ହରାରେ: ପାକିସ୍ତାନ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ଉଭୟ ମ୍ୟାଚ୍ରେ ଘରୋଇ ଜିମ୍ବାୱେକୁ ପାଳି ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ପ୍ରଥମ ଟେଷ୍ଟ୍କୁ ପାଳି ଓ ୧୧୬ ରନ୍ରେ ଜିତିଥିବା ଭ୍ରମଣକାରୀ ଦଳ ଦ୍ବିତୀୟକୁ ମଧ୍ୟ ପାଳି ୧୪୭ ରନ୍ରେ ଜିତି ଶୃଙ୍ଖଳାକୁ ୨-୦ରେ ମୂଳପୋଛ କରିଛି। ହରାରେ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ରେ ପାକିସ୍ତାନ ଅବିଦ ଅଲ୍ଲୀଙ୍କ (୨୧୫*) ଦ୍ବିଶତକ ଏବଂ ଆଝାର ଅଲ୍ଲୀଙ୍କ (୧୨୬) ଶତକ ବଳରେ ପ୍ରଥମ ପାଳି ୫୧୦/୮ରେ ଘୋଷଣା କରିଥିଲା। ଜବାବରେ ଜିମ୍ବାୱେ ମାତ୍ର ୧୩୨ ରନ୍ କରି ଫଲୋଅନ୍ ହୋଇଥିଲା। ଦ୍ବିତୀୟ ପାଳିରେ ନୌମନ ଅଲ୍ଲୀ (୨୧-୩-୮୬-୫) ଓ ସାହିନ ଆଫ୍ରିଦୀ (୨୦-୫-୫୨-୫)ଙ୍କ ଘାତକ ବୋଲିଂ ସାମ୍ନା କରି ନପାରି ଜିମ୍ବାୱେ ମାତ୍ର ୨୩୧ ରନ୍ରେ ଅଟକି ଯାଇଥିଲା। ରେଗିସ୍ ଚକଭା (୮୦), ଅଧିନାୟକ ବ୍ରେଣ୍ଡନ ଟେଲର (୪୯), ଲୁକେ ଜୋଙ୍ଗୱେ (୩୭) କିଛିଟା ଲଢ଼ିଥିଲେ ମଧ୍ୟ ଦଳକୁ ପାଳି ପରାଜୟରୁ ରକ୍ଷା କରିପାରିନଥିଲେ। ଦ୍ବିଶତକ ହାସଲ କରିଥିବା ଅବିଦ ମ୍ୟାଚ୍ର ଏବଂ ୧୪ ୱିକେଟ୍ ନେଇ ହାସନ ଅଲ୍ଲୀ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପ୍ରଥମ ପାଳି ୫୧୦/୮ (ଅବିଦ ଅଲ୍ଲୀ ୨୧୫, ଆଝାର ଅଲ୍ଲୀ ୧୨୬, ନୌମନ ଅଲ୍ଲୀ ୯୭, ମୁଜାରାବାନି ୩/୮୨, ଟେଣ୍ଡାଇ ଚିସୋରୋ ୨/୧୩୧)। ଜିମ୍ବାୱେ ୧୩୨ (ରେଗିସ୍ ଚକଭା ୩୩, ହାସନ ଅଲ୍ଲୀ ୫/୨୭)ଏବଂ ୨୩୧ (ରେଗିସ୍ ଚକଭା ୮୦, ବ୍ରେଣ୍ଡନ ଟେଲର ୪୯, ସାହିନ ଆଫ୍ରିଦୀ ୫/୫୨, ନୌମନ ଅଲ୍ଲୀ ୫/୮୬)।
ଲଗାତାର ୬ ଶୃଙ୍ଖଳା ବିଜୟ
ପାକିସ୍ତାନ ବାବର ଆଜମଙ୍କ ନେତୃତ୍ବରେ ଜିମ୍ବାୱେ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ସୋମବାର ଜିତି ନେଇଛି। ଏହି ଶୃଙ୍ଖଳା ବିଜୟ ସହ ପାକିସ୍ତାନ ଲଗାତାର ୬ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଛି। ଏଥିସହ ବାବର ମଧ୍ୟ ପ୍ରଥମ ୪ ଟେଷ୍ଟ୍ ଜିତିବାରେ ପ୍ରଥମ ପାକିସ୍ତାନ ଅଧିନାୟକ ହୋଇଛନ୍ତି। ଏହି ଶୃଙ୍ଖଳା ପୂର୍ବରୁ ପାକିସ୍ତାନ ଘରେ ଚଳିତ ବର୍ଷ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଥିଲା। ଏହା ପରେ ଦକ୍ଷିଣ ଆଫ୍ରିକାରେ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜିତି ଏହି ସଂଖ୍ୟା ୪ରେ ପହଞ୍ଚାଇଥିଲା। ଏବେ ଜିମ୍ବାୱେରେ ଟ୍ବେଣ୍ଟି-୨୦ ଓ ଟେଷ୍ଟ୍ ଶୃଙ୍ଖଳା ଜିତି ନେଇଛି। ଲଗାତାର ୬ ଶୃଙ୍ଖଳାରୁ ଅଧିକ ଜିତିବାରେ ଏହା ଷଷ୍ଠ। ଏହା ପୂର୍ବରୁ ପାକିସ୍ତାନ ୨୦୧୧-୧୨ରେ ୧୩, ୨୦୧୫-୧୬ରେ ୯, ୨୦୦୧-୦୨ରେ ୮ ଏବଂ ୧୯୯୩-୯୪ ଓ ୨୦୧୭-୧୮ରେ ଲଗାତାର ୬ ଲେଖାଏଁ ଶୃଙ୍ଖଳା ଜିତିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/5f49hfs498h79s8f4h56fshffffffffffffffffff.jpg)
