ରଣଜୀ ଟ୍ରଫି ପାଇଁ ୨୦ ଜଣିଆ ଓଡ଼ିଶାା ଦଳ: ବାରବାଟୀରେ ବରୋଦା ବିପକ୍ଷରେ ଅଭ୍ୟାସ ମ୍ୟାଚ୍

ଅଂଶୁମାନ, ରାକେଶ, ପ୍ରଶାନ୍ତ, ଆଶିଷ, ତାରିଣୀ ନୂଆ ମୁହଁ, ଅହମଦାବାଦରେ ସୌରାଷ୍ଟ୍ର, ମୁମ୍ବାଇ, ଗୋଆକୁ ଶୁଭ୍ରାଂଶୁଙ୍କ ନେତୃତ୍ବରେ ଭେଟିବ

ଭୁବନେଶ୍ବର: ଅହମଦାବାଦରେ ଖେଳିବାକୁ ଥିବା ସୌରାଷ୍ଟ୍ର, ମୁମ୍ବାଇ ଏବଂ ଗୋଆ ବିପକ୍ଷ ରଣଜୀ ଟ୍ରଫି ମ୍ୟାଚ୍ ଲାଗି ରବିବାର ୨୦ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ପୂର୍ବତନ ରଣଜୀ ତାରକା ପ୍ରଭଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତା‌ରେ ବରିଷ୍ଠ ଚୟନ ସମିତି ବୈଠକରେ ଗୋଟିଏ ବର୍ଷର ବ୍ୟବଧାନ ପରେ ଖେଳାଯିବାକୁ ଥିବା ଏହି ପ୍ରତୀକ୍ଷିତ ତଥା ସମ୍ମାନଜନକ ପ୍ରତିଯୋଗିତା ଲାଗି ରାଜ୍ୟ ଦଳ ବଛାଯାଇଛି। ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଭଞ୍ଜନ ଦଳ ଘୋଷଣା କରିଥିଲେ। ତଦନୁଯା‌ୟୀ ଏଥର ଓଡ଼ିଶା ରଣଜୀ ଦଳରେ ୫ ଜଣ ନୂଆମୁହଁଙ୍କୁ ଦେଖିବାକୁ ମିଳିବ। ଦିନିକିଆ ଦଳର ନେତୃତ୍ବ ନେଉଥିବା ଶୁଭ୍ରାଂଶୁ ସେନାପତିଙ୍କୁ ରଣଜୀ ଦଳର ନେତୃତ୍ବଭାର ମଧ୍ୟ ମିଳିଛି। ହଂକଂ ଜାତୀୟ ଦଳର ପ୍ରତିନିଧିତ୍ବ କରିବାର ଅଭିଜ୍ଞତା ରଖିଥିବା ଅଂଶୁମାନ ରଥଙ୍କୁ ଏଥରର ରଣଜୀରେ ଓଡ଼ିଶା ଜର୍ସି ପିନ୍ଧି ଖେଳୁଥିବାର ଦେଖିବାକୁ ମିଳିବ।

ପୂର୍ବରୁ ଅବଶ୍ୟ ସେ ସୟଦ ମୁସ୍ତାକ ଅଲ୍ଲୀ ପ୍ରତିଯୋଗିତାରେ ଏହି ୨୫ ବର୍ଷୀୟ ଅଲରାଉଣ୍ଡର ଓଡ଼ିଶା ଟ୍ବେଣ୍ଟି-୨୦ ଦଳର ପ୍ରତିନିଧିତ୍ବ କରିଥିଲେ। ତେବେ ସେ‌ତେଟା ସଫଳ ହୋଇ ନଥିଲେ। ବାମହାତୀ ବ୍ୟାଟିଂ ଏବଂ ବାମହାତୀ ସ୍ପିନ୍ ବୋଲିଂ ସହ ୱିକେଟ୍‌ରକ୍ଷଣ କରିବାର ଦକ୍ଷତା ରଖିଥିବା ଅଂଶୁମାନଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତାକୁ ଆଖି ଆଗରେ ରଖି ତାଙ୍କୁ ଆଉ ଏକ ସୁଯୋଗ ମିଳିଛି। ସେହିଭଳି ରାଜ୍ୟ କ୍ରିକେଟର୍‌ ଅନ୍ୟ ଚାରି ଉଦୀୟମାନ ତାରକା ରାକେଶ ପଟ୍ଟନାୟକ, ପ୍ରଶାନ୍ତ ରଣା, ଆଶିଷ ରାୟ ଏବଂ ତାରିଣୀ ସା’ ମଧ୍ୟ ପ୍ରଥମ ଥର ପାଇଁ ଓଡ଼ିଶା ରଣଜୀ ଦଳକୁ ଡାକରା ପାଇଛନ୍ତି। ଗତବର୍ଷଠାରୁ ଆଶାଜନକ ପ୍ରଦର୍ଶନ କରି ନଥିବାରୁ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କୁ ଦଳରେ ସୁଯୋଗ ମିଳି ନଥିବା ପ୍ରବଞ୍ଜନ କରିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା କ୍ରିକେଟ୍‌କୁ ଲଗାତାର ଦେଇ ଆସୁଥିବା ସେବା ପାଇଁ ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ ଦଳରେ ୪ ଜଣ ଓପନର୍‌, ୭ ଜଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଏବଂ ବସନ୍ତ ଓ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ପ୍ରତିନିଧିତ୍ବ କରିସାରିଥିବା ରାଜେଶ ମହାନ୍ତିଙ୍କ ରୂପରେ ଦୁଇ ଜଣ ପ୍ରତିଭାବାନ ଦ୍ରୁତ ବୋଲର ଅଛନ୍ତି। ସୁଜିତ ଲେଙ୍କା ଓ ରାଜେଶ ଧୂପରଙ୍କ ରୁପରେ ଦୁଇଜଣ ୱିକେଟ୍‌ରକ୍ଷକ ରହିଛନ୍ତି। ଓଡ଼ିଶା ଖେଳାଳିମାନେ ଆସନ୍ତା ଗୁରୁବାର ଅହମଦାବାଦ ଅଭିମୁଖେ ଯାତ୍ରା କରିବେ। ବିସିସିଆଇ ଏ ପର୍ଯ୍ୟନ୍ତ ମ୍ୟାଚ୍ ସୂଚୀ ‌ଦେଇ ନଥିବାରୁ ଏବେସୁଦ୍ଧା ଓଡ଼ିଶା ତାର ଅଭିଯାନ କେବେ ଆରମ୍ଭ କରିବ ତାହା ସ୍ପଷ୍ଟ ହୋଇନାହିଁ। ଓଡ଼ିଶା ଦଳକୁ ଆଗାମୀ ମ୍ୟାଚ୍ ଲାଗି ଓଡ଼ିଶା କ୍ରିକେଟ୍ ସଂଘ ସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ ସଂପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ଓଡ଼ିଶା ଦଳ: ଶୁଭ୍ରାଂଶୁ ସେନାପତି (ଅଧିନାୟକ), ଅନୁରାଗ ଷଡ଼ଙ୍ଗୀ, ସାନ୍ତନୁ ମିଶ୍ର, ସନ୍ଦୀପ ପଟ୍ଟନାୟକ, ଅଂଶୁମାନ ରଥ, ଗୋବିନ୍ଦ ପୋଦ୍ଦାର, ଅଭିଷେକ ରାଉତ, ଦେବାଶିଷ ସାମନ୍ତରାୟ, ରାକେଶ ପଟ୍ଟନାୟକ, ସୁଜିତ ଲେଙ୍କା, ରାଜେଶ ଧୂପର, ଜୟନ୍ତ ବେହେରା, ପପ୍ପୁ ରାଏ, ଶୁଭମ ନାୟକ, ବସନ୍ତ ମହାନ୍ତି, ରାଜେଶ ମହାନ୍ତି, ଦେବବ୍ରତ ପ୍ରଧାନ, ପ୍ରଶାନ୍ତ ରଣା, ଆଶିଷ ରାୟ, ତାରିଣୀ ସ’।

ବାରବାଟୀରେ ବରୋଦା ବିପକ୍ଷରେ ଅଭ୍ୟାସ ମ୍ୟାଚ୍

ଅହମଦାବାଦ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଓଡ଼ିଶା ରଣଜୀ ଦଳ ବାରବାଟୀ ଷ୍ଟାଡିୟମ୍‌ରେ ବରୋଦା ବିପକ୍ଷରେ ଦୁଇ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ ମଙ୍ଗଳ ଏବଂ ବୁଧବାର ଦୁଇ ଦିନ ଧରି ଖେଳାଯିବ। ଏଥିଲାଗି ଓସିଏକୁ ଧନ୍ୟବାଦ ଦେଇଛନ୍ତି ସେ। ‘‘ଓସିଏ ଅତୀତରେ ଝାଡ଼ଖଣ୍ଡ ସହ ଅଭ୍ୟାସ ମ୍ୟାଚ୍ ଖେଳିବା ଲାଗି ବ୍ୟବସ୍ଥା‌ କରିଥିଲା। ଏବେ ଆମେ ବରୋଦା ବିପକ୍ଷରେ ଆଉ ଏକ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ଯାଉଛୁ। ଏଥିଲାଗି ମୁଁ ଓସିଏକୁ ଧନ୍ୟବାଦ ଦେଉଛି। ଓଡ଼ିଶା ଦିନିକିଆରେ ବହୁତ ଭଲ କରିଥିଲା। ଏଣୁ ଆଗାମୀ ରଣଜୀ ଋତୁରେ ନିଶ୍ଚିତ ଭାବେ ଭଲ କରିବ ବୋଲି ଭରସା ରହିଛି। ଅତୀତରେ ଆମେ ଗୋଆ, ସୌରାଷ୍ଟ୍ର ଏପରିକି ମୁମ୍ବାଇ ବିପକ୍ଷରେ ବହୁତ ଭଲ କ୍ରିକେଟ୍ ଖେଳିଛୁ। ଏଣୁ ଓଡ଼ିଶା ଅଣ୍ଡରଡଗ୍ ବୋଲି କହିବା ଠିକ୍ ନୁହେଁ। ଆମ ଉପରେ କୌଣସି ଚାପ ନାହିଁ। ତା ମୁଖ୍ୟ ପ୍ରଶିକ୍ଷକ ୱାସିମ ଜାଫରଙ୍କ ଉପସ୍ଥିତି ମଧ୍ୟ ଆମ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଇବ’’ ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପ୍ରଭଞ୍ଜନ।

ସମ୍ବନ୍ଧିତ ଖବର