ସେହି ବର୍ଷ, ଆଜିର ତାରିଖ: ବ୍ରେଣ୍ଡନ୍‌ଙ୍କ ବିସ୍ଫୋରଣରୁ ଆରମ୍ଭ

ମୁମ୍ବାଇ: ଆଜିକୁ ଠିକ୍ ୧୨ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୦୮ ମସିହା ଏପ୍ରିଲ ୧୮ ତାରିଖରେ ଆରମ୍ଭ ହୋଇଥିଲା ବିଶ୍ବର ସବୁଠାରୁ ଧନୀ ଓ ଲୋକପ୍ରିୟ କ୍ରିକେଟ୍ ଲିଗ୍ ‘ଆଇପିଏଲ୍‌’। କ୍ରିକେଟ୍ ଖେଳିବା ଓ ଦେଖିବା ଶୈଳୀରେ ଯୁଗାନ୍ତକାରୀ ପରବର୍ତ୍ତନ ଆଣି ପାରିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ ଥିଲା ରାଜସ୍ଥାନ କ୍ରିକେଟ୍‌ ସଂଘର ପୂର୍ବତନ ସଭାପତି ତଥା ବିବାଦୀୟ କ୍ରିକେଟ୍ ପ୍ରଶାସକ ଲଳିତ ମୋଦିଙ୍କ ମାନସ ପୁତ୍ର। ମୋଦି କିନ୍ତୁ କିଛି ସଂସ୍କରଣ ପରେ ଆଇପିଏଲ୍ ସହ ସଂପୂର୍ଣ୍ଣ ବିସିସିଆଇରୁ ବିଦା ହୋଇଥିଲେ। ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କ ବିରୋଧରେ ବୈଦେଶିକ ମୁଦ୍ରା ବିନିମୟ ନିୟମ ଉଲ୍ଲଂଘନ ସହ କେନ୍ଦ୍ର ସରକାରଙ୍କ ଅନ୍ୟ ଯାଞ୍ଚ ଏଜେନ୍ସି ତାଙ୍କ ବିରୋଧରେ ଏକାଧିକ ସଙ୍ଗିନ ଅଭିଯୋଗ ଆଣିବା ପରେ ମୋଦି ଲଣ୍ଡନ ପଳାଇ ନିର୍ବାସନରେ ରହିଥିଲେ। ତାଙ୍କ ଅନୁପସ୍ଥିତି ସତ୍ତ୍ବେ ଆଇପିଏଲ୍ ସଫଳତାର ସ୍ବପ୍ନିଳ ସ୍ତର ଛୁଇଁଥିଲା। କ୍ରିକେଟ୍ ଜଗତର ସବୁଠାରୁ ମୂଲ୍ୟବାନ ବ୍ରାଣ୍ଡ୍ ଭାବେ ଉଭା ହୋଇଛି। ଆଇପିଏଲ୍‌କୁ ଦେଖି ସିପିଏଲ୍ (କାରବୀୟ ପ୍ରିମିୟର ଲିଗ୍), ପିଏସ୍ଏ‌ଲ୍ (ପାକସ୍ତାନ ପ୍ରିମିୟର ଲିଗ୍), ବିପିଏଲ୍ (ବାଂଲାଦେଶ ପ୍ରିମିୟର ଲିଗ୍), ଅଷ୍ଟ୍ରେଲିଆର ବିଗ୍ ବାସ୍ ଓ ଆଫଗାନ ଲିଗ୍ ଭଳି ପ୍ରତିଯୋଗିତା ଆରମ୍ଭ ହୋଇଥିଲେ ମଧ୍ୟ କେହି ଆଇପିଏଲ୍‌ର ସମକକ୍ଷ ହୋଇ ପାରି ନାହାନ୍ତି। ସମଗ୍ର ବିଶ୍ବର ବଛା ବଛା ତାରକା ଖେଳାଳିଙ୍କୁ ନେଇ ଖେଳା ଯାଉଥିବା ଏହି ପ୍ରତିଯୋଗିତା ଗତ ୧୨ ବର୍ଷ ହେବ ସମଗ୍ର ବିଶ୍ବର କ୍ରିକେଟ୍ ପ୍ରେମୀଙ୍କ ପସନ୍ଦର ପ୍ରତିଯୋଗିତା ହୋଇ ରହି ଆସିଛି।

ଦକ୍ଷିଣ ଆଫ୍ରିକାରେ ଭାରତ ୨୦୦୭ ମସିହାରେ ଆୟୋଜିତ ‌ହୋଇଥିବା ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବାର ପରବର୍ଷ ଉଦ୍‌ଘାଟିତ ହୋଇଥିବା ଆଇପିଏଲ୍‌ର ପ୍ରଥମ ସଂସ୍କରଣକୁ ଦର୍ଶକ ଅଜସ୍ର ଭଲ ପାଇବା ଅଜାଡ଼ି ଦେଇଥିଲେ। ଏଭଳି ଏକ ପ୍ରତିଯୋଗିତା ଆଗରୁ ଆୟୋଜିତ ହୋଇ ନଥିବାରୁ ଏବଂ ଏହା କମ୍ ସମୟରେ ମନୋରଞ୍ଜନର ବିପୁଳ ଖୋରାକ ଦେଉଥିବାରୁ ଭାରତୀୟ ଦର୍ଶକ ଏଥିଲାଗି ଏକ ପ୍ରକାର ପାଗଳ ହୋଇ ଯାଇଥିଲେ। କ୍ରିକେଟ୍ ଖେଳଳିଙ୍କ ନିଲାମ ଭଳି ନୂଆ କଥା ଯାହା କେବେ ଶୁଣା ଯାଇ ନଥିଲା, ତାହା ଆଇପିଏଲ୍‌ରେ ଦେଖିବାକୁ ମିଳିଥିଲା। ଆଇପିଏଲ୍‌ ପାଇଁ କିଛି ଘରୋଇ ଓ ବିଦେଶୀ ଯୁବ ପ୍ରତିଭା ରାତାରାତି କୋଟି ପତି ହୋଇ ଯାଇଥିଲେ। ଅପରିଚିତ ଖେଳାଳି ହଠାତ୍ ଲୋକପ୍ରିୟତାର ଶୀର୍ଷ ଛୁଇଁଥିଲେ। ବଣମଲ୍ଲୀ ପାଲଟୁଥିବା କିଛି ଖେଳାଳି ଆଇପିଏଲ୍‌ ପ୍ରଦର୍ଶନ ବଳରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଅର୍ଜନ କରିଥିଲେ। ଖେଳ ସହ ଗ୍ଲାମରର ଫେଣ୍ଟାଫେଣ୍ଟି ଆଇପିଏଲ୍‌କୁ କରିଥିଲା ଅଧିକ ଗ୍ଲାମରିଅସ୍ ଓ ମନଲୋଭା।

ଆଇପିଏଲ ମଧ୍ୟ ଧମାକାଦାର ଶୈଳୀରେ ପଦାର୍ପଣ କରିଥିଲା। ୮ ଦଳକୁ ନେଇ ଖେଳା ଯାଇଥିବା ଏହି ସଂସ୍କରଣର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁର ଏମ୍‌ ଚିନ୍ନ‌ାସ୍ବାମୀ ଷ୍ଟାଡିୟମରେ ‌କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌) ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳା ଯାଇଥିଲା। କେକେଆର୍‌ ଦଳରେ ଥିବା ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌ଲମ୍‌ଙ୍କ ଛକା, ଚୌକା ବର୍ଷାର ୧୫୮ ରନ୍ ପାଳି ଏହି ମ୍ୟାଚ୍‌ର ମୁଖ୍ୟ ଆକର୍ଷଣ ଥିଲା। ମ୍ୟାକ୍‌ଲମ୍‌ଙ୍କ ୧୦ ଚୌକା ଓ ୧୩ ଛକା ଭରା ପାଳି ବଳରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଖେଳିଥିବା କେକେଆର୍‌ ନିର୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୨ ରନ୍‌ର ବିଶାଳ ସ୍କୋର କରିଥିଲା। ଏହାର ଜବାବରେ ରାହୁଲ ଦ୍ରାବିଡ଼ଙ୍କ ଅଧିନାୟକତ୍ବରେ ଖେଳିଥିବା ଆର୍‌ସିବି ସଂପୂର୍ଣ୍ଣ ଆତ୍ମସମର୍ପଣ କରି ୧୫.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୮୨ ରନ୍ କରି ପାରିଥିଲା। ମ୍ୟାକଲମ୍ ତାଙ୍କ ଅବିଶ୍ବସନୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା। ଆଇପିଏଲ୍ ମଧ୍ୟ ଯେଉଁ ଆରମ୍ଭ ଆଶାରେ ଥିଲା ତାହା ପୂରଣ ହୋଇଥିଲା। ଏହି ପାଳିକୁ ମନେ ପକାଇ ମ୍ୟାକଲମ୍ କହିଛନ୍ତି ଯେ ସେଭଳି ଏକ ପାଳି ଖେଳିବା ସହଜ ନଥିଲା। ସେଥିପାଇଁ ଆଇପିଏଲ୍‌ର ପ୍ରଥମ କିଛି ବର୍ଷ ପ୍ରଶଂସକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ମୋ ପାଇଁ ସହଜ ନଥିଲା। ତେବେ ସେହି ପାଳି ଖେଳିବାର ଖୁସି ଓ ଅଭିଜ୍ଞତା ସବୁଦିନ ପାଇଁ ମୋ ମାନସପଟ୍ଟରେ ଚିର ସ୍ମରଣୀୟ ହୋଇ ରହିବ।

ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍-୧ ଜୁନ୍ ପହିଲାରେ ଶେଷ ହୋଇଥିଲା। ଡବଲ ରାଉଣ୍ଡ ରବିନ ଓ ନକଆଉଟ୍ ପଦ୍ଧତିରେ ଖେଳା ଯାଇଥିବା ଏହି ପ୍ରତିଯୋଗିତାରେ ମୋଟ ୫୯ ମ୍ୟାଚ୍ ଆୟୋଜିତ ହୋଇଥିଲା। ୩୪ ଲକ୍ଷରୁ ଅଧିକ ଦର୍ଶକ ପଡ଼ିଆରେ ଏହାକୁ ଦେଖିଥିଲେ। ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ୩ ୱିକେଟ୍‌ରେ ହରାଇ ସେନ୍ ୱାର୍ନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମ ବିଜେତା ହୋଇଥିଲା। ଅଷ୍ଟ୍ରେଲିଆର ସେନ୍ ୱାଟସନ୍ (୪୭୨ ରନ୍, ୧୭ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହି ଅଷ୍ଟ୍ରେଲିଆର ସନ୍ ମାର୍ସ ସର୍ବାଧିକ ୬୧୬ ରନ୍ କରିଥିଲେ। ପାକିସ୍ତାନର ‌ସୋହେଲ ତନବୀର ରାଜସ୍ଥାନ ରୟାଲ୍ସ ପକ୍ଷରୁ ସର୍ବାଧିକ ୨୨ ୱିକେଟ୍ କରାୟତ୍ତ କରିଥିଲେ।

ସେବେଠାରୁ ଆଇପିଏଲ୍‌ ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛି। ତଥାପି ଦିନକୁ ଦିନ ଏହାର ଲୋକପ୍ରିୟତା ବଢ଼ିଛି। ବିଦେଶରେ ହେଉ କି ଘରେ, ସବୁବେଳେ ଏହା କ୍ରିକେଟ୍ ଦୁନିଆକୁ କିଛି ନା କିଛି ନୂଆ ଉପହାର ଦେଇଛି। ୨୦୧୩ ମସିହାର ମ୍ୟାଚ୍ ଫିକ୍ସି ବିବାଦ ହେଉ କି ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ଭଳି ଦଳ ବାସନ୍ଦ ହୁଅନ୍ତ, ‌ଏ ସମସ୍ତ ଧକ୍କା ଆଇପିଏଲର କ୍ରମବର୍ଦ୍ଧନଶୀଳ ଲୋକପ୍ରିୟତାକୁ ପ୍ରଭାବିତ କରି ପାରି ନାହିଁ। ଚଳିତ ବର୍ଷ ଅବଶ୍ୟ କରୋନା ଆତଙ୍କ ପାଇଁ ଆଇପିଏଲ-୧୩ର ଆୟୋଜନ ଦୁର୍ଭାଗ୍ୟଜନକ ଭାବେ ଆଶଙ୍କା ଘେରରେ ରହିଛି।

ସମ୍ବନ୍ଧିତ ଖବର