ନୂଆଦିଲ୍ଲୀ: ଆଇପିଏଲ୍ରେ ବର୍ଷବର୍ଷ ଧରି ଅନେକ ଆକର୍ଷଣୀୟ ପାଳି ଦେଖିବାକୁ ମିଳୁଛି। କିନ୍ତୁ ୨୦୧୩ରେ ପୁନେ ୱାରିୟର୍ସ ବିପକ୍ଷରେ କ୍ରିସ୍ ଗେଲ୍ଙ୍କ ଅପରାଜିତ ୧୭୫ ରନ୍ ସବୁଠୁ ବିସ୍ଫୋରକ ପାଳି ଥିଲା। ଗେଲ୍ଙ୍କ ଏଭଳି ବିଧ୍ବଂସକାରୀ ପାଳି ପ୍ରତିଯୋଗିତା ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ରନ୍ର ସ୍ଥାନ ସୁରକ୍ଷିତ ରଖିଥିଲା ବେଳେ ସେତେବେଳେ ଏହା ଦ୍ରୁତତମ ଶତକ ଭାବେ ମଧ୍ୟ ପରିଗଣିତ ହୋଇଥିଲା। ବାଙ୍ଗାଲୋର ରୟାଲ ଚାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ଗେଲ୍ ତାଙ୍କର ଏହି ଆକ୍ରମଣାତ୍ମକ ପାଳିରେ ୧୩ ଚୌକା ଓ ୧୭ ଛକା ମାରିଥିଲା ବେଳେ ମାତ୍ର ୩୦ ବଲ୍ରୁ ଶତକ ଅର୍ଜନ କରିଥିଲେ। ଏହି ମ୍ୟାଚ୍ରେ ସେ ମୋଟ ୬୬ ବଲ୍ର ସମ୍ମୁଖୀନ ହୋଇ ୧୭୫ ରନ୍ ସଂଗ୍ରହ କରିଥିଲେ।
ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ଗେଲ୍ ଧମାକା ପାଇଁ ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ୍ ହରାଇ ୨୬୩ ରନ୍ ସଂଗ୍ରହ କରିଥିଲା। ଜବାବରେ ପୁନେ ୱାରିୟର୍ସ ୯ ୱିକେଟ୍ ବିନିମୟରେ ୧୩୩ ରନ୍ ହିଁ କରିପାରିଥିଲା। ପରେ ଗେଲ୍ ୫ ରନ୍ ଦେଇ ୨ ୱିକେଟ ଅକ୍ତିଆର କରିଥିଲେ। ଏପରିକି ଗତବର୍ଷ ଗେଲ୍ ନିଜେ ତାଙ୍କ ୧୭ ଛକାର ରେକର୍ଡ ଭାଙ୍ଗିଛନ୍ତି। ବାଂଲାଦେଶ ପ୍ରିମିୟର ଲିଗ୍ରେ ରଙ୍ଗପୁର ରାଇଡର୍ସ ପକ୍ଷରୁ ଖେଳୁଥିବା ଗେଲ୍ ଢାକା ଡାଇନାମାଇଟ୍ସ ବିପକ୍ଷରେ ୬୯ ବଲ୍ରୁ ୧୩୬*ରନ୍ ସଂଗ୍ରହ କରିଥିଲା ବେଳେ ମୋଟ ୧୮ ଛକା ମାରି ଧମାକା କରିଦେଇଥିଲେ। ତେବେ ୩୦ ବଲ୍ରୁ ଶତକ ମାରିବା କୀର୍ତ୍ତିମାନ ଏବେ ବି କାୟମ ରହିଛି। ଗେଲ୍ଙ୍କ ଏଭଳି କୀର୍ତ୍ତିମାନକୁ ଆର୍ସିବିର ସାଥୀ ଖେଳାଳିମାନେ ମଧ୍ୟ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ସ୍ପିନର ମୁଥିଆ ମୁରଲୀଧରନ୍ଙ୍କ ମତରେ ଏପରି ପାଳି ଅବିଶ୍ବସନୀୟ ଥିଲା। ପାଖାପାଖି ୨୦ ବର୍ଷ ଧରି କ୍ରିକେଟ୍ ଖେଳିଥିଲେ ବି ଏହିଭଳି ଖେଳ କେବେ ବି ଦେଖିନଥିବା ମୁରଲୀ କହିଛନ୍ତି।