ଟେଟେଙ୍କ କୀର୍ତିମାନ: ବିଶ୍ୱ ମୁଷ୍ଟିଯୁଦ୍ଧ ଇତିହାସରେ ଦ୍ରୁତତମ ନକ୍‌ଆଉଟ୍‌

ଲଣ୍ଡନ: ମୁଷ୍ଟିଯୋଦ୍ଧା ଜୋଲାନି ଟେଟେ ବିଶ୍ୱ ପ୍ରତିଯୋଗିତା ଲଢ଼େଇରେ ନୂଆ ଇତିହାସ ରଚିଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଯୋଦ୍ଧା ଶନିବାର ରାତିରେ ବେଲ୍‌ଫାଷ୍ଟରେ ନିଜ ଦେଶର ପ୍ରତିଦ୍ୱନ୍ଦ୍ୱୀ ଶିବୋନିସୋ ଗୋନ୍ୟାଙ୍କୁ ମାତ୍ର ୧୧ ସେକେଣ୍ଡ୍‌ ମଧ୍ୟରେ ନକ୍‌ଆଉଟ୍‌ କରି ନିଜ ନାମକୁ ବିଶ୍ୱ କୀର୍ତିମାନ ପୃଷ୍ଠାରେ ଲିପିବଦ୍ଧ କରିଛନ୍ତି। ଜୋଲାନି ତାଙ୍କ ପ୍ରଥମ ମୁଥରେ ହିଁ ଶିବୋନିସୋଙ୍କୁ ନକ୍‌ଆଉଟ୍‌ କରିଦେଇଥିଲେ। ଏହି ମୁଥ ମାଡ଼ରେ ଶିବୋନିସୋ ଏତେ ଜୋର୍‌ରେ ଘାଇଲା ହୋଇଯାଇଥିଲେ ଯେ ଆଉ ଉଠି ପାରିନଥିଲେ। ଲଢ଼େଇ ଆରମ୍ଭ ହେବାର ମାତ୍ର ୫ ସେକେଣ୍ଡ୍‌ ପରେ ଟେଟେ ଡାହାଣ ହାତରେ ମାରିଥିବା ଭୟଙ୍କର ମୁଥରେ ଶିବୋନିସୋ ଅଚେତ ହୋଇଯାଇଥିଲେ। ଫଳରେ ରେଫରିଙ୍କୁ ଲଢ଼େଇ ବନ୍ଦ କରିବାକୁ ପଡ଼ିଥିଲା। ନିୟମ ଅନୁଯାୟୀ ପରବର୍ତୀ ୬ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା ପରେ ଶିବୋନିସୋ ଆଉ ଉଠିବାକୁ ସମର୍ଥ ନହେବାରୁ ଟେଟେଙ୍କୁ ବିଜୟୀ ଘୋଷିତ କରାଯାଇଥିଲା। ଏହା ବିଶ୍ୱ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଇତିହାସରେ ସବୁଠୁ ଦ୍ରୁତତମ ନକ୍‌ଆଉଟ୍‌ର କୀର୍ତିମାନ ବହନ କରିଛି। ଗୋଟିଏ ବିଶ୍ୱ ପ୍ରତିଯୋଗିତାରେ କମ୍‌ ସମୟରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ନକ୍‌ଆଉଟ୍‌ କରିବାର କୀର୍ତିମାନ ଏହା ପୂର୍ବରୁ ଡବ୍ଲୁବିଓ ସୁପର ବଣ୍ଟମେଓ୍ଵଟ୍‌ ବିଜେତା ଡାନିଏଲ୍‌ ଜିମିନେଜ୍‌ଙ୍କ ନାମରେ ରହିଥିଲା। ଜିମିନେଜ୍‌ ୧୯୯୪ରେ ୧୭ ସେକେଣ୍ଡ୍‌ରେ ପ୍ରତିଦ୍ୱନ୍ଦ୍ୱୀ ହାରଲ୍‌ଡ ଗିଏର୍‌ଙ୍କୁ ନକ୍‌ଆଉଟ୍‌ କରିଥିଲେ।

ସମ୍ବନ୍ଧିତ ଖବର