ଭୁବନେଶ୍ବର: ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡର ପଟାୟାରେ ଆୟୋଜିତ ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ମଙ୍ଗଳବାର ପ୍ରମୋଦ ଖେଳିଥିବା ୩ଟି ଯାକ ବର୍ଗ (ଏକକ, ମିଶ୍ରତ ଓ ପୁରୁଷ ଯୁଗଳ)ରେ ବିଜୟୀ ହୋଇଛନ୍ତି। ପୁରୁଷ ଏକକରେ ସେ ୨୧-୧୨, ୨୧-୧୨ରେ ଇଂଲଣ୍ଡର ୱିଲିୟମ ସ୍ମିଥ୍ଙ୍କୁ ପରାସ୍ତ କରିଥିଲେ। ମିଶ୍ରିତ ଯୁଗଳରେ ସେ ଓ ତାଙ୍କ ସାଥୀ ମନୀଷା ରାମଦାସ ୨୧-୧୨, ୨୧-୧୧ରେ ଚୀନ୍ ଯୋଡ଼ି ଜିଓଙ୍ଗ ଲିଚୁଆଁ ଓ ଲି ଟଙ୍ଗଟଙ୍ଗଙ୍କୁ ହରାଇଥିଲେ।
ପୁରୁଷ ଯୁଗଳରେ ସୁକାନ୍ତ କଦମଙ୍କୁ ସହ ମିଶି ପ୍ରମୋଦ ୨୧-୧୭, ୨୧-୯ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ବିଟୁ କୁମାର ଓ ହେମନ୍ତ ଠାକୁରଙ୍କୁ ମାତ୍ ଦେଇଥିଲେ। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଅନ୍ୟ ଦୁଇ ଓଡ଼ିଶା ଖେଳାଳି ଦୀପ ରଂଜନ ବିଶୋଇ ଓ ଦିଲେଶ୍ବର ରାଓ ଏକକରେ ହାରିଯାଇଛନ୍ତି। ତେବେ ଦୀପ ରଂଜନ ପୁରୁଷ ଯୁଗଳରେ ମନୋଜ ସରକାରଙ୍କୁ ସାଥୀ କରି ୨୧-୧୦, ୨୦-୨୨, ୨୧-୧୨ରେ ଭାରତୀୟ ଯୋଡ଼ି ଉମେଶ ବିକ୍ରମ କୁମାର ଓ ସୁହାସ ଲାଲନାକେର ୟାଥିରାଙ୍କୁ ହରାଇଥିଲେ।