ପୋଚେଫଷ୍ଟ୍ରମ୍: ବୃହତ୍ ବିଜୟରୁ ଭାରତୀୟ ହକି ଦଳ ଚଳିତବର୍ଷର ଅଭିଯାନ ଆରମ୍ଭ କରିଛି। ବର୍ଷର ପ୍ରଥମ ମ୍ୟାଚ୍ରେ ଫ୍ରାନ୍ସକୁ ଏକତରଫା ଭାବେ ୫-୦ ପରାସ୍ତ କରି ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ରେ ନିଜ ଆଧିପତ୍ୟ ଜାହିର କରିଛି। ମଙ୍ଗଳବାରର ଏହି ବହୁ ପ୍ରତୀକ୍ଷିତ ମୁକାବିଲାକୁ ଭାରତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣରେ ରଖିଥିଲା।
ମଙ୍ଗଳବାର ମୁକାବିଲାରେ ଭାରତୀୟ ଅଗ୍ରଭାଗ ଖେଳାଳିଙ୍କୁ ଫ୍ରାନ୍ସ ପ୍ରଥମ କ୍ବାର୍ଟରରେ କଷ୍ଟେମଷ୍ଟେ ରୋକିଥିଲା। ଦ୍ବିତୀୟ କ୍ବାର୍ଟରରେ କିନ୍ତୁ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ଘରୋଇ ଫ୍ରାନ୍ସର ଦୁର୍ବଳ ରକ୍ଷଣଭାଗକୁ ବାରମ୍ବାର ଚକ୍ମା ଦେଇଥିଲେ ଭାରତୀୟ ଖେଳାଳି। ତା ସହ ଅଧିକାଂଶ ସମୟ ବଲ୍କୁ ଫ୍ରାନ୍ସ ସର୍କଲ ଭିତରେ ରଖିଥିଲେ। ଏହି କ୍ବାର୍ଟରରେ ଲଗାତାର ତିନିଟି ଗୋଲ୍ ଦେଇ ଭାରତ ବିଜୟ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲା। ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ଦଳକୁ ତିନିଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ମିଳିଥିଲା। ଏହି ତିନିଟି ଗୋଲ୍ ହର୍ମନପ୍ରୀତ ସିଂହ (୨୧ ମିନିଟ୍) , ବରୁଣ କୁମାର (୨୪ ମିନିଟ୍) ଓ ସମସେର ସିଂହ (୨୮ ମିନିଟ୍) ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ରେ ଆଗୁଆ ରହିଥିବା ଭାରତ ତୃତୀୟ କ୍ବାର୍ଟରରେ ମଧ୍ୟ ଫ୍ରାନ୍ସ ରକ୍ଷଣଭାଗ ଖେଳାଳିଙ୍କୁ ଆପାତତଃ ନିଶ୍ବାସ ନେବାକୁ ସମୟ ଦେଇ ନଥିଲା। ଅପୂର୍ବ ତାଳମେଳ ଏବଂ କୌଶଳପୂର୍ଣ୍ଣ ହକି ଖେଳି ନିଜ ଆକ୍ରମଣର ମାତ୍ରାକୁ ଆହୁରି ତୀବ୍ର କରିନେଇଥିଲା। ମନପ୍ରୀତଙ୍କଠାରୁ ପାଇଥିବା ପାସ୍କୁ ସଫଳତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ମନଦୀପ ସିଂହ (୩୨ ମିନିଟ୍) ହିଁ ଭାରତକୁ ୪-୦ରେ ଆଗୁଆ କରି ଦେଇଥିଲେ। ଏହି ଗୋଲ୍ ମ୍ୟାଚ୍ର ପ୍ରଥମ ଫିଲ୍ଡ ଗୋଲ୍ ସ୍କୋ କରିଥିଲା। ଏହା ପରେ ଆକାଶଦୀପ ସିଂହ (୪୧ ମିନିଟ୍) ଏକାକି ଫ୍ରାନ୍ସ ଗୋଲ୍ ରକ୍ଷକଙ୍କୁ ଚକ୍ମା ଦେଇ ଆଉ ଏକ ସୁନ୍ଦର ଗୋଲ୍ ଅର୍ଜନ କରିଥିଲେ। ଆଉ ଭାରତ ସ୍ଥିତି ୫-୦ କରିନେଇଥିଲା। ଅଗ୍ରଭାଗ ଖେଳାଳି ଆକାଶଦୀପ ମଧ୍ୟ ନିଜ ୨୦୦ତମ ମ୍ୟାଚ୍କୁ ସବୁଦିନ ପାଇଁ ସ୍ମରଣୀୟ କରି ଦେଇଥିଲେ। ଭାରତ ତାର ପରବର୍ତ୍ତୀ ମ୍ୟାଚ୍ରେ ବୁଧବାର ଘରୋଇ ଦକ୍ଷିଣ ଆଫ୍ରିକାକୁ ଭେଟିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/sf4hf6h46f5h4fh65fh56.jpg)