ଗୁମ୍ଫାରୁ ଉଦ୍ଧାର ଥାଇ ଦଳକୁ ଫ୍ରାନ୍ସ ବିଜୟ ଉତ୍ସର୍ଗ

ସେଣ୍ଟପିଟର୍ସବର୍ଗ: ବେଲଜିୟମ ବିପକ୍ଷ ସେମିଫାଇନାଲ ବିଜୟକୁ ଫ୍ରାନ୍ସ ମଧ୍ୟଭାଗ ଖେଳାଳି ପଲ୍‌ ପଗବା ଦୀର୍ଘ ୧୮ ଦିନ କାଳ ଗୁମ୍ଫାରେ ରହି ମଙ୍ଗଳବାର ଉଦ୍ଧାର ପାଇଥିବା ଥାଇଲାଣ୍ଡ ଫୁଟବଲ୍‌ ଦଳକୁ ଉତ୍ସର୍ଗ କରିଛନ୍ତି। ଏହି ୧୨ ଜଣିଆ ଫୁଟବଲ୍‌ ଦଳର ଶେଷ ପାଞ୍ଚ ଜଣ ସଦସ୍ୟଙ୍କୁ ମଙ୍ଗଳବାର ଉଦ୍ଧାର କରାଯିବା ପରେ ସାରା ବିଶ୍ୱରେ ଖୁସିର ଲହରି ଖେଳି ଯାଇଥିଲା। ଅନ୍ଧାରରେ ସଂକୀର୍ଣ୍ଣ ଗଳି ଏବଂ ଜଳ ଭର୍ତି ଗୁମ୍ଫାକୁ ପାର କରି ବିଦେଶୀ ବୁଡ଼ାଳି ଏବଂ ଥାଇଲାଣ୍ଡ ନୌସେନାର କମାଣ୍ଡୋମାନେ ଏହି ପିଲାମାନଙ୍କ ସହ ସେମାନଙ୍କ ପ୍ରଶିକ୍ଷକଙ୍କୁ ବହୁକଷ୍ଟରେ ଉଦ୍ଧାର କରିଥିଲେ। ଏପରିକି ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଜଣେ ନୌସେନା କମାଣ୍ଡୋଙ୍କର ମୃତ୍ୟୁ ବି ହୋଇ ଯାଇଥିଲା। ସେଣ୍ଟପିଟର୍ସ ବର୍ଗରେ ବେଲଜିୟମକୁ ହରାଇ ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ବିଶ୍ୱକପର ଫାଇନାଲକୁ ଯିବା ପରେ ପୋଗବା ଟ୍ଵିଟ୍‌ କରି ଥାଇଲାଣ୍ଡ ଦଳକୁ ନିଜ ବିଜୟ ଉତ୍ସର୍ଗ କରିଥିଲେ। ସେ ଲେଖିଥିଲେ ଏହି ବିଜୟ ଆଜିର ନାୟକଙ୍କୁ ଉତ୍ସର୍ଗ। ପିଲାମାନେ ତୁମେ ବହୁତ ଭଲ କଲ। ତୁମେମାନେ ବହୁତ ଶକ୍ତିିଶାଳୀ। ଏହା ପୂର୍ବରୁ ଫିଫା ସଭାପତି ଜିଆନି ଉନଫାଣ୍ଟିନୋ ଏହିପିଲାମାନଙ୍କୁ ବିଶ୍ୱକପ୍‌ ଫାଇନାଲ୍‌ ଦେଖିବାକୁ ନିମନ୍ତ୍ରଣ କରିଥିଲେ। ତେବେ ସ୍ୱାସ୍ଥ୍ୟଗତ କାରଣ ପାଇଁ ସେମାନେ ରୁଷିଆ ଆସି ପାରିବେ ନାହିଁ ବୋଲି ପରେ ସୂଚନା ଦେଇଥିଲେ।

ଫାଇନାଲ୍‌ ଦେଖି ପାରିବେନି
ଥାଇଲାଣ୍ଡର ୧୨ ଜଣିଆ ଫୁଟବଲ୍‌ ଦଳ ସେମାନଙ୍କ ପ୍ରଶିକ୍ଷକଙ୍କ ସହ କାଳ ଗୁମ୍ପାରୁ ଉଦ୍ଧାର ପାଇବା ପରେ ଫିଫା ଖୁସି ଜାହିର କରିଛି। ହେଲେ ଗୁମ୍ଫା ଭିତରେ ଦୀର୍ଘ ୧୮ ଦିନ କାଳ ରହି ମାତ୍ରାଧିକ ଦୁର୍ବଳ ହୋଇ ଯାଇଥିବାରୁ ସେମାନେ ବିଶ୍ୱକପ୍‌ ଫାଇନାଲରେ ଯୋଗ ଦେଇ ପାରିବେ ନାହିଁ ବୋଲି କହିଛନ୍ତି। ପୂର୍ବରୁ ଉଦ୍ଧାର ପାଇବା ପରେ ମସ୍କୋ ଆସି ବିଶ୍ୱକପର ଫାଇନାଲ୍‌ ଦେଖିବାକୁ ଫିଫା ସଭାପତି ଜିଆନି ଉନଫାଣ୍ଟିନୋ ଏହି ପିଲାମାନଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱାସ୍ଥ୍ୟଗତ କାରଣ ପାଇଁ ଏହି ପିଲାମାନେ ସଂପ୍ରତି ମସ୍କୋର ଯାତ୍ରା କରିବା ସ୍ଥିତିରେ ନଥିବା ଜଣା ପଡ଼ିଛି। ଫିଫା ମୁଖପାତ୍ର ଏଥିନେଇ କହିଛନ୍ତି ଯେ ଏହି ଅଭିଯାନରେ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ହେଉଛି ଫିଫାର ପ୍ରାଥମିକତା। ଆମେ ଫିଫା ପ୍ରତିଯୋଗିତା ଦେଖିବା ଲାଗି ଏମାନଙ୍କୁ ଭବିଷ୍ୟତରେ ପୁଣି ଥରେ ନିମନ୍ତ୍ରଣ କରିବୁ। ସୂଚନାଯୋଗ୍ୟ ଯେ ଥାଇଲାଣ୍ଡର ୧୧ରୁ ୧୬ ବର୍ଷ ବୟସର ୧୨ ଜଣ ଫୁଟବଲର ଜୁନ୍‌ ୨୩ ତାରିଖରେ ନିଜ ପ୍ରଶିକ୍ଷକଙ୍କ ସହ ଗୁମ୍ଫା ଦେଖିବାକୁ ଯାଇଥିଲେ। ହେଲେ ପ୍ରବଳ ବର୍ଷା ପରେ ଗୁମ୍ଫା ବାଟ କାଦୁଅ ଏବଂ ପାଣିରେ ଭର୍ତି ହୋଇଯିବା ପରେ ସେଠାରେ ଫସି ଯାଇଥିଲେ।

ସମ୍ବନ୍ଧିତ ଖବର