ଆଜିଠୁ ଭାରତୀୟ ସୁଟର୍‌ଙ୍କ ଭାଗ୍ୟ ପରୀକ୍ଷା

ଟୋକିଓ : ରିଓ ଅଲିମ୍ପିକ୍ସ ପରେ ଟୋକିଓରେ ଭାରତୀୟ ସୁଟରମାନେ ଏକାଧିକ ପଦକ ସାଉଁଟିବା ଲକ୍ଷ୍ୟରେ ଅଛନ୍ତି। ଟୋକିଓ ଯାଇଥିବା ୧୫ ଜଣ ସୁଟର ପଦକ ଜିତିବାକୁ ସକ୍ଷମ। କିନ୍ତୁ ଏମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଜଣ ପଦକ ପାଇବା ନିଶ୍ଚିତ ବୋଲି କୁହାଯାଉଛି। ସେମାନଙ୍କ ମଧ୍ୟରୁ ସୌରଭ ଚୌଧୁରୀ, ଅଭିଷେକ ବର୍ମା ଅନ୍ୟତମ। ଏହି ଦୁଇଜଣ ପ୍ରଥମ ଦିନରୁ ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବେ। ତେବେ ଏଥିପୂର୍ବରୁ ମହିଳା ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଅପୁର୍ବୀ ଚାନ୍ଦିଲା ଓ ଏଲାଭେନିଲ ଭାଲାରିଭାନଙ୍କ ଭାଗ୍ୟ ନିର୍ଧାରଣ ହେବ। ଏମାନଙ୍କ ମଧ୍ୟରୁ ଯେକେହି ବି ଭାରତ ପାଇଁ ଚଳିତ ଅଲିମ୍ପିକ୍ସରେ ପ୍ରଥମ ପଦକ ଆଣିପାରନ୍ତି।

ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ତିନିଥର ସ୍ବର୍ଣ୍ଣ ପଦକ ପାଇଥିବା ଚାନ୍ଦିଲା ଅନେକ କଠିନ ସମୟ ଦେଇ ଅଲିମ୍ପିକ୍ସରେ ପହଞ୍ଚିଛନ୍ତି। ପ୍ରଥମେ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲା ବେଳେ ପରେ ଏଥିରୁ ସୁସ୍ଥ ହୋଇ କ୍ରୋଏସିଆରେ ଅନୁଷ୍ଠିତ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ରିଓ ପରେ ଏହା ହେଉଛି ଚାନ୍ଦିଲାଙ୍କ ଦ୍ବିତୀୟ ଅଲିମ୍ପିକ ସୁଯୋଗ। ଅନ୍ୟପକ୍ଷରେ ୨୧ ବର୍ଷିୟ ଏଲାଭେନିଲ ବର୍ତ୍ତମାନ ବିଶ୍ବର ଶୀର୍ଷ ମାନ୍ୟତା ପାଇଥିଲା ବେଳେ ଦେଶର ସର୍ବଶ୍ରେଷ୍ଠ ରାଇଫଲ ସୁଟର ଭାବେ ପରିଚୟ ତିଆରି କରିପାରିଛନ୍ତି। ବିଗତ ୭ ବର୍ଷ ଧରି ଅଲିମ୍ପିକ ପଦକଧାରୀ ଗଗନ ନାରଙ୍ଗଙ୍କଠୁ ସେ ପ୍ରଶିକ୍ଷଣ ନେଇଥିବାରୁ ଏଥର ତାଙ୍କଠାରୁ ପଦକ ଆଶା ଅଧିକ ରହିଛି।

ଦ୍ବିତୀୟରେ ମନୁ ଭାକର ଓ ଯଶସ୍ବିନୀ ସି˚ହ ଦେସ୍‌ଵାଲ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଏହି ଇଭେଣ୍ଟରେ ସବୁଠୁ ଅଧିକ ପ୍ରତିଦ୍ବନ୍ଦୀ ଥିଲେ ବି ମନୁ ଓ ଯଶସ୍ବିନୀ ଏସବୁକୁ ଅତିକ୍ରମ କରିପାରିବା ଭଳି ଦକ୍ଷତା ରଖିଛନ୍ତି। ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଦିବ୍ୟା˚ଶ ସି˚ହ ପନଵର ଓ ଅଭିଜ୍ଞ ସୁଟର ଦୀପକ କୁମାର ପଦକ ପାଇଁ ଲଢେଇ କରିବେ। ଯଦି ଉକ୍ତ ୮ ଜଣ ପ୍ରତିଯୋଗୀ ପ୍ରଥମ ଦୁଇ ଦିନରେ ଶ୍ରେଷ୍ଠ ପ୍ରଦର୍ଶନ ଦିଅନ୍ତି, ତାହେଲେ ଭାରତ ହାତରେ ଏକାଧିକ ପଦକ ପଡ଼ିବା ନିଶ୍ଚିତ ହୋଇଯିବ।

ଅନ୍ୟପକ୍ଷରେ କ୍ରୀଡ଼ା ମହାକୁମ୍ଭର ମଧ୍ୟବର୍ତ୍ତୀ ସମୟଗୁଡ଼ିକରେ ଭାରତ ପକ୍ଷରୁ ରାହି ସର୍ନୋବତ, ଐଶ୍ବରି ପ୍ରତାପ ସି˚ହ ତୋମାର, ଅଞ୍ଜୁମ ମୁଦଗିଲ, ତେଜସ୍ବିନୀ ସାଵନ୍ତ, ସ˚ଜୀବ ରାଜପୁତ, ମଇରାଜ ଅହମ୍ମଦ ଖାନ୍‌ ଓ ଅଙ୍ଗଦ ଭୀର ସି˚ହ ବଜଵା ନିଜନିଜ ଇଭେଣ୍ଟରେ ପ୍ରିତିଦ୍ବନ୍ଦ୍ବିତା କରିବେ। ଏମାନଙ୍କ ମଧ୍ୟରୁ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ସର୍ନୋବତ, ୧୦ ମିଟର ଏୟାର ରାଇଫଲରେ ବିଶ୍ବର ୧ ନମ୍ବର ସୁଟର ଦିବ୍ୟା˚ଶ ଓ ପ୍ରତାପ ସି˚ହଙ୍କ ପାଖରୁ ଦେଶ ପଦକ ଆଶା ରଖିଛି। ଦିବ୍ୟା˚ଶ ମାତ୍ର ୧୮ ବର୍ଷ ବୟସରେ ଆନ୍ତର୍ଜାତିକ ସ୍ତରରେ ୬ରୁ ଅଧିକ ସ୍ବର୍ଣ୍ଣ ପଦକ ଜିତିସାରିଛନ୍ତି। ସେହିପରି ସର୍ନୋବତ ଗତ ମାସରେ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ୨୫ ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ପଦକ ପାଇଥିବାରୁ ଅଲିମ୍ପିକ୍ସରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା ରଖାଯାଇଛି।

ମିଶ୍ରିତ ଯୁଗଳରେ ପ୍ରବୀଣଙ୍କୁ ସାଥୀ କରିବେ ଦୀପିକା
ମିଶ୍ରିତ ଯୁଗଳରେ ପ୍ରବୀଣ କୁମାରଙ୍କୁ ସାଥୀ କରି ଖେଳିବେ ତୀରନ୍ଦାଜ ଦୀପିକା କୁମାରୀ। ଦୀପିକା ଏବଂ ତାଙ୍କ ପତି ଅତନୁ ଦାସ ବିଶ୍ବ କପ୍‌ରେ ‌ସ୍ବର୍ଣ୍ଣ ପଦକ ଜିତିଥିବାରୁ ଉଭୟ ଏକାଠି ମିଶ୍ରିତ ଯୁଗଳରେ ଖେଳିବାର ସ୍ଥିର ହୋଇଥିଲା। ହେଲେ ଶୁକ୍ରବାର ରୢାଙ୍କିଂ ରାଉଣ୍ଡ ପ୍ରଦର୍ଶନ ଆଧା‌ରରେ ଦଳୀୟ ମ୍ୟାନେଜମେଣ୍ଟ ଅତନୁଙ୍କ ବଦଳରେ ପ୍ରବୀଣଙ୍କୁ ଦୀପିକାଙ୍କ ସାଥୀ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରଥମ ଥର ଲାଗି ମିଶ୍ରିତ ଯୁଗଳ‌ ଅଲିମ୍ପିକ୍ସରେ ପଦାର୍ପଣ କରିବାକୁ ଯାଉଥିବାରୁ ଦୀପିକା ଓ ପ୍ରବୀଣଙ୍କ ନିକଟରୁ ଭାରତର ପଦକ ଆଶା ବଢ଼ିଯାଇଛି। ଶୁକ୍ରବାର ୟୁମେନୋଶିମା ପାର୍କରେ ଖେଳାଯାଇଥିବା ରୢାଙ୍କିଂ ରାଉଣ୍ଡରେ ଉଭୟଙ୍କ ପଏଣ୍ଟ ଅନୁଯାୟୀ ମିଶ୍ରିତ ଯୁଗଳରେ ଏହି‌ ଯୋଡ଼ିଙ୍କୁ ନବମ ମାନ୍ୟତା ମିଳିଛି। ଦୀପିକା ୬୬୩ ଏବଂ ପ୍ରବୀଣ ୬୫୬ଙ୍କ ମିଳିତ ସ୍କୋର୍‌ ୧୩୧୯ ହୋଇଥିଲା। ପୂର୍ବରୁ ମହିଳା ବ୍ୟକ୍ତିଗତରେ ଦୀପିକାଙ୍କୁ ନବମ ମାନ୍ୟତା ମିଳିଥିଲା।

ସମ୍ବନ୍ଧିତ ଖବର