ପ୍ରଥମ ହକି ଇଣ୍ଡିଆ କନିଷ୍ଠ ଅନ୍ତଃଜୋନ୍‌ ପ୍ରତିଯୋଗିତା ଆଜିଠୁ: ସୋମବାର ଆସାମକୁ ଭେଟିବେ ଦୁଇ ଓଡ଼ିଶା ଦଳ

ଭୁବନେଶ୍ବର: ପ୍ରଥମ ଥର ପାଇଁ ହକି ଇଣ୍ଡିଆ ପରିଚାଳିତ କନିଷ୍ଠ ପୁରୁଷ ଓ ମହିଳା ଅନ୍ତଃଜୋନ୍‌ ପ୍ରତିଯୋଗିତା ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଜରିଆରେ ହକି ଇଣ୍ଡିଆ ତୃଣମୂଳ ବିକାଶ କାର୍ଯ୍ୟକ୍ରମର ଅୟମାରମ୍ଭ ମଧ୍ୟ ହେବ। ଭବିଷ୍ୟତର ନୂଆ ପ୍ରତିଭା ଚିହ୍ନଟ କରି ଜାତୀୟସ୍ତରକୁ ଆଣିବା ଉଦ୍ଦେଶ୍ୟରେ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ହକି ଇଣ୍ଡିଆ ଏହି ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ଏହାର ସଭାପତି ପଦ୍ମଶ୍ରୀ ଦିଲିପ ତିର୍କି କହିଛନ୍ତି। ଏଥିରେ ୪ଟି ଜୋନ୍‌ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାଗ ‌ନେ‌‌‌ବେ। ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ଏହି ପ୍ରତିଯୋଗିତା ଲିଗ୍‌ ଫର୍ମାଟ୍‌ରେ ଖେଳାଯିବ। ଏଥିରେ ମୋଟ ୨୩ ଲେଖାଏଁ କନିଷ୍ଠ ପୁରୁଷ ଓ ମହିଳା ଦଳ ଭାଗ ନେବେ। ମୋଟ ୧୧୭ ମ୍ୟାଚ୍‌ ଖେଳାଯିବ।

ପୂର୍ବାଞ୍ଚଳ ପ୍ରତିଯୋଗିତା ଝାଡ଼ଖଣ୍ଡର ଖୁଣ୍ଟି (ରାଞ୍ଚି)ରେ ଆୟୋଜିତ ହେଉଥିଲା ବେଳେ ପୁରୁଷରେ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଆସାମ ଓ ବେଙ୍ଗଲ ଏବଂ ମହିଳାରେ ଝାଡ଼ଖଣ୍ଡ, ଓଡ଼ିଶା, ମିଜୋରାମ, ବେଙ୍ଗଲ, ବିହାର ଓ ଆସାମ ଅଂଶଗ୍ରହଣ କରୁଛନ୍ତି। ହକି ଆସୋସିଏସନ ଅଫ୍‌ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଦଳ ସୋମବାର (୨୦ ତାରିଖ) ସମାନ ପ୍ରତିଦ୍ବନ୍ଦ୍ବୀ ଆସାମ ବିପକ୍ଷରେ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବେ। ଓଡ଼ିଶା ପୁରୁଷ ଦଳ ୨୧ରେ ବିହାର, ୨୩ରେ ବେଙ୍ଗଲ, ୨୫ରେ ଝାଡ଼ଖଣ୍ଡ ସହ ପରବର୍ତୀ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଥିଲା ବେଳେ ମହିଳା ଦଳ ୨୧ରେ ମିଜୋରାମ, ୨୨ରେ ବିହାର, ୨୩ରେ ଝାଡ଼ଖଣ୍ଡ, ୨୫ରେ ବେଙ୍ଗଲ ସହ ପରବର୍ତୀ ଲିଗ୍‌ ମ୍ୟାଚ୍‌ ଖେଳିବ। ୨୬ ତାରିଖରେ ତୃତୀୟ/ଚତୁର୍ଥ ସ୍ଥାନ ସହ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର