କ୍ରିକେଟ୍ ଏକ କୌତୁକିଆ ଖେଳ। କାରଣ ଯଦି ଆମେ ୧୯୮୩ ବିଶ୍ବକପ୍ର ସମସ୍ତ ଦଳଙ୍କୁ ଦେଖିବା, ତାହେଲେ ୱେଷ୍ଟଇଣ୍ଡିଜ୍କୁ ଛାଡ଼ିଦେଲେ ଅନ୍ୟମାନେ ସମାନଧରଣର ଥିଲେ। ୱେଷ୍ଟଇଣ୍ଡିଜ୍ ୧୫ ବର୍ଷ ଧରି ବିଶ୍ବ କ୍ରିକେଟ୍ରେ ଆଧିପତ୍ୟ ବିସ୍ତାର କରିଆସୁଥିଲା। ତେଣୁ ୱେଷ୍ଟଇଣ୍ଡିଜ୍ ତୃତୀୟ ଥର ପାଇଁ ବିଶ୍ବକପ୍ ଜିତିବ ବୋଲି ଆମେ ସମସ୍ତେ ଧରିନେଇଥିଲୁ। କିନ୍ତୁ ବିଶ୍ବକପ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଥିଲା ଏବଂ ସେଠାରେ ୩ ଦିନିକିଆ ଖେଳିଥିଲା। ସେଥିରୁ ଗାଏନାର ବର୍ବିସ୍ଠାରେ ଆମେ ଗୋଟିଏ ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ୍ ହିଁ ଆମକୁ ବିଶ୍ବାସ ଜନ୍ମାଇଥିଲା ଯେ, ଯଦି ଅଧିକରୁ ଅଧିକ ରନ୍ ସଂଗ୍ରହ କରିବା ଏବଂ ପ୍ରତିପକ୍ଷ ଦଳର ଶୀଘ୍ର ୱିକେଟ୍ ଝଡ଼ାଇ ଦିଆଯିବ, ତାହେଲେ ସେମାନଙ୍କ ଉପରେ ଚାପ ସୃଷ୍ଟି ହେବ। ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ଚାପକୁ ହଟାଇବା ସହଜ ହେବନି ଏବଂ ବ୍ୟାଟିଂକ୍ରମ ଭାଙ୍ଗିଯିବ ବୋଲି ବିଶ୍ବାସ ଥିଲା। ତେଣୁ ଏହି ଭାବନାକୁ ସାଥୀରେ ନେଇ ଆମେ ମାଞ୍ଚେଷ୍ଟରରେ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳିଥିଲୁ ଏବଂ ବାସ୍ତବରେ ତାହାହିଁ ହୋଇଥିଲା।
ଆମେ ପୁଣି ଥରେ ୱେଷ୍ଟଇଣ୍ଡିଜ୍କୁ ଚକିତ କରିଥିଲୁ ଏବଂ ଆମ ଉପରେ ତାଜା ଆତ୍ମବିଶ୍ବାସ ଜାଗିଥିଲା। ଯଶପାଲ୍ ଶର୍ମା ୮୯ ରନ୍ର ଏକ ଚମତ୍କାର ପାଳି ଖେଳିଥିଲେ। ଦୁର୍ଭଗ୍ୟବସତଃ ସେ ଏବେ ଆମ ସହିତ ନାହାନ୍ତି। କିଛି ବର୍ଷ ପୂର୍ବରୁ (ଜୁଲାଇ ୧୩, ୨୦୨୧) ସେ ଆମକୁ ଛାଡ଼ି ସବୁଦିନ ପାଇଁ ଚାଲିଯାଇଛନ୍ତି। ତାଙ୍କ ସହିତ ମୁଁ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭେଟିଥିଲି ଏବଂ ସେତେବେଳେ ବି ସେ ଆମ ଦଳର ସବୁଠୁ ଫିଟ୍ ପିଲା ଭଳି ଦେଖାଯାଉଥିଲେ। ପ୍ରଥମ ମ୍ୟାଚ୍ ପରେ ଲିଗ୍ ପର୍ଯ୍ୟାୟରେ ଆମେ ଦୁଇଟି ମ୍ୟାଚ୍ ହାରି ସାରିଥିଲୁ। କିନ୍ତୁ ଓଲ୍ଡ ଟ୍ରାଫୋର୍ଡ ବିଜୟ ଆମକୁ ନୂଆ ଆଶା ଭରିଥିଲା। ଓଭାଲ୍ରେ ପୁଣି ଥରେ ୱେଷ୍ଟଇଣ୍ଡିଜ୍ ସହ ସାମ୍ନା ହୋଇଥିଲା। ୨୮୩ ରନ୍କୁ ପିଛା କରି ଆମେ ୧୩୦/୨ରେ ପହଞ୍ଚିଯାଇଥିଲୁ। ମୁଁ ୩୨ ରନ୍ ଓ ଜିମି (ମହିନ୍ଦର ଅମରନାଥ) ୮୦ ରନ୍କରି ବ୍ୟାଟିଂ କରୁଥିଲୁ। ତୃତୀୟ ୱିକେଟ୍ରେ ୧୦୯ ରନ୍ର ଭଲ ଭାଗୀଦାରି ହୋଇସାରିଥିଲା। କିନ୍ତୁ ହଠାତ୍ ଆମ ଦଳ ପୁଣି ଥରେ ଭାଙ୍ଗିଯାଇଥିଲା। ଘାତକ ବୋଲର ମାଲକମ୍ ମାର୍ଶାଲ୍ଙ୍କ ବାଉନ୍ସର ମୋ ଥୋଡ଼ିରେ ବାଜିଥିଲା। ଏହାଫଳରେ ମୋର ବିଶ୍ବକପ୍ ଯାତ୍ରା ଶେଷ ହୋଇଗଲା ବୋଲି ଧରିନେଇଥିଲି। ପରେ ଥୋଡ଼ିରେ ୭ଟି ଷ୍ଟିଚ୍ ପଡ଼ିଥିଲା। ମୁଁ ସେତେବେଳେ ଭଲ ଲୟକୁ ଆସିଥିଲେ ବି ମନୋବଳ ଭାଙ୍ଗିଯାଇଥିଲା। ଗୋଟିଏ ଟ୍ୟାକ୍ସି କରି ଆମର ପ୍ରବନ୍ଧକ ପିଆର୍ ମାନସିଂହ ମୋତେ ଡାକ୍ତରଖାନା ନେଉଥିଲେ। ସେତେବେଳେ ମାନସିଂହ ବିଶ୍ବକପ୍ ଯାତ୍ରାରେ ଆମ ପାଇଁ ସବୁକିଛି ଥିଲେ। ସେ ଆମକୁ କ୍ୟାଚ୍ ଅଭ୍ୟାସ କରାଉଥିଲେ, ଆମକୁ ଖର୍ଚ୍ଚ କରିବାକୁ ଟଙ୍କା ବି ଦେଉଥିଲେ। ଆମର ଯାହା କିଛି ବି ଦରକାର ହେଉଥିଲା ମାନସିଂହଙ୍କ ପାଖକୁ ଚାଲିଯାଉଥିଲୁ।
ସବୁଠୁ ଖରାପ କଥା ହୋଇଥିଲା, ଯେତେବେଳେ ଏହି ଆହତ ଯୋଗୁଁ ମୁଁ ଜିମ୍ବାୱେ ବିପକ୍ଷରେ ଖେଳିବାକୁ ଦଳ ସହିତ ଟନବ୍ରିଜ୍ ୱେଲ୍ସକୁ ଯାଇପାରିନଥିଲି। ସେତେବେଳେ ସମସ୍ତେ ଭାବିନେଇଥିଲେ ଯେ, ଭାରତୀୟ ଦଳ ଘରକୁ ଫେରିଯିବ ଏବଂ ମୋ ଭଳି ଅନେକ କ୍ରିକେଟ୍ପ୍ରେମୀ ସେଦିନର ଇତିହାସ ରଚାଯାଇଥିବା ମୁହୂର୍ତ୍ତକୁ ଉପଭୋଗ କରିପାରିନଥିଲୁ। ବିବିସି କର୍ମଚାରୀମାନେ ଧାରଣାରେ ଥିବାରୁ ଉକ୍ତ ମ୍ୟାଚ୍ ସିଧାପ୍ରସାରଣ ହୋଇନଥିଲା। କିନ୍ତୁ ସେହି ମ୍ୟାଚ୍ରେ କ’ଣ ଘଟିଥିଲା, ତାହା ସମସ୍ତେ ଜାଣିଛନ୍ତି। ଆମ ଦଳ ଯେତେବେଳେ ୧୭ ରନ୍ କରି ୫ ୱିକେଟ୍ ହରାଇସାରିଥିଲା, ସେତେବେଳେ କପିଳ ବ୍ୟାଟିଂ ଆସି ୧୭୫ ରନ୍ର ଅବିସ୍ମରଣୀୟ ପାଳି ଖେଳିଥିଲେ। ମୋ ଦେଖିବା ଭିତରେ ଏହା ସବୁଠୁ ଶ୍ରେଷ୍ଠତମ ଦିନିକିଆ ପାଳି ଥିଲା। ଏହାପରେ କପିଳ ୧୨ ଓଭର ବୋଲିଂ ମଧ୍ୟ କରିଥିଲେ। ଯାହାଫଳରେ ଆମେ ମ୍ୟାଚ୍କୁ ଏକତରଫା ଭାବେ ଜିତିଥିଲୁ। ଏହି ମ୍ୟାଚ୍ ଆମକୁ ବାସ୍ତବ ଗତି ପ୍ରଦାନ କରିଥିଲା।
ଏହାପରେ ଆମେ ଚେଲ୍ମସ୍ଫୋର୍ଡରେ ଅଷ୍ଟ୍ରେଲିଆକୁ ୧୧୮ ରନ୍ରେ ହରାଇଥିଲୁ। ଆଶ୍ଚର୍ଯ୍ୟଜନକ ଭାବେ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ତାହାର ମୁଖ୍ୟ ବୋଲର ଡେନିସ୍ ଲିଲିଙ୍କୁ ଖେଳାଇନଥିଲା। ଇଂଲଣ୍ଡର ଅନେକ ଲୋକ ଫାଇନାଲ୍ ପାଇଁ ଟିକେଟ୍ କିଣିଥିଲେ। ସେମାନେ ଭାବିଥିଲେ ଯେ ଇଂଲଣ୍ଡ ସହିତ ୱେଷ୍ଟଇଣ୍ଡିଜ୍ର ଫାଇନାଲ୍ ଖେଳାଯିବ। କିନ୍ତୁ ସେମିଫାଇନାଲ୍ରେ ଇଂଲଣ୍ଡ ଆମଠୁ ପରାଜିତ ହୋଇଥିଲା। ଯେଉଁଥିପାଇଁ ଅନେକ ଦର୍ଶକ ସେମାନଙ୍କ ଟିକେଟ୍କୁ ଭାରତୀୟ ଦର୍ଶକମାନଙ୍କୁ ବିକ୍ରି କରିଦେଇଥିଲେ। ଲଣ୍ଡନରେ ଆମେ ଲର୍ଡ୍ସ ଷ୍ଟାଡିୟମ୍ ପାଖକୁ ଥିବା ୱେଷ୍ଟମୋର୍ ଲାଣ୍ଡ୍ସଠାରେ ରହୁଥିଲୁ। ଖୁବ୍ କମ୍ ବାଟ ହୋଇଥିଲେ ବି ଆମେ ଏକ ବିଳାସପୂର୍ଣ୍ଣ ବସ୍ରେ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାତ୍ରା କରୁଥିଲୁ। ସେତେବେଳେ ଆମକୁ ମ୍ୟାଚ୍ ପିଛା ଦୁଇଟି ଟିକେଟ୍ ଦିଆଯାଉଥିଲା। ସେହି ଅତିରିକ୍ତ ଟିକେଟ୍ ବୋଧହୁଏ ଆମ ପତ୍ନୀ କିମ୍ବା ବନ୍ଧୁଙ୍କ ଉଦ୍ଦେଶ୍ୟରେ ଦିଆଯାଉଥିଲା। ଏବେକାର ସମୟରେ ତ ଫାଇନାଲ୍ ଦେଖିବାକୁ ଟିକେଟ୍ କରିଦେବା ପାଇଁ ଆମକୁ ଅନେକ ଅନୁରୋଧ ଆସୁଛି। ହେଲେ ସେତେବେଳେ ମାତ୍ର ଦୁଇଟି ଟିକେଟ୍ ନେଇ ଷ୍ଟାଡିୟମ୍କୁ ଯିବା ପରେ ଯେଉଁଠି ଇଚ୍ଛା ସେଠାରେ ବସି ମ୍ୟାଚ୍ ଦେଖିବାକୁ ସୁଯୋଗ ମିଳୁଥିଲା।
ଫାଇନାଲ୍ ଦିବସ ଏକ ସ୍ମରଣୀୟ ଦିନ ଥିଲା। କପିଳଙ୍କ ଅଧିନରେ ଆମ ଦଳ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଥରେ ମ୍ୟାଚ୍ ଜିତିବା ପରେ ଆମକୁ ଜିତିବାର ଭୋକ ଘାରୁଥିଲା। ତେଣୁ ବିଶ୍ବକପ୍ରେ ମଧ୍ୟ ସେଇଆ ହୋଇଥିଲା। ମୁଁ ଜାଣିଛି ଯେ କ୍ରିକେଟ୍ ଏକ ଦଳଗତ ଖେଳ। କିନ୍ତୁ ତାହା କପିଳଙ୍କ ବିଶ୍ବକପ୍ ଥିଲା ବୋଲି କହିବା ଅତ୍ୟୁକ୍ତି ହେବନି। କପିଳ ସେତେବେଳେ ତାଙ୍କ କ୍ୟାରିଅରର ଶ୍ରେଷ୍ଠ ସମୟ ଦେଇ ଗତି କରୁଥିଲେ। ବ୍ୟାଟିଂ, ବୋଲିଂ, କ୍ଷେତ୍ରରକ୍ଷଣ ସବୁ କ୍ଷେତ୍ରରେ କପିଳ ଶ୍ରେଷ୍ଠ ପ୍ରଦର୍ଶନ ଦେଉଥିଲେ। ଯେଉଁଭଳି ଢଙ୍ଗରେ ସେ ମିଡ୍ ୱିକେଟ୍ ଅଞ୍ଚଳକୁ ପଛୁଆ ଦୌଡିଦୌଡ଼ି ଭିଭିଆନ୍ ରିଚାର୍ଡ୍ସଙ୍କ କ୍ୟାଚ୍ ନେଇଥିଲେ, ତାହା ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇଯାଇଛି।
ଆମେ ଯେତେବେଳେ ଘରକୁ ଫେରିଥିଲୁ, ସେତେବେଳେ ଆମକୁ ଏକ ଓପନ୍ ଏୟାର ବସ୍ରେ ବିମାନବନ୍ଦରରୁ ନିଆଯାଇଥିଲା। କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କୁ ମଧ୍ୟ ଆମେ କୃତଜ୍ଞତା ଜଣାଇଥିଲୁ। କାରଣ ଯେତେବେଳେ ସେ ଜାଣିଲେ ଯେ, ଜଣେ ଖେଳାଳି ପିଛା ମାତ୍ର ୨୫ହଜାର ଟଙ୍କା ମିଳିଛି, ସେତେବେଳେ ସିଏ ବ୍ୟକ୍ତିଗତ ଭାବେ ପାଣ୍ଠି ଯୋଗାଡ଼ କରିବା ପାଇଁ ଏକ କନସର୍ଟ ଆୟୋଜନ କରିଥିଲେ। ତତ୍କାଳୀନ ବିସିସିଆଇ ସଭାପତି ଏନ୍କେପି ସାଲ୍ଭେଙ୍କ ସହିତ ସେ ଏବିଷୟରେ ଆଲୋଚନା କରିଥିଲେ ଓ ଦିଲ୍ଲୀରେ ଏକ ମନୋରମ ସନ୍ଧ୍ୟାରେ ଆମ ପାଇଁ ଗୀତ ଗାଇଥିଲେ। ଏହି କନସର୍ଟରେ ସବୁ ଶ୍ରେଣୀର ଲୋକମାନେ ସାମିଲ ହୋଇଥିଲେ। ସେ ସମୟରେ ଆମେ ଗୋଟିଏ ଟେଷ୍ଟ ମ୍ୟାଚ୍ ପିଛା ୭୦୦୦ ଟଙ୍କା ଏବଂ ଦିନିକିଆ ମ୍ୟାଚ୍ ପିଛା ୫୦୦୦ ଟଙ୍କା ପାଉଣା ପାଉଥିଲୁ। କିନ୍ତୁ ଲତାଙ୍କ ପାଇଁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଲେଖାଏଁର ଚେକ୍ ପାଇଥିଲୁ। ଆମ ଜୀବନରେ ପଥମ ଥର ପାଇଁ ୧ ଲକ୍ଷ ଟଙ୍କାର ଚେକ୍ ଦେଖୁଥିଲୁ।
(ସୌଜନ୍ୟ: ଟିଏନ୍ଏନ୍)