ଜୋହାନେସ୍ବର୍ଗ: ଶାର୍ଦୁଳ ଠାକୁରଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କାରଣରୁ ଭାରତ ୱଣ୍ଡରର୍ସ ଟେଷ୍ଟ୍ରେ ଚମତ୍କାର ପ୍ରତ୍ୟାବର୍ତନ କରିଛି। ବଡ଼ ଅଗ୍ରଣୀର ସମ୍ଭାବନା ସୃଷ୍ଟି କରିଥିବା ଦକ୍ଷିଣ ଆଫ୍ରିକାକୁ ୨୨୯ ରନ୍ରେ ରୋକିବାରେ ଶାର୍ଦୁଳ ମୁଖ୍ୟ ଭୂମିକା ନେଇଛନ୍ତି। ଫଳରେ ପ୍ରଥମ ପାଳିରେ ଘରୋଇ ଦଳକୁ ମାତ୍ର ୨୭ ରନ୍ ଅଗ୍ରଣୀ ମିଳିଛି। ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ବିତୀୟ ପାଳିରେ ୨ ୱିକେଟ୍ ହରାଇ ୮୫ ରନ୍ ସଂଗ୍ରହ କରିଥିବାରୁ ୫୮ ରନ୍ରେ ଆଗୁଆ ହୋଇଛି। ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍ (୮) ଏବଂ ମୟଙ୍କ ଅଗ୍ରୱାଲ୍ (୨୩) ଆଉଟ୍ ହୋଇଯାଇଥିବା ବେଳେ ଦୁଇ ଅଭିଜ୍ଞ ବ୍ୟାଟର୍ ଚେତେଶ୍ବର ପୂଜାରା (୩୫*, ୪୨ ବଲ୍, ୭ ଚୌକା) ଏବଂ ଅଜିଙ୍କ୍ୟ ରାହାଣେ (୧୧*, ୨୨ ବଲ୍, ୧ ଚୌକା) ଆଶାର କିରଣ ଦେଖାଇଛନ୍ତି। ମାତ୍ର ଦୁଇ ଦିନର ଖେଳରେ ୨୨ ୱିକେଟ୍ର ପତନ ମଧ୍ୟ ଏହି ଟେଷ୍ଟ୍ରୁ ଫଳାଫଳ ବାହାର କରିବାର ଢେର ପ୍ରତିଶ୍ରୁତି ରଖିଛି। ଠାକୁରଙ୍କ ୭ ୱିକେଟ୍ ସଫଳତା ହିଁ ଭାରତକୁ ସୁବର୍ଣ୍ଣ ସୁଯୋଗ ଦେଇଛି।
ମଙ୍ଗଳବାର ଦକ୍ଷିଣ ଆଫ୍ରିକା ପୂର୍ବ ଦିନର ସ୍କୋର୍ ୩୫/୧ରୁ ଖେଳିବା ଆରମ୍ଭ କରିଥିଲା। ସକାଳର ପ୍ରଥମ ୨୦ ଓଭର ଭାରତୀୟ ବୋଲର ୱିକେଟ୍ଶୂନ୍ୟ ରହିବା ପରେ ଦଳର ଚତୁର୍ଥ ଦ୍ରୁତ ବୋଲିଂ ବିକଳ୍ପ ଶାର୍ଦୁଳ ହିଁ ଠାକୁରଙ୍କ ଭଳି ସାହା ହୋଇଥିଲେ। ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏକ ଚମତ୍କାର ସ୍ପେଲ୍ର ୫ ଓଭର ଭିତରେ ଶାର୍ଦୁଳ ୩ ୱିକେଟ୍ ବାହାର କରିଥିଲେ। ଅଧିନାୟକ ଡିନ୍ ଏଲଗାର (୨୮, ୧୨୦ ବଲ୍)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳିକୁ ପନ୍ତ୍ଙ୍କ ଗ୍ଲୋଭ୍ସରେ କାବୁ କରିବା ପରେ ଅନ୍ୟତମ ସେଟ୍ ବ୍ୟାଟର୍ କିଗାନ ପିଟରସନ୍ (୬୨, ୧୧୮ ବଲ୍) ଏବଂ ରାଶି ଭାନ୍ ଡେର୍ ଦସେନ୍ (୧)ଙ୍କୁ ଯଥାକ୍ରମେ ସ୍ଲିପ୍ ଓ ୱିକେଟ୍ ପଛପଟେ କ୍ୟାଚ୍ କରାଇ ନେଇଥିଲେ। ଫଳରେ ଏକଦା ୮୮/୧ରେ ଥିବା ଦକ୍ଷିଣ ଆଫ୍ରିକା ୧୦୨/୪ରେ ସଂଘର୍ଷ କରିଥିଲା। ତେମ୍ବା ବଭୂମା ଆକର୍ଷଣୀୟ ଅର୍ଦ୍ଧଶତକ (୫୧, ୬୦ ବଲ୍) ହାସଲ କରିଥିଲେ ମଧ୍ୟ ଠାକୁରଙ୍କ ଉଭୟ ପାର୍ଶ୍ବ ସୁଇଙ୍ଗରୁ ବର୍ତ୍ତିପାରିନଥିଲେ। ନିମ୍ନକ୍ରମ ବ୍ୟାଟର୍ ଲଢ଼ିବାକୁ ଶତଚେଷ୍ଟା କରିଥିଲେ ମଧ୍ୟ ଠାକୁରଙ୍କ ସହ ସାମି ଓ ବୁମରା ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରି ଏହା କରାଇ ଦେଇନଥିଲେ। ଦକ୍ଷିଣ ଆଫ୍ରିକା ପାଳିରେ ଲଗାତାର ୫ ୱିକେଟ୍ ନେଇଥିବା ଠାକୁର ଶେଷ ୨ ୱିକେଟ୍ ସହ ଏହାକୁ ସ୍ମରଣୀୟ କରି ଦେଇଥିଲେ। ପୂର୍ବ ଦିନ ଆଘାତପ୍ରାପ୍ତ ମହମ୍ମଦ ସିରାଜ ମଙ୍ଗଳବାର ପ୍ରଥମରୁ ପଡ଼ିଆକୁ ଆସିଥିଲେ ମଧ୍ୟ ବୋଲିଂରେ ପ୍ରଭାବହୀନ ରହିବାରୁ ମାତ୍ର ୫ ଓଭର ପକାଇଥିଲେ। ଏହି ଅଭାବକୁ କିନ୍ତୁ ଠାକୁର ଅନୁଭବ କରିବାକୁ ଦେଇନଥିଲେ।
ଠାକୁରଙ୍କୁ ଶ୍ରେଷ୍ଠ ଚିତ୍ର
ଦ୍ରୁତ ବୋଲର ଶାର୍ଦୁଳ ଠାକୁର ନିଜ ପ୍ରଥମ ୫ ୱିକେଟ୍ ସଫଳତାକୁ ଦକ୍ଷିଣ ଆଫ୍ରିକା ମାଟିରେ ଶ୍ରେଷ୍ଠ ଭାରତୀୟ ବୋଲିଂ ଚିତ୍ର କରିବାରେ ସକ୍ଷମ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିକୁ କାଣ୍ଟଛାଣ୍ଟ କରିବାରେ ପ୍ରମୁଖ ଭୂମିକା ତୁଲାଇଥିବା ଶାର୍ଦୁଳ ମାତ୍ର ୬୧ ରନ୍ ବିନିମୟରେ ୭ ୱିକେଟ୍ ନେଇ ଅଧିନାୟକଙ୍କ ସ୍ବପ୍ନର ପ୍ରଦର୍ଶନ କରିଛନ୍ତି। ଠାକୁରଙ୍କ ୭/୬୧ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶ୍ରେଷ୍ଠ ଭାରତୀୟ ବୋଲିଂ ଚିତ୍ର। ଏପରିକି ଦକ୍ଷିଣ ଆଫ୍ରିକା ମାଟିରେ ମଧ୍ୟ ଶ୍ରେଷ୍ଠ ଭାରତୀୟ ବୋଲିଂ ପ୍ରଦର୍ଶନ। ୨୦୧୦-୧୧ ଦକ୍ଷିଣ ଆଫ୍ରିକା ଗସ୍ତରେ ହରଭଜନ ସିଂହ କେପ୍ଟାଉନ୍ରେ ୭/୧୨୦ ଚିତ୍ର ପାଇଥିଲେ। ଯାହାକୁ ଠାକୁର ମଙ୍ଗଳବାର ଅତିକ୍ରମ କରିଯାଇଥିଲେ। ସେହିଭଳି ଜୋହାନେସ୍ବର୍ଗରେ ଥିବା ପୂର୍ବ ଶ୍ରେଷ୍ଠ ଭାରତୀୟ ବୋଲିଂ ଚିତ୍ର ୬/୫୩ (ଅନିଲ କୁମ୍ବଲେ, ୧୯୯୨-୯୩)କୁ ମଧ୍ୟ ଶାର୍ଦୁଳ ପଛରେ ପକାଇଥିଲେ। ପୂର୍ବରୁ କୁମ୍ବଲେଙ୍କ ବ୍ୟତୀତ ଜଭାଗାଲ୍ ଶ୍ରୀନାଥ (୬/୭୬, ପୋର୍ଟ ଏଲିଜାବେଥ୍, ୨୦୦୧-୦୨) ଏବଂ ରବୀନ୍ଦ୍ର ଜାଦେଜା (୬/୧୩୮, ଡର୍ବାନ୍, ୨୦୧୩-୧୪) ମଧ୍ୟ ଦକ୍ଷିଣ ଆଫ୍ରିକାରେ ୬ ୱିକେଟ୍ ନେଇଥିଲେ। କମ୍ ରନ୍ ବ୍ୟୟ କରିଥିବାରୁ ଠାକୁରଙ୍କ ଚିତ୍ର ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୋଟ ଉପରେ ଶ୍ରେଷ୍ଠ ଭାରତୀୟ ବୋଲିଂ ପ୍ରଦର୍ଶନ ହୋଇଛି। ପୂର୍ବରୁ ଆର୍ ଅଶ୍ବିନ୍ (୭/୬୬, ନାଗପୁର, ୨୦୧୫-୧୬), ହରଭଜନ ସିଂହ ଦୁଇ ଥର (୭/୮୭, କୋଲକାତା, ୨୦୦୪-୦୫) ଏବଂ (୭/୧୨୦, କେପ୍ଟାଉନ୍, ୨୦୧୦-୧୧) ମଧ୍ୟ ୭ ୱିକେଟ୍ ସଫଳତା ପାଇଥିଲେ। ୧୯୯୨ ମସିହାରେ ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିବା ପରେ ୱଣ୍ଡରର୍ସରେ କିନ୍ତୁ ଠାକୁରଙ୍କ ଚିତ୍ର ଯୁଗ୍ମ ଶ୍ରେଷ୍ଠ। କାରଣ ୨୦୦୪-୦୫ରେ ଇଂଲଣ୍ଡର ମାଥ୍ୟୁ ହୋଗାର୍ଡ ମଧ୍ୟ ୭/୬୧ ବୋଲିଂ ଚିତ୍ର ପାଇଥିଲେ।