୧୩୦ତମ ଡୁରାଣ୍ଡ୍ କପ୍‌ ସେପ୍ଟେମ୍ବର ୫ରୁ

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ସର୍ବପୁରାତ୍ତନ ତଥା ଏସିଆର ସର୍ବପୁରାତ୍ତନ ଫୁଟ୍‌ବଲ୍‌ ପ୍ରତିଯୋଗିତା ଡୁରାଣ୍ଡ୍‌ କପ୍‌ର ୧୩୦ତମ ସଂସ୍କରଣ ‌ଗୋଟିଏ ବର୍ଷ ପରେ ପୁଣି ଆୟୋଜିତ ହେବାକୁ ଯାଉଛି। କୋଭିଡ୍‌ ପାଇଁ ଏହା ଗତବର୍ଷ ଖେଳାଯାଇପାରିନଥିଲା। ୧୬ଟି ଦଳକୁ ନେଇ କୋଲ୍‌କାତାର ଆଖପାଖରେ ଏହା ସେପ୍ଟେମ୍ବର ୫ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଖେଳା‌ଯିବ। ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ, ଆଇଏଫଏ (ୱେଷ୍ଟବେଙ୍ଗଲ୍), ପଶ୍ଚିମବଙ୍ଗ ସରକାର ମିଳିତ ଭାବେ ଏହାକୁ ଅୟୋଜନ କରୁଛନ୍ତି। ୧୮୮୮ ମସିହାରେ ସିମଳାର ଅନାଡେଲ୍‌ରେ ପ୍ରଥମ ଥର ଏହି ପ୍ରତିଯୋଗିତା ଅନୁଷ୍ଠିତ ‌ହୋଇଥିଲା। ବ୍ରିଟିଶ୍ ଇଣ୍ଡିଆର ବିଦେଶ ସଚିବ ମର୍ଟିମର୍‌ ଡୁରାଣ୍ଡଙ୍କ ଏହା ନାମିତ ହୋଇଥିଲା।

ବ୍ରିଟିଶ ଟ୍ରୁପ୍‌ଙ୍କ ଫିଟ୍‌ନେସ୍‌ ପାଇଁ ପ୍ରଥମେ ଏହା ଆ‌‌‌ୟୋଜିତ ହୋଇଥିବା ବେଳେ ପରେ ସାଧାରଣ ଲୋକଙ୍କ ପାଇଁ ମୁକ୍ତ କରିଦିଆଯାଇଥିଲା। ଦୁଇ କୋଲକାତା ଦଳ ମାହନ ବାଗାନ ଓ ଇଷ୍ଟବେଙ୍ଗଲ୍ ସର୍ବାଧିକ ୧୬ ଲେଖାଏଁ ଏହ‌ାକୁ ଜିତି ସଫଳତମ ଦଳ ରହିଛନ୍ତି। ୧୯୬୫ ମସିହାଠାରୁ ଏହା ରୋଲିଂ ଟ୍ରଫି ପ୍ରଦାନ କରାଯାଇ ଆସୁଛି। ପ୍ରତିଯୋଗିତାକୁ ୨୦୧୯ରେ ଦିଲ୍ଲୀରୁ କୋଲକାତା ସ୍ଥାନାନ୍ତର କରାଯାଇଥିଲା। ଫାଇନାଲରେ ଗୋକୁଳମ କେରଳ ୨-୧ରେ ମୋହନ ବାଗାନକୁ ହରାଇ ବିଜେତା ହୋଇଥିଲା। କୋଭିଡ୍‌ ପାଇଁ ଗତବର୍ଷ ଏହା ଖେଳାଯାଇପାରିନଥିଲା।

ସମ୍ବନ୍ଧିତ ଖବର