ମ୍ୟାଚ୍‌ ଛଡ଼ାଇନେଲେ ତିୱାତିଆ-ପରାଗ

ଦୁବାଇ: ରାଜସ୍ଥାନ ରୟାଲ୍ସକୁ ଅପ୍ରତ୍ୟାଶିତ ବିଜୟ ଦେଇଛନ୍ତି ଯୁବ-ଅନଭିଜ୍ଞ ଯୋଡ଼ି ରିୟାନ୍‌ ପରାଗ-ରାହୁଲ ତିୱାତିଆ। ଅତୁଟ ଷଷ୍ଠ ୱିକେଟରେ ୮୫ ରନ୍ ଯୋଡ଼ି ଏହି ହରିଆନା-ଆସାମି ଯୋଡ଼ି ସନ୍‌ରାଇଜର୍ସ ହାଇଦ୍ରାବାଦ ହାତରୁ ୫ ୱିକେଟ ବ୍ୟବଧାନରେ ମ୍ୟାଚ୍‌‌ ଛଡ଼ାଇ ନେଇଛନ୍ତି। ଦ୍ବାଦଶ ଓଭର ବେଳକୁ ୭୮/୫ରେ ସଂଘର୍ଷ କରୁଥିବା ପ୍ରଥମ ସଂସ୍କରଣ ବିଜେତା ରାଜସ୍ଥାନ ରୟାଲ୍ସ ଏହି ଦୁଇଜଣଙ୍କ ଚମତ୍କାର ବ୍ୟାଟିଂ ବଳରେ ସପ୍ତମ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଛି। ଫଳରେ ରୟାଲ୍‌ସର ଲଗାତାର ୪ ପରାଜୟ ଧାରାରେ ବ୍ରେକ୍‌ ଲାଗିଛି। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସମାନ ୭ ମ୍ୟାଚ୍‌ରୁ ଚତୁର୍ଥ ପରାଜୟ ବରଣ କରିଛି।

ଅଷ୍ଟ୍ରେଲୀୟ ଅଧିନାୟକଙ୍କ ମଧ୍ୟରେ ହୋଇଥିବା ରବିବାରର ଏହି ଲଢ଼େଇରେ ଡେଭିଡ୍‌ ୱାର୍ନର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ। ଜନି ବେୟାରଷ୍ଟୋ ସଅଳ ଆଉଟ୍ ‌ହୋଇଯିବା ପରେ ଡେଭିଡ୍‌ ୱାର୍ନର ଏବଂ ମନୀଷ ପାଣ୍ଡେଙ୍କ ମଧ୍ୟରେ ୭୩ ରନ୍‌ର ଭାଗୀଦାରି ହେବାରୁ ଦଳ ଦୃଢ଼ ମୂଳଦୁଆ ପକାଇଥିଲା। ‌ତେବେ ପାୱାର ପ୍ଲେ ଭିତରେ ମାତ୍ର ୨୬ ରନ୍ ଏବଂ ୧୬ତମ ଓଭରରେ ଶତକ ପୂର୍ଣ୍ଣ କରିବା ଦଳର ରନ୍ ହାରକୁ ମନ୍ଥର ରଖିଥିଲା। ରନ୍‌ ହାର ବଢ଼ାଇବା ବେଳକୁ ଉଭୟ ୱାର୍ନର ଏବଂ ପାଣ୍ଡେ ଆଉଟ୍ ହୋଇଯିବାରୁ ଦଳ ଆଶାଜନକ ବଡ଼ ସ୍କୋର ଛିଡ଼ା କରିପାରିନଥିଲା। କେନ୍‌ ୱିଲିୟମସନ୍‌ ଏବଂ ପ୍ରିୟମ ଗର୍ଗ ଶେଷ ଭାଗରେ କିଛି ଆକର୍ଷଣୀୟ ସଟ୍‌ ଖେଳି ଦଳକୁ ୧୫୮ ରନ୍‌ରେ ପହଞ୍ଚାଇଥିଲେ। ରୟାଲ୍ସ ପକ୍ଷରୁ ଜୋଫ୍ରା ଆର୍ଚରଙ୍କ ସହ ଅନ୍ୟ ଦ୍ରୁତ ବୋଲରମାନେ ପ୍ରଭାବୀ ବୋଲିଂ କରିଥିଲେ।

୧୫୯ ରନ୍ ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ପାଇଁ ସହଜ ହେବ ବୋଲି ଆଶା କରାଯାଉଥିଲା। ପାୱାର ପ୍ଲେ ଭିତରେ କିନ୍ତୁ ଦଳର ୩ ବିଦେଶୀ ଖେଳାଳି ବେନ୍ ଷ୍ଟୋକ୍ସ, ଷ୍ଟିଭ୍ ସ୍ମିଥ୍, ଜୋସ୍ ବଟ୍ଟଲର୍‌ ପ୍ୟାଭିଲିଅନ୍ ଫେରିଯାଇଥିଲେ। ପ୍ରଥମ ମ୍ୟାଚ୍‌ ଖେଳୁଥିବା ବେନ ‌ଷ୍ଟୋକ୍ସ ୬ ବଲ୍‌ରୁ ୫ ରନ୍ କରି ଖଲିଲ୍‌ ଅହମ୍ମଦଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ବଟ୍ଟଲରଙ୍କୁ ବି ଖଲିଲ୍ ଆଉଟ୍ କରିଥିଲେ। ସ୍ମିଥ୍‌ କିନ୍ତୁ ରନ୍‌ ଆଉଟ୍ ହୋଇଯାଇଥିଲେ। ୨୬/୩ରେ ସଂଘର୍ଷ କରୁଥିବା ରାଜସ୍ଥାନ ରୟାଲ୍ସ ପାଳିକୁ ସଂଜୁ ସାସମନ୍ ଏବଂ ରବିନ୍ ଉଥପ୍ପା ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଉଭୟଙ୍କୁ ଆଫଗାନିସ୍ତାନ ସ୍ପିନର୍‌ ରସିଦ୍ ଖାନ୍‌ ଆଉଟ୍ କରିବା ପରେ ରୟାଲ୍ ଆଶା ମଉଳିଯାଉଥିଲା। ରାହୁଲ ତିୱାତିଆ (୪୫*, ୨୮ ବଲ) ଏବଂ ରିୟାନ୍ ପରାଗ କିନ୍ତୁ ସେମାନଙ୍କ ଯୋଜନା ମୁତାବକ ୧୬ ଓଭର ପରେ ଆକ୍ରମଣ ଆରମ୍ଭ କରି ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ଶେଷ କରି ଦେଇଥିଲେ। ଶେଷ ୨୩ ବଲ୍‌ରୁ ୫୮ ରନ୍ ଯୋଡ଼ି କଷ୍ଟସାଧ୍ୟ ଲାଗୁଥିବା ବିଜୟକୁ ଗୋଟିଏ ବଲ୍‌ ପୂର୍ବରୁ ସମ୍ଭବ କରିଥିଲେ। ଆକର୍ଷଣୀୟ ୪୫ ରନ୍ କରିଥିବାରୁ ରାହୁଲ ତିୱାତିଆ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବ‌ିବେଚିତ ହୋଇଥିଲେ।

ଶେଷ ଓଭରରେ ବୋଲିବାଣି ଓ ବିହୁ
ଶେଷ ଓଭରରୁ ରୟାଲ୍ସକୁ ମାତ୍ର ୮ ରନ୍ ଆବଶ୍ୟକ ଥିଲା। ଖଲିଲ୍ ଅହମ୍ମଦଙ୍କୁ ବାଉଣ୍ଡାରି ମାରିବା ଉଭୟ ତିୱାତିଆ ଓ ପରାଗଙ୍କ ପାଇଁ ସହଜ ହୋଇନଥିଲା। ତେବେ ଅଫଷ୍ଟମ୍ପ ବାହାରେ ପଡ଼ିଥିବା ପଞ୍ଚମ ବଲ୍‌କୁ ଛକା ମାରି ପରାଗ ମ୍ୟାଚ୍‌ ଶେଷ କରିଥିଲେ। ଏଥି ସହ ଏହି ୧୯ ବର୍ଷୀୟ ଆସାମି ଯୁବକ ସାମୟିକ ଭାବେ ବିହୁ ନୃତ୍ୟ ବି କରିଥିଲେ। ମ୍ୟାଚ୍‌ ଶେଷ ହେବା ପୂର୍ବରୁ କିନ୍ତୁ କିଛି ସମୟ ଉତ୍ତେଜକ ମୁହୂର୍ତ ନଜରକୁ ଆସିଥିଲା। ତିୱାତିଆ ଏବଂ ଖଲିଲଙ୍କ ମଧ୍ୟରେ ‌କିଛି ବୋଲିବାଣି ହେବାରୁ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ମ୍ୟାଚ୍‌ ଶେଷ ହେବା ପରେ ମଧ୍ୟ ଏହି ବାକବିତଣ୍ଡା ଲାଗି ରହିଥିଲା। ତଥାପି ଖଲିଲ୍ ଶାନ୍ତ ହୋଇ ତିୱାତିଆଙ୍କ କାନ୍ଧରେ ହାତ ପକାଇ ବୁଝାଉଥିଲେ। ଏସଆର୍‌ଏଚ୍‌ ଅଧିନାୟକ ଡେଭିଡ୍ ୱାର୍ନର ବି ଅସନ୍ତୁଷ୍ଟ ଥିବାରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର