ନୂଆଦିଲ୍ଲୀ: ୨୦ ବର୍ଷ ତଳେ ଆଜିର ତାରିଖରେ ଭାରୋତ୍ତୋଳକ କର୍ଣ୍ଣମ ମାଲେଶ୍ବରୀ ପ୍ରଥମ ଭାରତୀୟ ମହିଳା ଭାବେ ତାଙ୍କ ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିଥିଲେ। ୨୦୦୦ ମସିହା ସିଡ୍ନି ଅଲିମ୍ପିକ୍ସରେ ସ୍ନାଚ ବିଭାଗରେ ୧୧୦ କିଗ୍ରା ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୩୦ କିଗ୍ରା ଭାର ଉଠାଇ ମାଲେଶ୍ବରୀ କାଂସ୍ୟ ପଦକ ଜିତିବା ସହ ଇତିହାସ ରଚିଥିଲେ। ଏହି ସ୍ମରଣୀୟ ଦିନକୁ ସେ ଟ୍ବିଟରରେ ପୋଷ୍ଟ କରିଥିଲା ବେଳେ ଦୀର୍ଘ ବର୍ଷର ପରିଶ୍ରମ ଏବଂ ପରିବାର, ପ୍ରଶିକ୍ଷକ ଓ ଦେଶବାସୀଙ୍କ ଆଶୀର୍ବାଦ ଯୋଗୁଁ ସେ ଏହି ସଫଳତା ପାଇପାରିଥିବା ଉଲ୍ଲେଖ କରିଥିଲେ।
ଏହି ଅଲିମ୍ପିକ ପଦକ ପରେ ମାଲେଶ୍ବରୀ ଘରେ ଘରେ ‘ଦି ଆଇରନ୍ ଲେଡି’ ନାମରେ ପରିଚିତ ହୋଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ଏକମାତ୍ର ଭାରତୀୟ ମହିଳା ଭାରୋତ୍ତୋଳକ ଭାବେ ଏହି କୀର୍ତ୍ତିମାନ ବଜାୟ ରଖିଛନ୍ତି। ଏହି ଐତିହାସିକ ଘଟଣା ପୂର୍ବରୁ ମାଲେଶ୍ବରୀ ୧୯୯୩ ମସିହାରେ ବିଶ୍ବ ପ୍ରତିଯୋଗିତାରେ ତୃତୀୟ ଏବଂ ୧୯୯୪ ଓ ୧୯୯୫ ମସିହାରେ ଲଗାତର ଭାବେ ୫୪ କିଗ୍ରା ବର୍ଗରେ ପ୍ରଥମ ହେବାପରେ ୧୯୯୬ରେ ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ୧୯୯୪ ଓ ୧୯୯୮ ମସିହା ଏସୀୟ କ୍ରୀଡ଼ାରେ ମାଲେଶ୍ବରୀ ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଏସବୁ ସଫଳତାହିଁ ତାଙ୍କୁ ସିଡ୍ନି ଅଲିମ୍ପିକ୍ସ ପାଇଁ ବାଟ କଢେଇନେଇଥିଲା। ତଥାପି ସିଡ୍ନୀରେ କାଂସ୍ୟ ପଦକ ଜିତିବା ପରେ ମାଲେଶ୍ବରୀ ମିଶ୍ରିତ ପ୍ରତିକ୍ରିୟା ରଖିଥିଲେ। ତାଙ୍କ ଅନୁଯାୟୀ, ଭାରତୀୟ ଶିବିରରେ ଭୁଲ୍ ଗଣନା ଯୋଗୁଁ ସେ ସ୍ବର୍ଣ୍ଣ ପାଇବାରୁ ବଞ୍ଚିତ ହୋଇଥିଲେ।
ପୋଡିୟମ୍ରେ ଶୀର୍ଷରେ ରହିବାକୁ ହେଲେ ଆବଶ୍ୟକତାଠୁ ଅଧିକ ଓଜନ ଉଠାଇବାକୁ ହେବ ବୋଲି ତାଙ୍କୁ ପରାମର୍ଶ ଦିଆଯାଇଥିଲା। ଯେଉଁଥିପାଇଁ ସେ ପଛରେ ପଡ଼ିଯାଇଥିଲେ। ସିଡ୍ନି ପରେ ୨୦୦୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବାକୁ ସେ ଯୋଜନା କରିଥିଲେ ବି ତାଙ୍କ ପିତାଙ୍କ ଦେହାନ୍ତ ଯୋଗୁଁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିନଥିଲେ। ଏହାପରେ ଖରାପ ପ୍ରଦର୍ଶନ ଯୋଗୁଁ ୨୦୦୪ ଗ୍ରୀସ୍ ଅଲିମ୍ପିକ୍ସକୁ ସେ ଯୋଗ୍ୟତା ଅର୍ଜନ କରିପାରିଥିଲେ। ଏସବୁ ବାଦ୍ ତାଙ୍କର କ୍ରୀଡ଼ାରେ ସଫଳତା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୯୯୪ରେ ଅଜୁର୍ନ ପୁରସ୍କାର, ୧୯୯୯ରେ ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ବର୍ତ୍ତମାନ କର୍ଣ୍ଣମ ମାଲେଶ୍ବରୀ ଫାଉଣ୍ଡେସନ୍ ନାମରେ ଏକା ଭାରୋତ୍ତୋଳନ ଓ ଶକ୍ତିଉତ୍ତୋଳନ ଏକାଡେମୀ ଖୋଲି ଅନେକ କ୍ରୀଡ଼ାବିତ୍ଙ୍କୁ ତାଲିମ ପ୍ରଦାନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/f87jh9sfd7j9sf7sf98h7sfh98sfh798.jpg)