ଆଶା, ଆଶଙ୍କା: ୧୦୦ ଦିନିଆ ଅଲିମ୍ପିକ୍ସ ଅବଗଣନା ଆରମ୍ଭ

ଟୋକିଓ: ଆଠବର୍ଷ ତଳେ ଜାପାନ ରାଜଧାନୀ ଟୋକିଓ ଯେତେବେଳେ ଅଲିମ୍ପିକ୍ସ-୨୦୨୦ର ଆୟୋଜନ ଅଧିକାର ପାଇଲା, ସେତେବେଳେ ଆୟୋଜକ ଦୌଡ଼ରେ ଥିବା ଅନ୍ୟ ସମସ୍ତ ସହରଠାରୁ ଏହାକୁ ଅଧିକ ସୁରକ୍ଷିତ ଓ ଭରସାଯୋଗ୍ୟ ସ୍ଥାନ ଭାବେ ବିବେଚନା କରାଯାଉଥିଲା। ଆର୍ଥିକ ଓ ରାଜନୈତିକ ସ୍ଥିରତା ଦୃଷ୍ଟିରୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ଟୋକିଓକୁ ହିଁ ଯୋଗ୍ୟ ପ୍ରାର୍ଥୀ ଭାବେ ବାଛିଥିଲା। ହେଲେ କୋଭିଡ୍-୧୯ ମହାମାରୀ ଯେମିତି ସବୁକିଛି ଓଲଟ ପାଲଟ କରିଦେଇଛି। ଅଲିମ୍ପିକ୍ସ (୨୦୨୦) ପୂର୍ବରୁ ଥରେ ସ୍ଥଗିତ ହୋଇସାରିଛି। ଆଉ ଥରେ ଅଟକିବାର ଆଶଙ୍କା ବି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଦୂର ହୋଇନି। କୋଭିଡ୍‌ ଲହରର ଲେଉଟାଣୀ ଭିତରେ କିନ୍ତୁ ବୁଧବାର ଏହି ଅଭିଶପ୍ତ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ଆରମ୍ଭ ହୋଇଛି। ୨୪ ଜୁଲାଇରୁ ୯ ଅଗଷ୍ଟ ୨୦୨୦ରୁ ସ୍ଥଗିତ ହୋଇ ଜୁଲାଇ ୨୩ରୁ ୮ ଅଗଷ୍ଟ ୨୦୨୧କୁ ଘୁଞ୍ଚିଥିବା ଅଲିମ୍ପିକ୍ସର ଏହି ସଂସ୍କରଣରେ ବିଦେଶୀ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ ବୋଲି ଜାପାନ ପୂର୍ବରୁ ସ୍ପଷ୍ଟ କରିଦେଇଛି। ତା ସତ୍ତ୍ବେ ଘରୋଇ ପରିବେଶ ଓ ପରିସ୍ଥିତି ସହ କୋଭିଡ୍ ସଂକ୍ରମଣର ଆଉ ଏକ ଲହର ଜାପାନକୁ ଗ୍ରାସ କରିବା ପରେ ଖେଳାଳି ଓ ଅଧିକାରୀଙ୍କ ସୁରକ୍ଷା ନେଇ ଆୟୋଜକମାନେ ଘୋର ଚିନ୍ତାରେ ରହିଛନ୍ତି। ସେହିଭଳି କୋଭିଡ୍ ସଙ୍କଟ ଜନିତ ଲକଡାଉନ୍, କଟକଣା ଓ ସଟ୍‌ଡାଉନ୍ ପାଇଁ ଖେଳାଳିଙ୍କ ଯାତାୟାତ, ରହଣି ଓ ପରିଚାଳନା ମଧ୍ୟ ଆୟୋଜକଙ୍କ ପାଇଁ ଆଉ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ‘‘ପରିସ୍ଥିତି ନିୟମିତ ଭାବେ ବଦଳିବାରେ ଲାଗିଛି।

ଗତ କିଛି ମାସ ଭିତରେ କୋଭିଡ୍ ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଯଦି ଏଭଳି ସ୍ଥିତି ଲାଗିରହେ, ଅଲିମ୍ପିକ୍ସ ପ୍ରସ୍ତୁତି ଜାରି ରଖିବା ଅତ୍ୟନ୍ତ କଷ୍ଟକର ହୋଇଯିବ’’ ବୋଲି ସ୍ଥାନୀୟ ଆୟୋଜକ ସମିତିର ବରିଷ୍ଠ ଅଧିକାରୀ ହିଦେମାସା ନାକାମୁରା କହିଛନ୍ତି। ଅଲିମ୍ପିକ୍ସ ଅବସରରେ ଖେଳାଳିମାନେ ସ୍ଥାନୀୟ ରେଷ୍ଟୁରାଣ୍ଟ ଓ ହୋଟେଲକୁ ଯିବା ଉପରେ ଅଙ୍କୁଶ ଜାରି କରିବାକୁ ସମିତି ଚିନ୍ତା କରୁଥିବା ସେ ସୂଚନା ଦେଇଛନ୍ତି। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ଅଲିମ୍ପିକ୍ସ ଗ୍ରାମରେ ୨୦୦ରୁ ଅଧିକ ଦେଶର ପାଖାପାଖି ୧୫,୦୦୦ ଖେଳାଳି ରହିବେ। ୧୨୬,୦୦୦ ସ୍ବେଚ୍ଛାସେବୀ ମଧ୍ୟ ଅଲିମ୍ପିକ୍ସ ବେଳେ କାର୍ଯ୍ୟ କରିବେ। ଏମାନଙ୍କୁ କୋଭିଡ୍ ମୁକ୍ତ ରଖିବା ଆଦୌ ସହଜ ହେବନି। ଅବଶ୍ୟ ଅଲିମ୍ପିକ୍ସର ୧୦୦ ଦିନିଆ ଅବଗଣନା ପାଇଁ ବୁଧବାର ଟୋକିଓରେ ଏକ ନିରାଡମ୍ବର ଉତ୍ସବ ଆୟୋଜିତ ହୋଇଥିଲା। ଏସବୁ ଭିତରେ ୭୦ ପ୍ରତିଶତ ଜାପାନବାସୀ ଅଲିମ୍ପିକ୍ସ ସଂପୂର୍ଣ୍ଣ ବାତିଲ ହେଉ କିମ୍ବା ପୁଣି ଥରେ ବିଳମ୍ବିତ ହେଉ ବୋଲି ଏକ ଗଣନାରୁ ଜଣାପଡ଼ିବା ପରେ ସେଠାକାର ସରକାର ଏବେ ଅଡ଼ୁଆରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର