ଥାଇଲାଣ୍ଡ୍‌ ଓପନ୍‌ ମୁଷ୍ଟିଯୁଦ୍ଧ କ୍ବାର୍ଟରରେ ୭ ଭାରତୀୟ

ନୂଆଦିଲ୍ଲୀ: ଥାଇଲାଣ୍ଡ୍‌ ଓପନ୍‌ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ୭ ଭାରତୀୟ ସ୍ଥାନ ପକ୍କା କରିଛନ୍ତି। ଏସୀୟ ପ୍ରତିଯୋଗିତାର ରୌପ୍ୟ ବିଜେତା ଦୀପକ (୪୯) କେଜି ଓ ଆଶିଷ କୁମାର (୭୫ କେଜି) ଏବଂ କାଂସ୍ୟ ବିଜେତା ମନୀଷା ମୌନ୍‌ (୫୭ କେଜି), ଷ୍ଟ୍ରାଞ୍ଜା କପ୍‌ ସ୍ବର୍ଣ୍ଣ ବିଜେତା ନିଖତ୍‌ ଜାରିନ୍‌ (୫୧ କେଜି) ଓ ରୌପ୍ୟ ବିଜେତା ମଞ୍ଜୁ ରାଣୀ (୪୮ କେଜି), ଇଣ୍ଡିଆ ଓପନ୍‌ ରୌପ୍ୟ ବିଜେତା ବ୍ରିଜେଶ୍‌ ଯାଦବ (୮୧ କେଜି) ଦମ୍‌ଦାର ପ୍ରଦର୍ଶନ ସହ କ୍ବାର୍ଟର ଫାଇନାଲ୍‌ ପ୍ରବେଶ କରିଥିଲା ବେଳେ ଭାଗ୍ୟବତୀ କଚାରି ମହିଳା ୭୫ କେଜି ବର୍ଗରେ ପ୍ରଥମ ରାଉଣ୍ଡ ବାଇ ପାଇ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଦୀପକ ୫-୦ରେ ମରକ୍କୋର ସାଇଦ୍‌ ମୁର୍ତାଜୀଙ୍କୁ, ଆଶିଷ ୪-୧ରେ ଥାଇଲାଣ୍ଡର ଅପିସିତ୍‌ ଖାନ୍‌ଖୋକ୍କରୁଆଙ୍କୁ, ମନୀଷା ୫-୦ରେ ଶ୍ରୀଲଙ୍କାର ସାଜୀବନୀ ଶ୍ରୀମାଲିଙ୍କୁ, ନିଖାତ ୫-୦ରେ ଅଷ୍ଟ୍ରେଲିଆର ତାସ୍‌ମିନ୍‌ ବେନିଙ୍କୁ, ମଞ୍ଜୁ ୫-୦ରେ ଲାଓସ୍‌ର ଚାଣ୍ଟିଲାତ୍‌ ଦାଓମାୟୁଲିଙ୍କୁ ଏବଂ ବ୍ରିଜେଶ୍‌ ୫-୦ରେ କ୍ରୋଏସିଆର ମାତେଜ୍‌ ଉରେମୋଭିକ୍‌ଙ୍କୁ ପରାସ୍ତ କରିଥିଲେ। ଏହି ପ୍ରତିଯୋଗିତାରେ ୩୭ ରାଷ୍ଟ୍ରରୁ ମୋଟ ୨୪୭ ମୁଷ୍ଟିଯୋଦ୍ଧା ଅଂଶ ଗ୍ରହଣ କରିଛନ୍ତି। ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତରୁ ୫ ମହିଳା ଓ ୬ ପୁରୁଷ ଯୋଦ୍ଧା‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।

ସମ୍ବନ୍ଧିତ ଖବର