ଭୁବନେଶ୍ବର: ଥାଇଲାଣ୍ଡର ପଟାୟାରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତ ଏକକ ଓ ମିଶ୍ରିତ ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛନ୍ତି। ଗୁରୁବାର ଏକକ ବର୍ଗ ତୃତୀୟ ଗ୍ରୁପ୍‌ ମ୍ୟାଚ୍‌ରେ ମେକ୍ସିକୋର ଆଞ୍ଜେଲ ଗାବ୍ରିଏଲ ଗୋମେଜଙ୍କୁ ୨୧-୧୪ ଓ ୨୧-୮ରେ ପରାସ୍ତ କରି ପ୍ରମୋଦ ପ୍ରିକ୍ବାଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିବା ପାଇଁ ତାଙ୍କୁ ଚୀନ୍‌ର ଚେନ୍‌ ଜିଆଓୟୁଙ୍କ ସହ ମୁକାବିଲା କରିବାକୁ ପଡ଼ିବ। ଅନ୍ୟପକ୍ଷରେ ମନୀଷା ରାମଦାସଙ୍କୁ ସାଥୀ କରି ମିଶ୍ରିତ ଯୁଗଳରେ ପ୍ରମୋଦ ୟୁକ୍ରେନ୍‌ ଯୋଡ଼ି ଓଲେକ୍‌ଜାନ୍ଦ୍ର ଚିର୍କୋଭ୍‌-ଈଭାନା ରେଦ୍‌କାଙ୍କୁ ୨୧-୧୨ ଓ ୨୧-୧୪ରେ ପରାସ୍ତ କରି ପ୍ରିକ୍ବାର୍ଟରରେ ପହଞ୍ଚିଯାଇଛନ୍ତି।