ଟୋକିଓ ଗଲେ ଦେବେନ୍ଦ୍ରଙ୍କ ସହ ୧୨ ଜଣିଆ ଭାରତୀୟ ଦଳ

ପରାଜୟରୁ ‌ସୋନାଲ, ଭବିନାଙ୍କ ଅଭିଯାନ

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସ ପାଇଁ ବୁଧବାର ୧୨ ଜଣିଆ ଭାରତୀୟ ଦଳ ଜାପାନ ଗସ୍ତ କରିଛି। ଭେଟେରାନ ଦେବେନ୍ଦ୍ର ଝାଝାରିଆ ଓ ବିଶ୍ବ ବିଜେତା ସନ୍ଦୀପ ଚୌଧୁରୀଙ୍କ ସହ ୫ ଜଣ ଜାଭ୍‌ଲେନ୍‌ ଫିଙ୍ଗାଳି ଏହି ଦଳରେ ରହିଛନ୍ତି। ଦୁଇ ଉଚ୍ଚ ଡିଆଁଳି ନିଶାଦ କୁମାର ଓ ରାମ ପାଲ୍‌ ଏବଂ ଜଣେ ଡିସ୍‌କସ୍‌ ଫିଙ୍ଗାଳି ଯୋଗେଶ କାଥୁନିୟା ମଧ୍ୟ ଏହି ଦଳ ସହ ଟୋକିଓ ଗସ୍ତ କରିଛନ୍ତି। ଏଥେନ୍ସ ଓ ରିଓ ପାରାଲିମ୍ପିକ୍ସ‌ ସ୍ବର୍ଣ୍ଣ ବିଜେତା ଦେବେନ୍ଦ୍ର ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛନ୍ତି। ତାଙ୍କ ନାମରେ ବିଶ୍ବ କୀର୍ତ୍ତିମାନ ମଧ୍ୟ ରହିଛି। ଗତ ଜୁନ୍‌ରେ ସେ ୬୫.୩୭ ମିଟର ଫିଙ୍ଗି ନିଜ ପୂର୍ବ କୀର୍ତ୍ତିମାନ (୬୩.୯୭) ଭାଙ୍ଗି ଅଲିମ୍ପିକ୍ସ ଟିକେଟ୍‌ କରାୟତ୍ତ କରିଥିଲେ। ଦେବେନ୍ଦ୍ରଙ୍କ ସମେତ ଅଜିତ ସିଂହ ଓ ସୁନ୍ଦର ଗୁର୍ଜାରଙ୍କଠୁ ପଦକ ଆଶା ରହିଛି। ପୁରୁଷ ଏଫ୍‌-୪୬ରେ ଭାରତ ୩ଟି ଯାକ ପଦକ ପୋଛି ନେବାର ସମ୍ଭାବନା ରହିଛି। ଏଫ୍‌-୬୪ରେ ସନ୍ଦୀପଙ୍କ ସହ ସୁମିତ ଅନ୍ତିଲ ବିଶ୍ବ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବାରୁ ପଦକ ଦୌଡ଼ରେ ଆଗରେ ରହିଛନ୍ତି। ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଇଭେଣ୍ଟ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବ।

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ବୁଧବାରଠୁ ଭାରତର ଅଭିଯାନ ଆରମ୍ଭ ‌ହୋଇଛି। ହେଲେ ଏହି ଅଭିଯାନ ନିରାଶାଜନକ ରହିଛି। ପ୍ରଥମ ଦିନରେ ଇଭେଣ୍ଟ୍‌କୁ ଓହ୍ଲାଇଥିବା ଦୁଇ ଟେବୁଲ ଟେନିସ ଖେଳାଳି ସୋନାଲବେନ ମନୁଭାଇ ପଟେଲ ଏବଂ ଭବିନାବେନ ହସମୁଖଭାଇ ପଟେଲ ନିଜ ନିଜ ମ୍ୟାଚ୍‌ ହାରି ଯାଇଛନ୍ତି। ମହିଳା କ୍ଲାସ୍‌-୩ ଗ୍ରୁପ୍‌-ଡି’ର ପ୍ରଥମ ମ୍ୟାଚ୍‌ରେ ସୋନାଲବେନ କଡ଼ା ସଂଘର୍ଷ କରି ୨-୩ (୧୧-୯,୩-୧୧, ୧୭-୧୫, ୭-୧୧, ୪-୧୧)ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନର କ୍ବିଆନ୍‌ ଲି’ଙ୍କଠୁ ହାରି ଯାଇଥିଲେ। ସେହିଭଳି ମହିଳା କ୍ଲାସ୍‌-୪ ଗ୍ରୁପ୍‌-ଏ’ର ପ୍ରଥମ ମ୍ୟାଚ୍‌ରେ ଭବିନାବେନ ୦-୩ (୩-୧୧, ୯-୧୧, ୨-୧୧)ରେ ଚାଇନିଜ୍‌ ତାଇପେର ଝୌ ୟିଙ୍ଗ୍‌ଙ୍କଠୁ ପରାସ୍ତ ହୋଇଥିଲେ।

ବ୍ରି‌ଟିସ୍‌ ସ‌ାଇକ୍ଲିଷ୍ଟ ‌ଷ୍ଟୋରେଙ୍କ ଚମକ ଜାରି: ଇତିହାସ ରଚିବାଠୁ ଗୋଟିଏ ପାଦ ଦୂରରେ

ଟୋକିଓ: ବ୍ରିଟିସ୍‌ ସାଇକ୍ଲିଷ୍ଟ ସାରା ଷ୍ଟୋରେ ପାରାଲିମ୍ପିକ୍ସରେ ନିଜର ଚମକ ଜାରି ରଖି ଇତିହାସ ରଚିବା ଲାଗି ଆଉ ଗୋଟିଏ ପାଦ ଦୂରରେ ରହିଛନ୍ତି। ବୁଧବାର ସେ ସି୫ ୩୦୦୦ ମିଟର ବ୍ୟକ୍ତିଗତ ପରସୁଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରି ନିଜ ସ୍ବର୍ଣ୍ଣ ସଂଖ୍ୟା ୧୫ରେ ପହଞ୍ଚାଇଛନ୍ତି। ଏଥିସହ ସେ ସର୍ବାଧିକ ସ୍ବର୍ଣ୍ଣ ବିଜେତା ମାଇକ୍‌ କେନିଙ୍କଠୁ ଗୋଟିଏ ପଦକ ଦୂରରେ ରହିଛନ୍ତି। ସନ୍ତରଣ ତାରକା କେନି ୧୯୭୬ରୁ ୧୯୮୮ ମଧ୍ୟରେ ୧୬ ସ୍ବର୍ଣ୍ଣ ପଦକ ଜିତିଥିଲେ।

ଟୋକିଓ ପାରାଲିମ୍ପିକ୍ସରେ ପ୍ରଥମ ସ୍ବର୍ଣ୍ଣ ଜିତିଲେ ଗ୍ରିକୋ

ଟୋକିଓ: ଅଷ୍ଟ୍ରେଲୀୟ ସାଇକ୍ଲିଷ୍ଟ ପାଇଗେ ଗ୍ରିକୋ ଚଳିତ ଟୋକିଓ ପାରାଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ୨୪ ବର୍ଷୀୟା ଗ୍ରିକୋ ଇଜୁ ଭେଲୋଡ୍ରୋମରେ ଆୟୋଜିତ ମହିଳା ସି୧-୩ ୩୦୦୦ ମିଟର ବ୍ୟକ୍ତିଗତ ପରସୁଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୩ ମିନିଟ୍‌ ୫୦.୮୧୫ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିବା ସହ ବିଶ୍ବ କୀର୍ତ୍ତିମାନ ମଧ୍ୟ ରଚିଥିଲେ। ଚୀନ୍‌ର ୱାଙ୍ଗ ଜିଓମି ରୌପ୍ୟ ଓ ଜର୍ମାନିର ଡେନିସେ ଶ୍ଚଲିଣ୍ଡର କାଂସ୍ୟ ପଦକ ଜିତିଥିଲେ। ସି୪ ୩୦୦୦ ମିଟର ବ୍ୟକ୍ତିଗତ ପରସୁଟ୍‌ରେ ଏମିଲି ପେଟ୍ରିକୋଲା (୩:୩୮.୦୬୧) ବିଶ୍ବ କୀର୍ତ୍ତିମାନ ସହ ଅଷ୍ଟ୍ରେଲିଆ ପାଇଁ ଦ୍ବିତୀୟ ସ୍ବର୍ଣ୍ଣ ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର