ଥାଇଲାଣ୍ଡ ଓପନ୍‌ : ଅଲିମ୍ପିକ୍‌ ରୌପ୍ୟ ବିଜେତାଙ୍କୁ ହରାଇଲେ ସାତ୍ବିକ-ଅଶ୍ବିନୀ

ବ୍ୟାଙ୍କକ୍ : ଭାରତୀୟ ମିଶ୍ରିତ ଯୁଗଳ ଯୋଡ଼ି ସାତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୁନପ୍ପା ବୁଧବାର ଜୀବନର ବଡ଼ ବିଜୟ ପାଇଛନ୍ତି। ଏହି ଭାରତୀୟ ଯୋଡ଼ି ଚଳିତ ଥାଇଲାଣ୍ଡ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଅଲିମ୍ପିକ୍‌ ରୌପ୍ୟ ବିଜେତା ଚାନ୍‌ ପେଙ୍ଗ ସୁନ୍‌ ଓ ଗୋ ଲିଉ ୟିଙ୍ଗ୍‌ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ୨୩ ମାନ୍ୟତାପ୍ରାପ୍ତ ସାତ୍ବିକ-ଅଶ୍ବିନୀ ୨୧-୧୮, ୧୮-୨୧, ୨୧-୧୭ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଏହି ମାଲେସିଆ ଯୋଡ଼ିଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଥିଲେ। ସେହିଭଳି ପ୍ରଣବ ଜେରି ଚୋପ୍ରା ଓ ଏନ୍‌ ସିକ୍କି‌ ରେଡ୍ଡୀ ୨୧-୧୬, ୨୧-୧୩ରେ ଜାପାନର କୋହୋଇ ଗୋଣ୍ଡୋ ଓ ଆଇନେ କୁରୁହିରାଙ୍କୁ ହରାଇଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ସାତ୍ବିକ-ଅଶ୍ବିନୀ ଇଣ୍ଡୋନେସିଆର ଅଲ୍‌ଫିଆନ୍‌ ଇକୋ ପ୍ରାସିତ୍ୟା-ମାର୍ସିଲା ଗିଶ୍ଚାଙ୍କୁ ଏବଂ ପ୍ରଣବ-ସିକ୍କି ହଂକଂର ଟାଙ୍ଗ୍‌ ଚୁନ୍‌ ମାନ୍‌-ସି ୟିଙ୍ଗ୍‌ ସୁଏଟ୍‌ଙ୍କୁ ଭେଟିବେ।

ପୁରୁଷ ଏକକରେ ପଞ୍ଚମ ମାନ୍ୟତାପ୍ରାପ୍ତ କିଦାମ୍ବି ଶ୍ରୀକାନ୍ତ ୨୧-୧୩, ୧୭-୨୧, ୨୧-୧୯ରେ ଚୀନ୍‌ର ରେନ୍‌ ପେଙ୍ଗ ବୋଙ୍କୁ, ଏଚ୍‌ଏସ୍‌ ପ୍ରଣୟ ୨୧-୧୬, ୨୨-୨୦ରେ ହଂକଂର ୱଙ୍ଗ୍‌ ୱିଙ୍ଗ୍‌ କି ଭିନ୍‌ସେଟ୍‌ଙ୍କୁ, ପରୁପଲ୍ଲୀ କାଶ୍ୟପ ୧୮-୨୧, ୨୧-୮, ୨୧-୧୪ରେ ମିସା ଜିଲବର୍ମନଙ୍କୁ ଏବଂ ବି ସାଇ ପ୍ରଣିତ ୧୭-୨୧, ୨୧-୧୭, ୨୧-୧୫ରେ ଥାଇଲାଣ୍ଡର କାନ୍ତାଫୋନ ୱାଙ୍ଗଚାରେନ୍‌ଙ୍କୁ ହରାଇ ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିଛନ୍ତି। ସେହିପରି ମହିଳା ଏକକରେ ସପ୍ତମ ମାନ୍ୟତାପ୍ରାପ୍ତ ସାଇନା ନେହୱାଲ ୨୧-୧୭, ୨୧-୧୯ରେ ଥାଇଲାଣ୍ଡର ଫିତାୟାପର୍ନ ଚାଇୱାନ୍‌ଙ୍କୁ ପରାସ୍ତ କରିଥିଲେ। ତେବେ ପୁରୁଷ ଏକକରେ ସୌରଭ ବର୍ମା ଏବଂ ସମୀର ବର୍ମାଙ୍କ ସହ ମହିଳା ଏକକରେ ସାଇ ଉତ୍ତେଜିତା ରାଓ ଚୁକା ନିଜ ନିଜ ମ୍ୟାଚ୍‌ ହାରି ପ୍ରଥମ ପ୍ରର୍ଯ୍ୟାୟରୁ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର