ଚତୁର୍ଥ ଥର ଶୃଙ୍ଖଳାର ପ୍ରଥମ ମ୍ୟାଚ

ବାରବାଟୀ ଟେ୍ଵଣ୍ଟି-୨୦: ଆଉ ୭ ଦିନ

କଟକ: କୌଣସି ଷ୍ଟାଡିୟମରେ ଶୃଙ୍ଖଳାର ପ୍ରଥମ କିମ୍ବା ଫାଇନାଲ୍‌ ମ୍ୟାଚ ଖେଳାଗଲେ ତାହା ସଂପୃକ୍ତ ସଂଘ ପାଇଁ ଗୌରବ ଭାବେ ବିବେଚନା କରାଯାଏ। ଇଡେନ୍‌ ଗାର୍ଡେନ୍‌, ଓ୍ଵାଙ୍ଖଡେ, ଫିରୋଜ୍‌ସାହା କୋଟଲା ଇତ୍ୟାଦି ଷ୍ଟାଡିୟମ ଏଭଳି ଅନେକ ଗୌରବ ହାସଲ କରିସାରିଲେଣି। ବାରବାଟୀ ଷ୍ଟାଡିୟମରେ ମଧ୍ୟ ପୂର୍ବରୁ ତିନିଥର ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯାଇଛି। ୨୦୦୦ ମସିହା ଡିସେମ୍ବର ୨ ତାରିଖରେ ଭାରତ ଓ ଜିମ୍ବାେଓ୍ଵ ମଧ୍ୟରେ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯାଇଥିଲା। ମ୍ୟାଚକୁ ଘରୋଇ ଦଳ ୩ ଓ୍ଵିକେଟରେ ଜିତିଯାଇଥିଲା। ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୫୩ ରନ୍‌ ସଂଗ୍ରହ କରିଥିଲା। ଆଲିଷ୍ଟର କ୍ୟାମ୍ପବେଲ୍‌ ୬୮ ଓ ଷ୍ଟୁଆର୍ଟ କାର୍ଲିସଲ୍‌ ୯୧ ରନ୍‌ କରିଥିଲେ। ତେବେ ଘରୋଇ ଦଳ ପକ୍ଷରୁ ସୌରଭ ଗାଙ୍ଗୁଲି (୪୪) ଓ ସଚିନ ତେନ୍ଦୁଲକର (୪୪)ଙ୍କ ମଜବୁତ୍‌ ମୂଳଦୁଆ ସହିତ ହେମାଙ୍ଗ ବଦାନିଙ୍କ (୫୮) ମ୍ୟାଚ ବିଜୟୀ ଅର୍ଧଶତକୀୟ ପାଳି ଯୋଗୁଁ ଭାରତ ୪୭.୨ ଓଭରରେ ମ୍ୟାଚ ଜିତିଯାଇଥିଲା।

୨୦୧୧ ମସିହାରେ ଓ୍ଵଷ୍ଟଇଣ୍ଡିଜ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବାକୁ ଭାରତ ଆସିଥିଲାବେଳେ ବାରବାଟୀରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚକୁ ମଧ୍ୟ ଭାରତ ୧ ଓ୍ଵିକେଟରେ ଜିତିଥିଲା। ଡାରେନ୍‌ ସାମିଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୨୧୧ ରନ୍‌ ସଂଗ୍ରହ କରିଥିଲା। ଡେ୍ଵନ୍‌ ବ୍ରାଭୋ (୬୦)ଙ୍କୁ ଛାଡ଼ିଦେଲେ ଅନ୍ୟକେହି ବଡ଼ ରନ୍‌ କରିପାରିନଥିଲେ। ତଥାପି ଏହି ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କେବଳ ମଧ୍ୟକ୍ରମରେ ରୋହିତ ଶର୍ମା (୭୨) ଓ ରବୀନ୍ଦ୍ର ଜାଦେଜା (୩୮) ଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟରେ ୮୩ରନ୍‌ ସଂଗ୍ରହ ହେବା ସହ ଭାରତକୁ ବିଜୟର ନିକଟତର କରିଥିଲେ। କିନ୍ତୁ ଜାଦେଜା ଆଉଟ ହେବା ପରେ ରୋହିତ୍‌ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ଦଳକୁ ବିଜୟ ପଥରେ ପହଞ୍ଚାଇବା ପରେ ଆଉଟ ହୋଇଥିଲେ। ବରୁଣ ଆରୋନ୍‌ (୬*) ଓ ଉମେଶ ଯାଦବ (୬*) ୭ ବଲ୍‌ ପୂର୍ବରୁ ମ୍ୟାଚ ଜିତାଇଥିଲେ।

୨୦୧୪ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୫ ମ୍ୟାଚ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯାଇଥିଲା। ମ୍ୟାଚରେ ଅଜିଙ୍କ୍ୟ ରାହାଣେ (୧୧୧) ଓ ଶିଖର ଧାଓ୍ଵନ (୧୧୩) ଓ ସୁରେଶ ରାଇନା (୫୨)ଙ୍କ ଧୂଆଁଧାର ଆରମ୍ଭ ଯୋଗୁଁ ଭାରତ ୩୬୩ରନ୍‌ର ବିଶାଳ ସ୍କୋର ଛିଡ଼ା କରିପାରିଥିଲାବେଳେ ଶ୍ରୀଲଙ୍କାକୁ ୧୯୪ ରନ୍‌ରେ ସୀମିତ ରଖିଥିଲା। ଈଶାନ୍ତ ଶର୍ମା, ଉମେଶ ଯାଦବ, ଅକ୍ଷର ପଟେଲ୍‌ ଶ୍ରୀଲଙ୍କାର ବ୍ୟାଟିଂକ୍ରମକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ଡିସେମ୍ବର ୨୦ରେ ଏହି ଦୁଇ ଦଳଙ୍କ ମଧ୍ୟରେ ପୁଣି ଥରେ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। କିନ୍ତୁ ଏଥରର ସ୍ଥିତିରେ ଅନେକ ପରିବର୍ତ୍ତନ ରହିଛି। ବର୍ତ୍ତମାନ ୨୦ ଓଭର ଫର୍ମାଟ୍‌ରେ ଅଧିକ ରନ୍‌ ବର୍ଷାର ଅନୁମାନ କରାଯାଇପାରେ। ଅବଶ୍ୟ ପ୍ରଥମ ଦିନିକିଆ ପରେ କ୍ରିକେଟପ୍ରେମୀ ସାମାନ୍ୟ ନିରାଶ ରହିଛନ୍ତି, ତଥାପି ଆହୁରି ଦୁଇଟି ଦିନିକିଆ ମ୍ୟାଚର ଫଳାଫଳ ଉପରେ ବାରବାଟୀ ରୋମାଞ୍ଚ ନିର୍ଭର କରିବ।

ସମ୍ବନ୍ଧିତ ଖବର