ଭୁବନେଶ୍ବର : ଥାଇଲାଣ୍ଡର ପଟାୟାରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମିଶ୍ରିତ ଯୁଗଳରୁ ବିଦାୟ ନେଇଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ମନୀଷା ରାମଦାସଙ୍କୁ ସାଥୀ କରି ମିଶ୍ରିତ ଯୁଗଳ ଖେଳୁଥିବା ପ୍ରମୋଦ ଶୁକ୍ରବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଇଣ୍ଡୋନେସିଆ ଯୋଡ଼ି ହିକ୍ମତ ରାମଦାନି ଓ ଲିଆନି ରାତ୍ରୀଙ୍କଠାରୁ ୧୦-୨୧ ଓ ୧୬-୨୧ରେ ହାରିଯାଇଛନ୍ତି। ତେବେ ପ୍ରମୋଦ ଏକକ ଏବଂ ଯୁଗଳରେ କ୍ବାର୍ଟର ଫାଇନାଲ୍ ସ୍ଥାନ ସୁରକ୍ଷିତ କରିଛନ୍ତି। ଶୁକ୍ରବାର ଏକକ ପ୍ରିକ୍ବାର୍ଟର ଫାଇନାଲ୍ ମୁକାବିଲାରେ ସେ ଚୀନ୍ର ଚେନ୍ ଜିଆଓୟୁଙ୍କୁ ସିଧାସଳଖ ୨୧-୧୧ ଓ ୨୧-୧୩ରେ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ପ୍ରମୋଦଙ୍କ ମୁକାବିଲା ୟୁକ୍ରେନ୍ର ଓଲେକ୍ଜାନ୍ଦ୍ର ଚିର୍କୋଭଙ୍କ ସହ ହେବ। ସେହିପରି ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ସିଧାସଳଖ କ୍ବାର୍ଟର ଫାଇନାଲ୍ ପ୍ରବେଶ କରିଛନ୍ତି।
ଯୁଗଳ କ୍ୱାର୍ଟରରେ ଦୀପରଞ୍ଜନ
ପ୍ରମୋଦଙ୍କ ଭଳି ଅନ୍ୟତମ ଓଡ଼ିଆ ତାରକା ଦୀପରଞ୍ଜନ ବିଶୋଇ ମଧ୍ୟ ଯୁଗଳ କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିଛନ୍ତି। ଶୁକ୍ରବାର ପ୍ରିକ୍ବାର୍ଟର ଫାଇନାଲ୍ରେ ଦୀପରଞ୍ଜନ ଓ ମନୋଜ ସରକାର ଯୋଡ଼ି ନିଜ ଦେଶ ଭାରତର ବିଟ୍ଟୁ କୁମାର ଓ ହେମନ୍ତ ଠାକୁର ଯୋଡ଼ିକୁ ୨୧-୬ ଓ ୨୧-୧୦ରେ ପରାସ୍ତ କରିଛନ୍ତି। କ୍ବାର୍ଟର ଫାଇନାଲ୍ରେ ଦୀପରଞ୍ଜନ-ମନୋଜଙ୍କ ମୁକାବିଲା ଇଣ୍ଡୋନେସିଆ ଯୋଡ଼ି ଦ୍ବିୟୋକୋ-ଫ୍ରେଡି ସିତିଆୱାନ୍ଙ୍କ ସହ ହେବ।