ଟେଷ୍ଟ୍‌ ଦଳ ଘୋଷଣା ଆଜି : ପାଣ୍ଡ୍ୟା ଫେରିବେ; ଆଶଙ୍କାରେ ରାହୁଲ, ଆଶାରେ ଅଭିମନ୍ୟୁ

ନୂଆଦିଲ୍ଲୀ : ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା ହେବ।

ଚୟନକର୍ତାମାନେ ଗତ ୱେଷ୍ଟଇଣ୍ଡିଜ୍‌ ଗସ୍ତ କରିଥିବା ଟେଷ୍ଟ୍‌ ଦଳରେ ବିଶେଷ କିଛି ପରିବର୍ତନ କରିବାର ଆଭାସ ଦେଇନଥିଲା ବେଳେ ପ୍ରାରମ୍ଭିକ ସ୍ଥାନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌କୁ ତା’ ଘରୋଇ ମାଟିରେ ୨-୦ରେ ମୂଳପୋଛ କରିଥିବାରୁ ବିଜୟ ଧାରାରେ ଥିବା ଦଳ ବଦଳାଇବାକୁ ଚାହୁଁନାହାନ୍ତି ଚୟନକର୍ତା। ହେଲେ ପାଳି ଆରମ୍ଭ କରିଥିବା ଲୋକେଶ ରାହୁଲଙ୍କ ଫର୍ମକୁ ନେଇ ଚିନ୍ତିତ ଅଛନ୍ତି। ରାହୁଲ ୩୬ ଟେଷ୍ଟ୍‌ ଖେଳିଥିଲେ ମଧ୍ୟ ଶେଷ ୭ ମ୍ୟାଚ୍‌ରେ ଗୋଟିଏ ବି ଅର୍ଧଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। ୱେଷ୍ଟଇଣ୍ଡିଜ୍‌ରେ ତାଙ୍କ ପ୍ରାରମ୍ଭିକ ସାଥୀ ମୟଙ୍କ ଅଗ୍ରୱାଲ ମାତ୍ର ୪ ଟେଷ୍ଟ୍‌ ଖେଳିଛନ୍ତି। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ମଧ୍ୟକ୍ରମ ଉପରେ ଚାପ ସୃଷ୍ଟି କରୁଥିବାରୁ ରାହୁଲ୍‌ଙ୍କୁ ବାଦ୍‌ ଦେଇ ତାଙ୍କ ସ୍ଥାନରେ ଗତ ଋତୁରେ ଘରୋଇ କ୍ରିକେଟ୍‌ ଏବଂ ଭାରତ-ଏ ପକ୍ଷରୁ ଖେଳି ଭଲ ରନ୍‌ କରିଥିବା ବେଙ୍ଗଲ ତାରକା ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି। ୨୦୧୮ରୁ ଏପର୍ଯ୍ୟନ୍ତ ରାହୁଲଙ୍କ ସମେତ ମୁରଲୀ ବିଜୟ, ଶିଖର ଧାୱନ୍‌, ପାର୍ଥିବ ପଟେଲ, ପୃଥ୍ବୀ ସ, ମୟଙ୍କ ଅଗ୍ରୱାଲ ଏବଂ ହନୁମା ବିହାରୀ ଟେ‌ଷ୍ଟ୍‌ରେ ପାଳି ଆରମ୍ଭ କରିଛନ୍ତି। ହେଲେ କେହି ବି ଏହି ସ୍ଥାନରେ ନିଜକୁ ସୁରକ୍ଷିତ ରଖିପାରିନାହାନ୍ତି। ନିରଂତର ଭାବେ ବିଫଳତା ଯୋଗୁଁ ଅଭିଜ୍ଞ ଧାୱନ୍‌ ଓ ବିଜୟଙ୍କ ନାମ ସମ୍ଭବତଃ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ବିଚାରକୁ ନିଆଯିବନାହିଁ। ଅନ୍ୟପକ୍ଷରେ ଡୋପିଂ ବା‌ସନ୍ଦ ଯୋଗୁଁ ପୃଥ୍ବୀ ସହ ଏବେ ବାହାରେ ରହିଛନ୍ତି। ତେଣୁ ତାଙ୍କର ମଧ୍ୟ ଦଳକୁ ଫେରିବା ଆଶା ନାହିଁ। ଏପରିସ୍ଥଳେ ଯଦି ରାହୁଲ ବାଦ୍‌ ପଡ଼ନ୍ତି, ତେବେ ତାଙ୍କ ସ୍ଥାନ ଭରଣା ପାଇଁ ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ଆଜିଙ୍କ୍ୟ ରହାଣେ ଓ ହନୁମା ବିହାରୀ ମଧ୍ୟକ୍ରମରେ ଚମତ୍କାର ପ୍ରଦର୍ଶନର ପ୍ରମାଣ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟିଯାକ ଟେ‌ଷ୍ଟରେ ଉଭୟ ଦମ୍‌ଦାର ପାଳି ଖେଳିଥିଲେ। ସେହି ଦୃଷ୍ଟିରୁ ତାଙ୍କ ସ୍ଥାନ ସୁରକ୍ଷିତ ରହିଛି। ରୋହିତ ଶର୍ମାଙ୍କୁ ନେଇ ଚର୍ଚ୍ଚା ଚାଲିଥିଲା ‌ବେଳେ ସେ ଦଳରେ ରହିବା ନିଶ୍ଚିତ। ହେଲେ ଚୂଡ଼ାନ୍ତ ଏକାଦଶ‌ରେ ସ୍ଥାନ ପାଇବେ ନା ନାହିଁ ତାହା ସ୍ପଷ୍ଟ ହୋଇନି। ରାହୁଲ୍‌ଙ୍କ ବଦଳରେ ତାଙ୍କୁ ପାଳି ଆରମ୍ଭ ସୁଯୋଗ ମିଳିପାରେ ବୋଲି ମଙ୍ଗଳବାର ଚୟନ କମିଟି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ସମ୍ୟକ୍‌ ଆଭାସ ଦେଇଛନ୍ତି। ତେବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ବିଶ୍ରାମ ପାଇଥିବା ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଦଳକୁ ଫେରିବା ପ୍ରାୟତଃ ନିଶ୍ଚିତ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ ଅକ୍ଟୋବର ୨ ତାରିଖରୁ ବିଶାଖାପାଟଣାରେ ଆରମ୍ଭ ହେବ। ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅବଶିଷ୍ଟ ୨ ଟେଷ୍ଟ୍‌ ଯଥାକ୍ରମେ ପୁନେ (ଅକ୍ଟୋବର ୧୦ରୁ) ଓ ରାଞ୍ଚି (ଅକ୍ଟୋବର ୧୯ରୁ)ରେ ଖେଳାଯିବ।

ସମ୍ଭାବ୍ୟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରହାଣେ (ଉପଅଧିନାୟକ), ଚେତେଶ୍ବର ପୂଜାରା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ୍‌/ ଅଭିମନ୍ୟୁ ଈଶ୍ବରନ୍‌, ରୋହିତ ଶର୍ମା, ହନୁମା ବିହାରୀ, ହାର୍ଦିକ୍‌ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟ୍‌ରକ୍ଷକ), ଯଶ୍‌ପ୍ରୀତ୍‌ ବୁମ୍‌ରା, ଈଶାନ୍ତ ଶର୍ମା, ମହମ୍ମଦ ସାମି/ଉମେଶ ଯାଦବ, ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ରବିନ୍ଦ୍ର ଜା‌ଦେଜା ଓ କୁଲ୍‌ଦୀପ୍‌ ଯାଦବ।

ସମ୍ବନ୍ଧିତ ଖବର