ଧୋନିଙ୍କ ମନୋଭାବକୁ ଥାପ୍ପାଙ୍କ ସଲାମ

ନୂଆଦିଲ୍ଲୀ: କ୍ୟାପ୍‌ଟେନ୍‌ କୁଲ୍‌ ଭାବେ ପରିଚିତ ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ମନୋଭାବକୁ ସଲାମ କରିଛନ୍ତି ବ୍ଲୁ ଟାଇଗର୍ସ ମିଡ୍‌ଫିଲ୍‌ଡର ଅନିରୁଦ୍ଧ ଥାପ୍ପା। ଧୋନି ଯେତେବେଳେ ବି ଭାରତୀୟ ଦଳ ସହ ରହିଥାନ୍ତି, ସବୁବେଳେ ନିଜର ଓ ଦଳୀୟ ସାଥୀଙ୍କ ମନୋବଳ ବଢ଼ାଇବାର ସୁଯୋଗ ଦେଇଥାନ୍ତି ବୋଲି ଏହି ଫୁଟ୍‌ବଲ ତାରକା କହିଛନ୍ତି। ଏକ ଲାଇଭ୍‌ ଚାଟ୍‌ରେ ପ୍ରଶଂସକଙ୍କ ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଥାପ୍ପା ଭାରତୀୟ ଫୁଟ୍‌ବଲ ଦଳର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ବ୍ୟବହାର କରି ଗତ ଶୁକ୍ରବାର ଏଭଳି କହିଛନ୍ତି। କିଏ ତୁମର ପସନ୍ଦର କ୍ରିକେଟର୍‌ ବୋଲି ପ୍ରଶ୍ନରେ ୨୨ ବର୍ଷ ବୟସ୍କ ଏହି ଫୁଟ୍‌ବଲ ତାରକା ଥାପ୍ପା ଚଟାପଟ ‘ଥାଲା ଧୋନି” ବୋଲି କହିଥିଲେ। ନିଶ୍ଚିତ ଭାବେ ଧୋନି ମୋର ପସନ୍ଦର କ୍ରିକେଟର୍‌ ବୋଲି କହିବା ସାଙ୍ଗକୁ ସେ ଏହି ଅବସରରେ ସେ ମଧ୍ୟ ଧୋନିଙ୍କ ପ୍ରଶଂସା କରିଥିଲେ। ଧୋନି ମୋ ପାଇଁ ପ୍ରେରଣାଦାୟକ। ଧୋନି କିପରି ଚେନ୍ନାୟିନ୍‌ ଏଫ୍‌ସି ମଧ୍ୟାହ୍ନଭୋଜନରେ ଯୋଗଦେଇଥିଲେ ଏବଂ ଭାରତୀୟ କ୍ରିକେଟ୍‌ ଦଳ ସହ ଥିବା ତାଙ୍କ ଭିନ୍ନ ଭିନ୍ନ ଅଭିଜ୍ଞତା ସବୁ ବାଣ୍ଟିଥିଲେ ସେନେଇ ଥାପ୍ପା ମନେ ପକାଇଥିଲେ।

ଏପରିକି ବର୍ଷ ବର୍ଷ ଧରି ତାଙ୍କ ଜୀବନ ଶୈଳୀ କିପରି ଥିଲା ତାହା ମଧ୍ୟ ଧୋନି ବର୍ଣ୍ଣନା କରିଥିଲେ। ଆମେ ଯେତେବେଳେ ବି ମଧ୍ୟାହ୍ନଭୋଜନ ଆୟୋଜନ କରୁ ସବୁଥର ଧୋନି ଯୋଗ ଦେଇଥାନ୍ତି। ସବୁଥର ସେ ଆମ ସାଙ୍ଗରେ ସମୟ ବିତାଇ ତାଙ୍କ ଅଭିଜ୍ଞତା ବାଣ୍ଟନ୍ତି। ସେ ଜଣେ ନମ୍ର ଓ ଭଦ୍ର ବ୍ୟକ୍ତି ବୋଲି ଥାପ୍ପା କହିଥିଲେ। ସେଠାରେ ଅନ୍ୟ କିଛି ବ୍ୟକ୍ତି ଥିଲେ ଯେଉଁମାନେ କି ଧୋନିଙ୍କୁ ତାଙ୍କ ପାଖକୁ ଡାକିଥାନ୍ତି। ହେଲେ ସେ ସବୁବେଳେ ଫୁଟ୍‌ବଲ ଖେଳାଳିଙ୍କ ସହ ବସିବାକୁ ପସନ୍ଦ କରୁଥିଲେ। ସେ କହୁଥିଲେ, ମୋତେ ଫୁଟ୍‌ବଲ୍‌ ଖେଳାଳିଙ୍କ ସହ ବସିବାକୁ ଓ ସେମାନଙ୍କ ସହ ଅଭିଜ୍ଞତା ବାଣ୍ଟିବାକୁ ସୁଯୋଗ ଦିଅ ବୋଲି ଧୋନି କହୁଥିଲେ। ସେ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନରେ ସାମ୍‌ନା କରିଥିବା ସଂଘର୍ଷ ସଂପର୍କରେ ଆମମାନଙ୍କୁ କହୁଥିଲେ। ଏପରିକି ତାଙ୍କ କ୍ରିକେଟ୍‌ ଯାତ୍ରା ସଂପର୍କରେ ମଧ୍ୟ କହୁଥିଲେ। ପୁଣି ଯେତେବେଳେ ବିଶ୍ବକପ୍‌ ଜିତିଥିଲେ ସେହି ମୁହୁର୍ତ୍ତ ଓ ଅନୁଭବ ସଂପର୍କରେ ବଖାଣୁଥିଲେ। ଖାସ୍‌ ସେଇଥିପାଇଁ ହିଁ ମୁଁ ଧୋନିଙ୍କୁ ଖୁବ୍‌ ଭଲ ପାଏ। ତାଙ୍କ ଦ୍ବାରା ଅନୁପ୍ରେରିତ ହେବାକୁ ପସନ୍ଦ କରେ। ସେ କ’ଣ କରିଛନ୍ତି ଏବଂ କିପରି ସଫଳତା ସାଉଁଟିଛନ୍ତି ତାହା ସ‌ମସ୍ତେ ଦେଖିଛନ୍ତି। ସେଥିପାଇଁ ତ ତାଙ୍କୁ ସଲାମ ବୋଲି କହିଥିଲେ ଥାପ୍ପା। ଏଠାରେ ସୂଚନାଯୋଗ୍ୟ, କପିଳ ଦେବଙ୍କ ପ‌ରେ ଧୋନି ଆଇସିସି ବିଶ୍ବକପ୍‌ ଜିତିବାରେ ଦ୍ବିତୀୟ ଭାରତୀୟ ଅଧିନାୟକ ଥିଲେ। ୧୯୮୩ରେ କପିଳ ଦେବା ଭାରତକୁ ବିଶ୍ବକପ୍‌ ଭେଟିଦେଇଥିଲା ବେଳେ ୨୦୧୧ରେ ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଧୋନି ବିଶ୍ବକପ୍‌ ତୋଳି ଧରିଥିଲେ।

ଏହି ଲାଇଭ୍‌ ଚାଟ୍ ଅବସରରେ ଥାପ୍ପା ପ୍ରଥମ ଥର ପାଇଁ ଭାରତୀୟ ୨୨ ବର୍ଷରୁ କମ୍‌ ଦଳର ଅଧିନାୟକ ସଂପର୍କରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ନମ୍ରତାର ସହ କହିବାକୁ ଗଲେ ମୁଁ ସେତେବେଳେ ଏହି ଦାୟିତ୍ବର ହକ୍‌ଦାର ଥିବା ଭାବିନଥିଲି। ମ୍ୟାଚ୍‌ ପୂର୍ବରୁ ମୁଁ ମୋର ଅଭିଭାବକଙ୍କୁ କହିଥିଲି। ହେଲେ ମୁଁ ଯେ ଅଧିନାୟକ ତାହା କହିନଥିଲି। କେବଳ ଟିଭିରେ ମ୍ୟାଚ୍‌ ଦେଖିବା ପରେ ହିଁ ସେମାନେ ଅନୁଭବ କରିଥିଲେ। ସେହି ମ୍ୟାଚ୍‌ରେ ମୁଁ ଗୋଟିଏ ଗୋଲ୍‌ରେ ସହାୟତା କରିଥିବା ଏବଂ ଆମେ ମ୍ୟାଚ୍‌ ଜିତିଥିବାରୁ ଏହା ଅଧିକ ସ୍ବତନ୍ତ୍ର ଥିଲା। ମୁଁ ଖୁସୀ ଥିଲି ଏବଂ ମୋ ପିତାମାତାଙ୍କୁ ମଧ୍ୟ ଖୁସୀ ଦେଇଥିଲି ବୋଲି ଥାପ୍ପା କହିଥିଲେ।

ସମ୍ବନ୍ଧିତ ଖବର