ ଦ୍ବିତୀୟ ଟେଷ୍ଟ୍‌କୁ ୧୫୨ ରନ୍‌‌ରେ ଜିତିଲା। ଦ୍ବିତୀୟ ଟେଷ୍ଟ୍‌ର ଚତୁର୍ଥ ତଥା ଅନ୍ତିମ ଦିନ ଭ୍ରମଣକାରୀ ଶ୍ରୀଲଙ୍କା ଦ୍ବିତୀୟ ପାଳିକୁ ୨୭୭ ରନ୍‌ରେ ଶେଷ କରି ଭାରତ ଶୃଙ୍ଖଳା ମୂଳପୋଛ କରିଛି। ବିଶେଷକରି ରାହୁଲ ଚହରଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ଏହି ଟେଷ୍ଟ୍‌‌ରେ ମୁଖ୍ୟ ଭୂମିକା ନେଇଥିଲା। ଚହର (୮୪ ରନ୍‌) ଦ୍ବିତୀୟ ପାଳିରେ ଦମ୍‌ଦାର ଅର୍ଧଶତକ ଜମାଇଥିଲା ବେଳେ ଶ୍ରୀଲଙ୍କା ଦ୍ବିତୀୟ ପାଳିର ୫ ୱିକେଟ୍‌ ମଧ୍ୟ ଦଖଲ କରିଥିଲେ। ତଥାପି ୱିକେଟ୍‌ରକ୍ଷକ ଶ୍ରୀକର ଭରତ (୧୧୭ ଓ ୬୦) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ। ଟେଷ୍ଟ୍‌ ଶୃଙ୍ଖଳା ଶେଷ ହୋଇଯାଇଥିଲା ବେଳେ ଉଭୟ ଦଳ ଏବେ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବେ।

ସଂକ୍ଷିପ୍ତ ସ୍କୋର୍‌: ଭାରତ ପ୍ରଥମ ପାଳି ୨୬୯ (ଶ୍ରୀକର ଭରତ-୧୧୭, ଲାହିରୁ କୁମାରା-୪/୫୩, ଲକ୍ଷ୍ମଣ ସନ୍ଦକନ-୪/୬୪)। ଶ୍ରୀଲଙ୍କା ପ୍ରଥମ ପାଳି ୨୧୨ (ମେଣ୍ଡିସ୍‌-୬୮, ଜୟନ୍ତ ଯାଦବ-୩/୨୪)। ଭାରତ ଦ୍ବିତୀୟ ପାଳି ୩୭୨ (ଅନ୍‌ମୋଲପ୍ରୀତ୍‌ ସିଂହ-୬୦, ଶ୍ରୀକର ଭରତ-୬୦, ଫର୍ନାଣ୍ଡୋ-୩/୬୮, ସନ୍ଦକନ-୩/୮୭)। ଶ୍ରୀଲଙ୍କା ଦ୍ବିତୀୟ ପାଳି ୨୭୭ (ରାଜପକ୍ଷେ-୧୧୦, ରାହୁଲ୍‌ ଚହର-୫/୧୧୨, ଶିବମ୍‌ ଦୁବେ-୨/୨୬)।

ସମ୍ବନ୍ଧିତ ଖବର