ନୂଆଦିଲ୍ଲୀ: ୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଭାରତ ସରକର ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)କୁ ଆଗ୍ରହ ପତ୍ର ପଠାଇଛନ୍ତି। କେବଳ ଆଗ୍ରହ ପତ୍ର ପଠାଇ ନାହାନ୍ତି ଭାରତ ଯେମିତି ଆଗାମୀ ଦେଢ଼ ଦଶନ୍ଧି ଭିତରେ ଅନ୍ୟତମ ଅଲିମ୍ପିକ୍ସ ଆୟୋଜକର ମର୍ଯ୍ୟାଦା ଲାଭ କରିବ, ସେ ଦିଗରେ କାମ କରିବା ମଧ୍ୟ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ଭାରତକୁ ମିଳେ, ତା’ହେଲେ ଏଥିରେ ଖୋ ଖୋ ସହ ୬ଟି ସ୍ବଦେଶୀ ଖେଳ ସାମିଲ କରିବାକୁ ସରକାର ଯୋଜନା କରୁଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର କହିଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଏସୀୟ କ୍ରୀଡ଼ାରେ ଏସବୁ ଖେଳକୁ ସାମିଲ କରିବାକୁ କ୍ରୀଡ଼ା ମନ୍ତ୍ରାଳୟ ଜୋରଦାର ଉଦ୍ୟମ କରିବ। ଖୋ ଖୋ ଛଡ଼ା ଟ୍ବେଣ୍ଟି-୨୦ କ୍ରିକେଟ୍, କବାଡ଼ି, ଚେସ୍ ଓ ସ୍କ୍ବାସ୍ ଭଳି ଖେଳକୁ ଅଲିମ୍ପିକ୍ସ ସ୍ବୀକୃତି ଲାଗି ସରକାରଙ୍କ ନଜରରେ ଥିବା ସୂଚନା ଦେଇଛନ୍ତି ସେ।
ଖୋ ଖୋ ବିଶ୍ବକପ୍ ବିଜୟୀ ଭାରତୀୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ କରିବା ଅବସରରେ ଶ୍ରୀ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ପ୍ରଥମ ଖୋ ଖୋ ବିଶ୍ବକପ୍ର ସଫଳ ଆୟୋଜନକୁ ଭୂୟସୀ ପ୍ରଶଂସା କରିଛନ୍ତି। ଖୋ ଖୋ ଆଗାମୀ ଭବିଷ୍ୟତରେ ଏକ ବିଶ୍ବସ୍ତରୀୟ ଖେଳ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରି ସେ କହିଛନ୍ତି, ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୩୬ ଅଲିମ୍ପିକ୍ସରେ ଖୋ ଖୋକୁ ସାମିଲ କରିବା। ଏଥିଲାଗି ଆମ ଖେଳାଳି ଓ ପ୍ରଶିକ୍ଷକମାନଙ୍କୁ ଲଗାତାର ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ମହାସଂଘର ଭୂମିକା ଏହି କ୍ଷେତ୍ରରେ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିବ। କ୍ରୀଡ଼ା ମନ୍ତ୍ରାଳୟ ସମସ୍ତ ଅନୁସଙ୍ଗିକ ସହଯୋଗ ଯୋଗାଇ ଦେବ। ପାରମ୍ପରିକ ଖେଳ ନମନିୟତା ଓ ଏକତାର ବାର୍ତ୍ତାବହ ହୋଇଥା’ନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ସେମାନେ ପାରମ୍ପରିକ କ୍ରୀଡ଼ା ମୂଲ୍ୟବୋଧକୁ ଅକ୍ଷୁର୍ଣ୍ଣ ରଖିଥା’ନ୍ତି। ଆମ ପାରମ୍ପରିକ ଖେଳରୁ ବିଶ୍ବ ଅନେକ କିଛି ଶିଖି ପାରିବ। ଖୋ ଖୋ ବିଶ୍ବକପ୍ରେ ଭାରତର ଐତିହାସିକ ସଫଳତାର ଶ୍ରେୟ ମହିଳା ଦଳର ପ୍ରଶିକ୍ଷକ ସୁମିତ ଭାଟିଆ ୬୦ ଦିନିଆ ପ୍ରଶିକ୍ଷଣ ଶିବିରକୁ ଦେଇଛନ୍ତି। ‘‘ଆମ ଦଳରେ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତର ଖେଳାଳି ଥିଲେ। ଏହି ପ୍ରଶିକ୍ଷଣ ଶିବିର ପାଇଁ ସେମାନଙ୍କ ତାଳମେଳ ବଢ଼ିବା ସହ ଦଳଗତ ଭାବନା ବଢ଼ିଥିଲା। ଏହା ହିଁ ଆମ ସଫଳତା ରହସ୍ୟ’’ ବୋଲି କହିଥିଲେ ସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/23/QaJCCuv7tM3dSq9iX5u7.jpg)