ଭୁବନେଶ୍ବର: ଓଡ଼ିଶାର ପ୍ରମୋଦ ଭଗତ ଥାଇଲାଣ୍ଡରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଏକକ ଓ ଯୁଗଳ ବର୍ଗ ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାର ଏକକ ସେମିଫାଇନାଲ୍ରେ ସେ ୨୧-୧୨, ୨୧-୧୯ରେ ଜାପାନ୍ର ଦାଇସୁକ ଫୁଜିହାରାଙ୍କୁ ପରାସ୍ତ କରିଥିଲେ। ଏହା ପୂର୍ବରୁ କ୍ବାର୍ଟରଫାଇନାଲ୍ରେ ପ୍ରମୋଦ ୨୧-୧୫, ୨୨-୨୦ରେ ୟୁକ୍ରେନର ଓଲେକସାଣ୍ଡର ଚିର୍କୋଭଙ୍କୁ ମାତ୍ ଦେଇ ସେମିଫାଇନାଲ୍ରେ ପହଞ୍ଚିଥିଲେ। ଫାଇନାଲ୍ରେ ସେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ଭେଟିବେ। ପୁରୁଷ ଯୁଗଳ ସେମିଫାଇନାଲ୍ରେ ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ୨୨-୨୪, ୨୧-୧୬, ୨୧-୧୩ରେ କୋରିଆର ଜୁ ଡୋଙ୍ଗଗାଏ ଓ ସିନ କ୍ୟୁଙ୍ଗ ହ୍ବାନ୍ଙ୍କୁ ହରାଇଥିଲେ।
ଏହା ପୂର୍ବରୁ ଖେଳାଯାଇଥିବା କ୍ବାର୍ଟରଫାଇନାଲ୍ରେ ଏହି ଭାରତୀୟ ଯୋଡ଼ି ୨୧-୧୫, ୨୧-୧୪ରେ ପେରୁର ରେଞ୍ଜୋ ଦିକ୍ବିଜ୍ ବାନ୍ସେସ୍ ମୋରାଲେସ ଓ ପେଡ୍ରୋ ପାବ୍ଲୋ ଡି’ଭିନାତିଆଙ୍କୁ ପରାସ୍ତ କରିଥିଲେ। ଫାଇନାଲ୍ରେ ପ୍ରମୋଦ-ସୁକାନ୍ତ ଅନ୍ୟ ଏକ ଭାରତୀୟ ଯୋଡ଼ି ତରୁଣ ଓ ନୀତେଶ କୁମାରଙ୍କୁ ଭେଟିବେ। ତେବେ ଏହି ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଶା ଖେଳାଳି ଦୀପ ରଂଜନ ବିଶୋଇ ପୁରୁଷ ଯୁଗଳ ସେମିଫାଇନାଲ୍ରେ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଛନ୍ତି। ଦୀପ ଓ ତାଙ୍କ ଭାରତୀୟ ସାଥୀ ମନୋଜ ସରକାର ସେମିଫାଇନାଲ୍ରେ ନୀତେଶ ଓ ତରୁଣଙ୍କଠୁ ୧୮-୨୧, ୧୦-୨୧ରେ ହାରିଯାଇଥିଲେ। ଏହା ପୂର୍ବରୁ କ୍ବାର୍ଟରଫାଇନାଲ୍ରେ ଦୀପ ଓ ମନୋଜ ୨୧-୧୮, ୨୧-୧୭ରେ ଇଣ୍ଡୋନେସିଆର ସ୍ବିୟୋକୋ ଓ ଫ୍ରେଡି ସେତିଆୱାନଙ୍କୁ ପରାସ୍ତ କରିଥିଲେ।