ଚଟ୍ଟୋଗ୍ରାମ: ଜଣେ ରାତ୍ର ଜଗୁଆଳି ବା ନାଇଟ୍ ୱାଚ୍ମ୍ୟାନ୍ ଅପରାଜିତ ଦ୍ବିଶତକ ଅର୍ଜନ କରିବା କ୍ରିକେଟ୍ ଦୁନିଆରେ ଅଜଣା, ଅଶୁଣା ଥିଲା। ହେଲେ ୨୦୦୬ ମସିହାରେ ଏଭଳି ବିରଳ କୀର୍ତ୍ତିମାନକୁ କରି ଦେଖାଇଥିଲେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାସନ ଗିଲେସ୍ପି। ଚଟ୍ଟୋଗ୍ରାମରେ ଖେଳାଯାଇଥିବା ବାଂଲାଦେଶ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ ସେ ନାଇଟୱାଚ୍ମ୍ୟାନ୍ ଭାବେ ପଡ଼ିଆକୁ ଆସିଥିଲେ। ସେତେବେଳେ ସେ ଅଷ୍ଟ୍ରେଲୀୟ ବୋଲିଂ ବାହିନୀର ପ୍ରମୁଖ ଅସ୍ତ୍ର ଥିଲେ। ହେଲେ ଚଟ୍ଟୋଗ୍ରାମରେ ତାଙ୍କ ବ୍ୟାଟିଂ ମଧ୍ୟ ବିଶ୍ବସ୍ତରୀୟ ଥିଲା। ଏହି ଟେଷ୍ଟ୍ରେ ଗିଲେସ୍ପି ନିଜକୁ ଜଣେ ଅତ୍ୟନ୍ତ ନିର୍ଭରଯୋଗ୍ୟ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍ ଭାବେ ପ୍ରତିଷ୍ଠିତ କରାଇ ପାରିଥିଲେ। ପ୍ରଥମ ଦିନ ଖେଳର ଶେଷ ଆଡ଼କୁ ମାଥ୍ୟୁ ହେଡେନଙ୍କୁ ମହମ୍ମଦ ରଫିକ ଆଉଟ୍ କରିବା ପରେ ଗିଲେସ୍ପି ପଡ଼ିଆକୁ ଆସିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ସେ ୪୨୫ ବଲ୍ ଖେଳି ଫିଲ୍ ଜ୍ୟାକ୍ସଙ୍କ ସହ ୫୩, ରିକି ପଣ୍ଟିଂଙ୍କ ସହ ୯୦ ଓ ମାଇକ୍ ହସିଙ୍କ ସହ ୩୨୦ ରନ୍ର ଭାଗୀଦାରି କରିଥିଲେ। ସେ ଦ୍ବିଶତକ ଛୁଇଁଲା ବେଳକୁ ନନଷ୍ଟ୍ରାଇକର ପଟେ ମାଇକେଲ୍ କ୍ଲାର୍କ ଥିଲେ। ଉଭୟଙ୍କ ମଧ୍ୟରେ ସେତେବେଳକୁ ୫୧ ରନ୍ର ଭାଗୀଦାରି ହୋଇଥିଲା। ଗିଲେପ୍ସି ୨୦୦ ରନ୍ ପୂରଣ କରିବା ପରେ ପରେ ଅଧିନାୟକ ପଣ୍ଟିଂ ୫୮୧/୪ରେ ପାଳି ଘୋଷଣା କରିଥିଲେ। ବାଂଲାଦେଶ ସେହି ମ୍ୟାଚ୍କୁ ପାଳି ଓ ୮୦ ରନ୍ରେ ହାରିଥିଲା। ୧୩ ବର୍ଷ ପରେ ଅଷ୍ଟ୍ରେଲିଆର ଯୁବ ତାରକା ମାର୍ନସ ଲବୁସାନେ ଯେତେବେଳେ ନିଜ ଦ୍ବିଶତକ ଅର୍ଜନ କରିଥିଲେ ଗିଲେସ୍ପି ତାଙ୍କ ଷ୍ଟାଇଲରେ ନିଜ କ୍ଲବ୍କୁ ସ୍ବାଗତ କରିଥିଲେ। ଦ୍ବିଶତକ କ୍ଲବ୍କୁ ନୁଆ ସଦସ୍ୟଙ୍କୁ ଆମନ୍ତ୍ରଣ କରିବା ସବୁବେଳେ ଖୁସି ଦେଇଥାଏ, ବହୁତ ଭଲ ବ୍ୟାଟିଂ କଲ ମାର୍ନସ ବୋଲି ମଜାଦାର ଢଙ୍ଗରେ ସେ ଟ୍ବିଟ୍ କରିଥିଲେ। ଅବସର ପରେ ଗିଲେସ୍ପି ପ୍ରଶିକ୍ଷଣକୁ ପେସା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ଶ୍ରେୟ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ତାଙ୍କୁ ହିଁ ଦିଅନ୍ତି। ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ପକ୍ଷରୁ ଗିଲେସ୍ପି ୭୧ ଟେଷ୍ଟ୍, ୯୭ ଦିନିକିଆ ଓ ଗୋଟିଏ ଟ୍ବେଣ୍ଟି-୨୦ ଖେଳିଛନ୍ତି।
ସେହି ବର୍ଷ, ଆଜିର ତାରିଖ: ରାତ୍ରିଜଗୁଆଳି ହାସଲ କରିଥିଲେ ଦ୍ବିଶତକ
/sambad/media/post_attachments/wp-content/uploads/2020/04/fhsfh574sfh98sf7h98fs4h65sfh456sfh465sfhsfhfhsfhfhsfhhfssfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)