ଧନ୍ୟବାଦ ଭୁବନେଶ୍ବର, ଧନ୍ୟବାଦ ରାଉରକେଲା ଓ ଧନ୍ୟବାଦ ଓଡ଼ିଶା

ଭୁବନେଶ୍ବର: ଧନ୍ୟବାଦ ଭୁବନେଶ୍ବର…, ଧନ୍ୟବାଦ ରାଉରକେଲା…ଧନ୍ୟବାଦ ଓଡ଼ିଶା…ଏମିତି ୬ଟି ଶବ୍ଦ ଟ୍ବିଟ୍ କରି ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌) ଓଡ଼ିଶାକୁ କୃତଜ୍ଞତା ଜଣାଇଛି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଓଡ଼ିଆ ଭାଷାରେ ଏହି ଟ୍ବିଟ୍ କରିଛି ଏଫ୍‌ଆଇଏଚ୍‌। ଲଗାତାର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ୍‌ ଆୟୋଜନ କରି ଓଡ଼ିଶା ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟିଥିବା‌ ବେଳେ ଏହି ଖେଳର ବିଶ୍ବ ପରିଚାଳକ ଏଫ୍‌ଆଇଏଚ୍‌ ମଧ୍ୟ ଓଡ଼ିଶା ସରକାର ଏବଂ ଏହାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ବିଶେଷ ଭାବେ ଋଣୀ ବୋଲି ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ବରରେ ହକି ବିଶ୍ବକପ୍‌ର ୧୪ତମ ସଂସ୍କରଣ ଖେଳାଯାଇଥିବାବେଳେ ଆଉ ଏକ ସଫଳ ଅଧ୍ୟାୟ ସଂଯୋଗ କରି ଓଡ଼ିଶା ୨୦୨୩ ସଂସ୍କରଣକୁ ମଧ୍ୟ ସଫଳତାର ସହ ସମାପନ କରିଛି। ପ୍ରଥମ ଥର ପାଇଁ ମଧ୍ୟ ଏକ ହକି ବିଶ୍ବକପ୍‌ ଦୁଇଟି ସହରରେ ଖେଳାଯାଇଥିଲା। ଅବଶ୍ୟ ଗତବର୍ଷ ମହିଳା ହକି ବିଶ୍ବକପ୍‌ ଦୁଇ ପଡ଼ୋଶୀ‌ ଦେଶ ଓ ସହରରେ (ଟେରେସା, ସ୍ପେନ୍‌ ଏବଂ ଆମଷ୍ଟଲଭିନ, ହଲାଣ୍ଡ) ଖେଳାଯାଇଥିଲା।

ରବିବାର ରାତିରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୋମାଞ୍ଚଭରା ଫାଇନାଲ୍‌ରେ ଜର୍ମାନି ସଡନ୍‌ ଡେଥ୍‌ରେ ଗତ ଥରର ବିଜେତା ବେଲଜିୟମ୍‌କୁ ପରାସ୍ତ କରି ବିଜେତା ହୋଇଯିବା ପରେ ସୋମବାର ଅଂଶଗ୍ରହଣକାରୀ ଦଳଗୁଡ଼ିକ ସ୍ବଦେଶ ଅଭିମୁଖେ ବାହାରି ଯାଇଛନ୍ତି। କିଛି ଦଳ ଭୁବନେଶ୍ବର ଏବଂ ଏହାର ଆଖପାଖ ପର୍ଯ୍ୟଟନ କେନ୍ଦ୍ର ଓ ବଜାରଘାଟ ବୁଲିଥିଲେ। ହକି ଇଣ୍ଡିଆ ମଧ୍ୟ ବିଜେତା ଜର୍ମାନି ଓ ଉପବିଜେତା ବେଲଜିୟମ୍‌କୁ ଅଭିନନ୍ଦନ ଜଣାଇବାକୁ ଭୁଲିନାହିଁ। ଜର୍ମାନି ତୃତୀୟ ଥର ବିଶ୍ବ ବିଜେତା ହେବା ସହିତ ଏଫ୍‌ଆଇଏଚ୍ ମାନ୍ୟତାରେ ମଧ୍ୟ ଏକ ନମ୍ବର ସ୍ଥାନ ଦଖଲ କରିଛି। ଏହି ୟୁରୋପୀୟ ଦେଶ ଚତୁର୍ଥରୁ ସିଧାସଳଖ ଶୀର୍ଷକୁ ଉଠିଥିବା ବେଳେ ବିଶ୍ବକପ୍ ପୂର୍ବରୁ ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ପଦକଶୂନ୍ୟ ଭାବେ ଭୁବନେଶ୍ବରରୁ ଫେରିବାରୁ ଚତୁର୍ଥକୁ ଖସିଯାଇଛି। ବେଲଜିୟମ୍‌ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ଦ୍ବିତୀୟରୁ ତୃତୀୟକୁ ଖସିଛି। କାଂସ୍ୟ ବିଜେଦା ନେଦରଲାଣ୍ଡ୍ସ ଦ୍ବିତୀୟକୁ ଉଠିଛି। ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ବିଶ୍ବକପ୍‌ ପୂର୍ବରୁ ଶୀର୍ଷ ୪ ମାନ୍ୟତାରେ ଥିବା ଦଳ ଭୁବନେଶ୍ବରରେ ସେମିଫାଇନାଲ୍ ଉଠିଥିଲେ ଏବଂ ମାନ୍ୟତାରେ କେବଳ ସ୍ଥାନ ଅବଳବଦଳ କରିଛନ୍ତି।

ସମ୍ବନ୍ଧିତ ଖବର