ସେହି ବର୍ଷ ଏହି ତାରିଖ: କ୍ରିକେଟ୍‌ ବିଶ୍ବକପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ: ବର୍ଷ ଥିଲା ୧୯୭୫ ଏବଂ ତାରିଖ ଥିଲା ଜୁନ୍‌ ୭। ସେହି ବର୍ଷ ଆଜିର ତାରିଖରେ ପୁରୁଷ କ୍ରିକେଟ୍‌ ବିଶ୍ବକପ୍‌ର ଶୁଭାରମ୍ଭ ହୋଇଥିଲା। ଏହି ଦିନିକିଆ ବିଶ୍ବକପ୍‌ର ପ୍ରଥମ ସଂସ୍କରଣ ଇଂଲଣ୍ଡ ଆୟୋଜନ କରିଥିଲା। ଆଉ ବିଶ୍ବକପ୍‌ର ପ୍ରଥମ ଲଢ଼େଇ ଆୟୋଜକ ଇଂଲଣ୍ଡ ସହ ଭାରତର ଐତିହାସିକ ଲର୍ଡସ୍‌ ପଡ଼ିଆରେ ହୋଇଥିଲା। ପ୍ରଥମ ବିଶ୍ବକପ୍‌ ୬୦ ଓଭର ବିଶିଷ୍ଟ ରହିଥିଲା।

ସେହି ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଡେନିସ୍‌ ଅମିସ୍‌ ଶତକୀୟ ପାଳି ଖେଳିଥିଲେ। ସେ ୧୦୮ ବଲ୍‌ରୁ ୧୩୭ ରନ୍‌ କରିବାରୁ ଇଂଲଣ୍ଡ ସ୍କୋର୍‌ ୩୩୪/୪ ହୋଇଥିଲା। ଭାରତ ପକ୍ଷରୁ ସୟଦ୍‌ ଆବିଦ୍‌ ୨ ୱିକେଟ୍‌ ପାଇଥିଲେ। ଜବାବରେ ପୂରା ୬୦ ଓଭରରେ ଭାରତ ୧୩୨/୩ କରିପା‌ରିଥିଲା ଏବଂ ୨୦୨ ରନ୍‌ର ବଡ଼ ବ୍ୟବଧାନରେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା। ତେବେ ସେହି ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତର ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କରଙ୍କ ପାଇଁ ଅଲୋଡା କୀର୍ତି ବହନ କରିଥିଲା। ଗାଭାସ୍କର ମ୍ୟାଚ୍‌ରେ ୧୭୪ ବଲ୍‌ର ସାମ୍‌ନା କରି ମାତ୍ର ୩୬ ରନ୍‌ କରିଥିଲେ। ଅବଶ୍ୟ ସେ ଅପରାଜିତ ରହିଥିଲେ। ସେତେବେଳେ ଏଭଳି ଅତ୍ୟନ୍ତ ମନ୍ଥର ପାଳି ପାଇଁ ଗାଭାସ୍କରଙ୍କୁ ଅଧିକାଂଶ ଲୋକ ସମାଲୋଚନା କରିଥିଲେ। ଗାଭାସ୍କର ଅପରାଜିତ ରହିଥିଲେ ମଧ୍ୟ ପିଛା କରିଥିବା ଭାରତ ବହୁ ପଛରେ ପଡ଼ିଯାଇଥିଲା।

ପୁରୁଷ ବିଶ୍ବକପ୍‌ର ପ୍ରଥମ ସଂସ୍କରଣକୁ ସେତେବେଳର ଦୁର୍ଦର୍ଷ ଦଳ ଭାବେ ପରିଗଣିତ ୱେଷ୍ଟଇଣ୍ଡିଜ୍‌ ଜିତି ନେଇଥିଲା। ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି କ୍ଲାଇବ୍‌ ଲୟଡ୍‌ଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ବିଶ୍ବ ବିଜେତା ହେବାର ଗୌରବ ବହନ କରିଥିଲା। ଏହାପରେ ଅବଶ୍ୟ ସେହି ଲୟଡ୍‌ଙ୍କ ନେତୃତ୍ବରେ ୱେଷ୍ଟଇଣ୍ଡିଜ୍‌ ଦଳ ୧୯୭୯ (ଦ୍ବିତୀୟ ବିଶ୍ବକପ୍‌)ରେ ବି ବିଜେତା ହୋଇ କ୍ରମାଗତ ଦ୍ବିତୀୟ ଥର ବିଶ୍ବ କପ୍‌କୁ ନିଜ ପାଖରେ ରହିଥିଲା। ହେଲେ ୧୯୮୩ରେ ୱେଷ୍ଟଇଣ୍ଡିଜ୍‌ର ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ ଥର) ବିଶ୍ବ ବିଜେତା ଲକ୍ଷ୍ୟକୁ ଚୁର୍‌ମାର କରିଦେଇଥିଲା କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ। ବିଶ୍ବକପ୍‌ର ତୃତୀୟ ସଂସ୍କରଣ ଫାଇନାଲ୍‌ରେ ଭାରତ ନିକଟରୁ ହାରିଯାଇଥିଲା ୱେଷ୍ଟଇଣ୍ଡିଜ୍‌। ଏପର୍ଯ୍ୟନ୍ତ ପୁରୁଷ ବର୍ଗରେ ମୋଟ ୧୨ ଥର ବିଶ୍ବକପ୍‌ ଆୟୋଜିତ ହୋଇସାରିଛି। ସେମଧ୍ୟରୁ ସର୍ବାଧିକ ୫ ଥର ଅଷ୍ଟ୍ରେଲିଆ ବିଶ୍ବ ବିଜେତା ହୋଇଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ଓ ଭାରତ ଉଭୟ ୨ ଥର ଲେଖାଏଁ ବିଶ୍ବକପ୍‌ ଜିତିଛନ୍ତି। ଏହା ବ୍ୟତୀତ ଶ୍ରୀଲଙ୍କା, ପାକିସ୍ତାନ ଏବଂ ଇଂଲଣ୍ଡ ଥରେ ଲେଖାଏଁ ବିଶ୍ବ ବିଜେତା ହେବାର ସୌଭାଗ୍ୟ ପାଇଛନ୍ତି।

ସମ୍ବନ୍ଧିତ ଖବର