ସମ୍ବଲପୁର: ଟାଟା ଫୁଟବଲ ଏକାଡେମି (ଟିଏଫ୍‌ଏ) ପକ୍ଷରୁ ସ୍ଥାନୀୟ ଭିଏସ୍‌ଏସ୍‌ ଷ୍ଟାଡିୟମରେ ଦୁଇଦିନିଆ ପ୍ରତିଭା ଚୟନ ଶିବିର ଆରମ୍ଭ ହୋଇଛି। ସୋମବାର ଶିବିରର ପ୍ରଥମ ଦିନରେ ଏଥିରେ ୧୨୭ ଜଣ ଯୁବ ଫୁଟବଲର ଭାଗ ନେଇଥିଲେ। ଉଚ୍ଚତା, ଓଜନ ଓ ଅନ୍ୟ ଶାରୀରିକ ଯୋଗ୍ୟତା ଥିବା ଖେଳାଳିଙ୍କର ଏକାଧିକ ପର୍ଯ୍ୟାୟରେ ଶାରୀରିକ କ୍ଷମତା, ବୈଷୟିକ ଦକ୍ଷତା ଓ ଖେଳ କୌଶଳର ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ୪୦ ଜଣ ପିଲାଙ୍କୁ ସଂକ୍ଷିପ୍ତ ତାଲିକାରେ ରଖାଯାଇଛି। ମଙ୍ଗଳବାର ଶିବିରର ଦ୍ୱିତୀୟ ଦିନରେ ନୂଆ ଆସିଥିବା ଖେଳାଳିଙ୍କ ପ୍ରାଥମିକ ପରୀକ୍ଷା ପରେ ସଂକ୍ଷିପ୍ତ ତାଲିକାକୁ ଉନ୍ନୀତ ଖେଳାଳିଙ୍କ ସହ ପୂର୍ବରୁ ମନୋନୀତ ୪୦ ଖେଳାଳିଙ୍କର ଚୂଡ଼ାନ୍ତ ପର୍ଯ୍ୟାୟ ପରୀକ୍ଷା କରାଯିବ। ସେମାନଙ୍କ ମଧ୍ୟରୁ ମନୋନୀତ ପ୍ରତିଭାମାନେ ଏପ୍ରିଲରେ ଜାମସେଦପୁରସ୍ଥିତ ଟାଟା ଫୁଟବଲ ଏକାଡେମିରେ ହେବାକୁ ଥିବା ୭ ଦିନିଆ ତାଲିମ ଶିବିରରେ ଦେଶର ଅନ୍ୟ ପ୍ରାନ୍ତରୁ ବଛା ହୋଇ ଆସିଥିବା ଖେଳାଳିଙ୍କ ସହ ପ୍ରଶିକ୍ଷଣର ସୁଯୋଗ ପାଇବେ।

Advertisment

ଉକ୍ତ ଶିବିରରୁ ୨୦ ଜଣ (ସାରା ଦେଶରୁ) ପ୍ରତିଭାବାନ ଖେଳାଳିଙ୍କୁ ଟାଟା ଫୁଟବଲ ଏକାଡେମିରେ ରହି ପେସାଦାର ଫୁଟବଲ ତାଲିମ ନେବାର ସୁଯୋଗ ମିଳିବ ବୋଲି ଟିଏଫ୍‌ଏର ପ୍ରଶିକ୍ଷକ ଅକ୍ଷୟ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ପ୍ରସନ୍ନ ଦାସ, ସଂଜୟ ଦାସ, ସ୍ୱର୍ଗତ ସେକ ହୀରା, ମହମ୍ମଦ ଇମ୍‌ତିଆଜ, ମହମ୍ମଦ ମୁସ୍ତାକିନ, ପଙ୍କଜ ସୋନା, ରଜତ ନାଗ, ସେକ ରୋହିତ ପ୍ରମୁଖ ଟିଏଫ୍‌ଏରୁ ସ୍ଥାୟୀ ତାଲିମ ନେବାର ସୁଯୋଗ ପାଇଛନ୍ତି। ସେହିପରି ଟିଏଫ୍‌ଏରେ ପ୍ରଶିକ୍ଷକ ଥିବା ଅକ୍ଷୟ ଦାସ ପ୍ରଥମ ଓଡ଼ିଆଭାବେ ରାଜ୍ୟ ବାହାର କୌଣସି ଏକାଡେମିରେ ତାଲିମ ପ୍ରଦାନ କରୁଛନ୍ତି। ଭିଏସ୍‌ଏସ୍‌ ଷ୍ଟାଡିୟମରେ ଚାଲିଥିବା ଦୁଇଦିନିଆ ଚୟନ ଶିବିରକୁ ଶ୍ରୀ ଦାସ ପରିଚାଳନା କରୁଥିଲାବେଳେ ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘର ଫୁଟବଲ ସଂପାଦକ ଅବଦୁଲ ଗଫର ଉପସ୍ଥିତ ଥିଲେ।