ଖେଳରତ୍ନ ସୁପାରିସ ଲାଗି ଦୂତି ଦେଲେ ଧନ୍ୟବାଦ

ଭୁବନେଶ୍ବର: ରାଜ୍ୟ ସରକାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ନାଁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳରତ୍ନ’ ପୁରସ୍କାର ଲାଗି ସୁପାରିସ କରିଛନ୍ତି। ସେହିଭଳି ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ, ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳଙ୍କ ନାଁ ଧ୍ୟାନଚାନ୍ଦ ଏବଂ ହକି ପ୍ରଶିକ୍ଷକ କାଳୁ ଚରଣ ଚୌଧୁରୀଙ୍କ ନାଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ରାଜ୍ୟ ଓ ଦେଶରେ କ୍ରୀଡ଼ା ବିକାଶ ଦିଗ‌ରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିବା ଓଡ଼ିଶା ଖଣି ନିଗମ ଏବଂ କିଟ୍ ବିଶ୍ବବିଦ୍ୟାଳୟକୁ ‘ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ’ ପୁରସ୍କାର ଲାଗି ସୁପାରିସ କରିଛନ୍ତି। ଏହି ଚାରିଜଣ ଓ ଦୁଇ ସଂସ୍ଥାନ ନିଜ ନିଜ କ୍ଷେତ୍ରରେ ନିୟମିତ ଭାବେ ଉତ୍କର୍ଷତା ପ୍ରତିପାଦନ କରି ଆସୁଛନ୍ତି।

ଦୂତି ନିକଟରେ ମହିଳା ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୧୧.୧୭ ସେକେଣ୍ଡ ସମୟ ସହ ଏହି କ୍ରମରେ ସେ ନିଜ କୀର୍ତ୍ତିମାନକୁ ହିଁ ନିଜେ ଭାଙ୍ଗିଛନ୍ତି। ସେହିଭଳି ଗତ କିଛି ବର୍ଷ ହେବ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦେଶ ଓ ରାଜ୍ୟକୁ ଗୌରବାନ୍ବିତ କରି ଆସୁଛନ୍ତି ‌ସେ। ଦୂତି ଏହା ପୂର୍ବରୁ ଅର୍ଜୁନ ପରସ୍କାର ଜିତି ସାରିଛନ୍ତି। ସେପଟେ ବୀରେନ୍ଦ୍ର ପାଖାପାଖି ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ‌ଟୋକିଓ ଅଲିମ୍ପିକ୍ସ ଲାଗି ଘୋଷିତ ଭାରତୀୟ ଦଳର ସେ ଉପଅଧିନାୟକ ଅଛନ୍ତି। ଅନୁରାଧା ୧୦୦ ମିଟର ବାଧା‌ଦୌଡ଼ରେ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ସହ ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଭାରତୀୟ ଦୌଡ଼କୁଦ ଦଳର ଅନ୍ୟତମ ସଦସ୍ୟା ଥି‌ଲେ। ତା’ସହ ରାଜ୍ୟରେ କ୍ରୀଡ଼ା ବିକାଶ ଲାଗି ସେ ନିୟମିତ ପ୍ରୟାସ କରି ଆସୁଛନ୍ତି। ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା କାଳୁଚରଣ ଚୌଧୁରୀ ନିଜ ଲମ୍ବା ଖେଳ ଜୀବନରେ ୫୦ରୁ ଅଧିକ ଅନ୍ତର୍ଜାତୀୟ ଓ ୧୦୦ରୁ ଅଧିକ ଜାତୀୟସ୍ତରୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି। ଲାଜରୁସ୍ ବାର୍ଲା, ଇଗ୍ନେସ ତିର୍କି, ପ୍ରବୋଧ ତିର୍କି, ୱିଲିୟମ୍ ଖାଲ୍‌କୋ, ଦୀପସାନ୍ ତିର୍କି, ଜ୍ୟୋତି ସୁନିତା କୁଲୁ, ଶୁଭଦ୍ରା ପ୍ରଧାନଙ୍କ ଭଳି ପ୍ରତିଷ୍ଠିତ ଖେଳାଳି ତାଙ୍କ ଦ୍ବାରା ପ୍ରଶିକ୍ଷିତ। ଏହି ଚାରିଜଣଙ୍କ ନାଁ ରାଜ୍ୟ ସରକାର ସୁପାରିସ କରିବା ପରେ ଓଡ଼ିଶା କ୍ରୀଡ଼ା ଜଗତରେ ଖୁସିର ଲହରି ଖେଳି ଯାଇଛି। ସେହିଭଳି ଦୂତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ ଟ୍ବିଟ୍ କରିଛନ୍ତି ଯେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଲାଗି ରାଜ୍ୟ ସରକାର ମୋ ନାମ ସୁପାରିସ କରିଥିବାରୁ ମୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍‌ଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ଆପଣଙ୍କ ଆଶୀର୍ବାଦ ସବୁବେଳେ ମୋ ଉପରେ ଏମିତି ରହିଥାଉ।

ସମ୍ବନ୍ଧିତ ଖବର