ଟେ‌ଷ୍ଟ୍‌ ମାନ୍ୟତା: କୋହଲି ଚତୁର୍ଥରେ ସ୍ଥିର; ୱିଲିୟମ୍‌ସନ୍‌ ଶୀର୍ଷକୁ ଫେରିଲେ

ଦୁବାଇ: ଆଇସିସି ଟେଷ୍ଟ୍‌ ମାନ୍ୟତାରେ ନ୍ୟୁଜିଲାଣ୍ଡ୍‌ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ପୁଣି ବ୍ୟାଟ୍‌ସମ୍ୟାନ୍‌ଙ୍କ ତାଲିକାର ଶୀର୍ଷକୁ ଫେରିଛନ୍ତି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ତାଙ୍କୁ ଏହି ସ୍ଥାନରୁ ଗାଦିଚ୍ୟୁତ କରିଥିଲେ। ହେଲେ ଭାରତ ବିପକ୍ଷ ବିଶ୍ବ ଟେ‌ଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌‌ର ଉଭୟ ପାଳିରେ ଯଥାକ୍ରମେ ୪୯ ଓ ଅପରାଜିତ ୫୨ ରନ୍‌ କରିବା ପରେ ୱିଲିୟମ୍‌ସନ୍‌ ୧୦ ପଏଣ୍ଟ୍‌ ଅଧିକ ସହ ସ୍ମିଥ୍‌ (୮୯୧)ଙ୍କୁ ପଛକୁ ଠେଲି ଦେଇଛନ୍ତି। ଏପରିକି ୱିଲିୟମ୍‌ସନ୍‌ ମଧ୍ୟ ୯୦୦ ପଏଣ୍ଟ ମାର୍କ ଅତିକ୍ରମ କରିଯାଇଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ବିରାଟ କୋହଲି (୮୧୨ ପଏଣ୍ଟ) ସେହି ମ୍ୟାଚ୍‌ରେ ୪୪ ଓ ୧୩ ରନ୍‌ କରିବା ସତ୍ତ୍ବେ ଚତୁର୍ଥ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଅନ୍ୟ ଦୁଇ ଭାରତୀୟ ରୋହିତ ଶର୍ମା ଓ ଋଷଭ ପନ୍ତ୍‌ ଯଥାକ୍ରମେ ଷଷ୍ଠ ଓ ସପ୍ତମ ସ୍ଥାନ ପାଇଛନ୍ତି। ଭାରତୀୟ ଉପଅଧିନାୟକ ଆଜିଙ୍କ୍ୟ ରହାଣେ (୪୯ ଓ ୧୩ ରନ୍‌) ୩ ସ୍ଥାନ ଉଠି ୧୩ରେ ପହଞ୍ଚିଛନ୍ତି। ଅଲ୍‌ରାଉଣ୍ଡରଙ୍କ ମାନ୍ୟତାରେ ରବୀନ୍ଦ୍ର ଜାଦେଜା ଶୀର୍ଷରୁ ଖସିଯାଇଛନ୍ତି।

ସମ୍ବନ୍ଧିତ ଖବର