୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ: ଦୀପଗ୍ରେସ୍ ଉପଅଧିନାୟିକା; ନମିତା ଫେରିଲେ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ହକି ଇଣ୍ଡିଆ ସୋମବାର ୨୨ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ନିୟମିତ ଅଧିନାୟିକା ରାଣୀ ରାମପାଲ ସଂପୂର୍ଣ୍ଣ ଫିଟ୍ ‌ହୋଇ ନଥିବାରୁ ଅଭିଜ୍ଞ ଗୋଲ୍‌ରକ୍ଷକ ସବିତା ପୁନିଆଙ୍କୁ ପୁଣି ଥରେ ଦଳର ଅଧିନାୟିକା ନିଯୁକ୍ତ କରାଯାଇଛି। ଅଲିମ୍ପିଆନ୍ ତଥା ବିଶ୍ବହକିର ଅନ୍ୟତମ ଦକ୍ଷ ମହିଳା ଡିଫେଣ୍ଡର ଦୀପଗ୍ରେସ୍ ଏକ୍କାଙ୍କୁ ଭାରତୀୟ ଦଳର ଉପଅଧିନାୟିକା ଭାବେ ପୁନଃ ନିଯୁକ୍ତ ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ଷ୍ଟାଣ୍ଡବାଏ ଥିବା ଏବଂ ଚୀନ ବିପକ୍ଷ ଏଫଆଇଏଚ୍ ମ୍ୟାଚ୍ ଖେଳି ନଥିବା ଓଡ଼ିଆ ତାରକା ନମିତା ଟପ୍ପୋ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅନ୍ୟପକ୍ଷରେ ଉଦୀୟମାନ ଓଡ଼ିଆ ତାରକା ମାରିଆନା କୁଜୁରଙ୍କ ସହ ରଶ୍ମିତା ମିଞ୍ଜ ଷ୍ଟାଣ୍ଡବାଏ ଭାବେ ଦଳରେ ଅଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରସ୍ତୁତି ଶିବିରରେ ପ୍ରଭାବୀ ପ୍ରଦର୍ଶନ କରି ଏମାନେ ସମସ୍ତେ ନୂଆ ପ୍ରଶିକ୍ଷକ ଜାନେକ ସ୍କପମ୍ୟାନ୍‌ଙ୍କ ମନ ଜିତି ନେଇଛନ୍ତି। ସେହିଭଳି କନିଷ୍ଠ ହକିରେ ଚମତ୍କାର ପ୍ରଦର୍ଶନ କରି ଝାଡ଼ଖଣ୍ଡର ଅଗ୍ରଭାଗ ଖେଳାଳି ସଙ୍ଗୀତା କୁମାରୀ ପ୍ରଥମ ଥର ଲାଗି ଜାତୀୟ ବରିଷ୍ଠ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ ମହିଳା ପ୍ରୋ ହକି ଲିଗ୍‌ର ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସ୍ପେନ୍‌କୁ ଭେଟିବ। ଦଳ ଘୋଷଣା ପରେ ସ୍କପମ୍ୟାନ୍ କହିଛନ୍ତି ଯେ ସ୍ପେନ୍ ଏକ ଶକ୍ତିଶାଳୀ ଦଳ। ସର୍ବୋଚ୍ଚ ସ୍ତରରେ ସେମାନେ ନିୟମିତ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେମାନେ ଅଳ୍ପକେ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିବାରୁ ବଞ୍ଚିତ ‌ହୋଇଥିଲେ। ଗତ ବିଶ୍ବକପ୍‌ରେ ସ୍ପେନ୍ କାଂସ୍ୟ ପଦକ ଜିତିଥିଲା। ଏଣୁ ଏହି ଦଳକୁ ହରାଇବାକୁ ହେଲେ ଆମକୁ ଶ୍ରେଷ୍ଠ ହକି ଖେଳିବାକୁ ହେବ।

ଭାରତୀୟ ଦଳ: ଗୋଲ୍‌ରକ୍ଷକ-ସବିତା (ଅଧିନାୟିକା), ବିଚୁଦେବୀ ଖରିବାମ, ରଜନୀ ଏତିମାର୍‌ପୁ। ରକ୍ଷଣଭାଗ- ଦୀପଗ୍ରେସ୍ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ଈଶିକା ଚୌଧୁରୀ। ମଧ୍ୟଭାଗ-ନିଶା, ସଲିମା ଟେଟେ, ସୁଶୀଳା ଚାନୁ ପୋଖରମବାମ୍, ଜ୍ୟୋତି, ମୋନିକା, ନେହା, ନଭଜ୍ୟୋତ କୌର, ନମିତା ଟପ୍ପୋ। ଅଗ୍ରଭାଗ-ବନ୍ଦନା କଟାରିଆ, ଶର୍ମିଳା ଦେବୀ, ନଭନୀତ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ରାଜବିନ୍ଦର କୌର। ସଂରକ୍ଷିତ ଖେଳାଳି-ରଶ୍ମିତା ମିଞ୍ଜ୍, ଅକ୍ଷତା ଆବାସୋ ଧିକାଲେ, ସୋନିକା, ମାରିଆନା କୁଜୁର, ଅଶ୍ବର୍ଯ୍ୟା ରାଜେଶ ଚୌହ୍ବାନ।

ଭୁବନେଶ୍ବରରେ ସ୍ପେନ୍ ପୁରୁଷ ଦଳ

ଭୁବନେଶ୍ବର: ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ହକିର ଭାରତ ବିପକ୍ଷ ଦୁଇ ମ୍ୟାଚ୍ ଲାଗି ୟୁରୋପୀୟ ଦେଶ ସ୍ପେନ୍‌ର ପୁରୁଷ ହକି ଦଳ ସୋମବାର ଭୁବନେଶ୍ବରରେ ପହଞ୍ଚିଛି। ଏଠାକୁ ଆସିବା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦୁଇଟି ଯାକ ମ୍ୟାଚ୍‌ ହାରିଥିବା ସ୍ପେନ୍ ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ। ବିଶ୍ବମାନ୍ୟତାର ନବମ ସ୍ଥାନରେ ଥିବା ଏହି ଦଳକୁ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳ କିନ୍ତୁ ସହଜରେ ବାଟ ଛାଡ଼ିଲା ଭଳି ମନେ ହେଉନି। ବରଂ ଦୁଇଟି ଯାକ ମ୍ୟାଚ୍ ଜିତି ପଏଣ୍ଟ୍‌ ତାଲିକାରେ ତାର ସ୍ଥିତିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଅଛି ଭାରତ। ଭୁବନେଶ୍ବର ପହଞ୍ଚିବା ପରେ ସ୍ପେନ୍ ପ୍ରଶିକ୍ଷକ ମ୍ୟାକ୍ସ କାଲଡାସ ଏବଂ ଅଧିନାୟକ ମାର୍କ ମିରଲେସ୍ ଆଗାମୀ ଲଢ଼େଇକୁ ନେଇ ବେଶ୍ ଉତ୍ସାହିତ ଥିବା କହିଛନ୍ତି। ସେହିଭଳି ଭାରତକୁ କଡ଼ା ଟକ୍କର ଦେବାକୁ ସେମାନେ ପୂରା ପ୍ରସ୍ତୁତ। ଅତୀତର ପରାଜୟ ସେମାନଙ୍କ ମନୋବଳକୁ ଦୋହଲାଇପାରିବ ନାହିଁ ବୋଲି ଭାରତକୁ ଚେତାବନୀ ଦେବାକୁ ଯାଇ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ଭାରତୀୟ ହକି ଦଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ଚାରିଟି ମ୍ୟାଚ୍ ଖେଳି ତିନିଟି ବିଜୟ ହାସଲ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇଟି ଯାକ ମ୍ୟାଚ୍ ଜିତିଥିଲା ବେଳେ ଫ୍ରାନ୍ସ ବିପକ୍ଷ ଦୁଇ ମ୍ୟାଚ୍‌ରୁ ଗୋଟିଏ ଲେଖାଏଁ ଜୟ/ପରାଜୟ ପାଇଛି। ଭାରତ ଆସନ୍ତା ୨୬ ଓ ୨୭ ତାରିଖରେ ଏଫ୍‌ଆଇଏଚ୍ ପ୍ରୋ‌ ଲିଗ୍‌ ଅନ୍ତର୍ଗତ ପ୍ରଥମ ଘରୋଇ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଯାଉଛି।

ସମ୍ବନ୍ଧିତ ଖବର