ଅଷ୍ଟ୍ରେଲିଆ ଯିବ ୩୨ ଜଣିଆ ଭାରତୀୟ ଦଳ, ପରିବାରକୁ ଅନୁମତି ନାହିଁ

ସିଡ୍‌ନିରୁ ଗସ୍ତ ଆରମ୍ଭ କରିପାରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଆଇପିଏଲ୍‌ ପରେ ପରେ ଭାରତୀୟ କ୍ରିକେଟ୍‌ ଦଳ ୟୁଏଇରୁ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବ। ତେବେ କରୋନା ମହାମାରୀଜନିତ କଟକଣାକୁ ଦୃଷ୍ଟିରେ ରଖି ଖେଳାଳିଙ୍କ ନିରାପତ୍ତା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ ଏକ ବୃହତ୍‌ ଦଳ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି। ସବୁ ଫର୍ମାଟ୍‌ ପାଇଁ ଏହି ଦଳର ଆକାର ସମ୍ଭବତଃ ୩୨ ଜଣିଆ ହେବ। ପ୍ରାୟ ୨ ମାସ ଧରି ଏହି ଗସ୍ତରେ ଭାରତ ୩ ଲେଖାଏଁ ଟି-୨୦ ଓ ଦିନିକିଆ ଆନ୍ତର୍ଜାତିକ ସାଙ୍ଗକୁ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ଖେଳିବ। ଜୈବ ବଳୟ ମଧ୍ୟରେ ଖେଳାଯିବାକୁ ଥିବା ଶୃଙ୍ଖଳାରେ କରୋନାଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଅଧିକ ଖେଳାଳିଙ୍କୁ ପଛକୁ ପଛ ପ୍ରସ୍ତୁତ ରଖିବାକୁ ଆମେ ବଡ଼ ଦଳ ପଠାଇବୁ ବୋଲି ବିସିସିଆଇ କହିଛି।

ଯଦି କୌଣସି ଖେଳାଳି ଆହତ ହୁଅନ୍ତି, ତାହାଲେ ଭାରତରୁ ଅତିରିକ୍ତ ଖେଳାଳି ମଗାଇବାର ଆବଶ୍ୟକତା ରହିବନି ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି। ଫଳସ୍ବରୂପ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ମିଶାଇ ଦଳର ଆକାର ୫୦ ଟପିଯାଇପାରେ ବୋଲି ସେ କହିଛନ୍ତି। ତେବେ ଅଷ୍ଟ୍ରେଲିଆ ଗସ୍ତରେ କୌଣସି ଖେଳାଳି ପରିବାରକୁ ନେଇପାରିବେ ନାହିଁ। ପରିବାରକୁ ଅନୁମତି ମିଳିବନି ବୋଲି ବୁଧବାର ବିସିସିଆଇ ସ୍ଥିର କରିଛି। ଏନେଇ ବୁଧବାର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଜଣାଇ ଦେଇଛନ୍ତି। ଆଇପିଏଲ୍‌ ବେଳେ ଖେଳାଳିଙ୍କ ସାଙ୍ଗରେ ପରିବାର ଯିବାର ଅନୁମତି ପାଇଁ ବିସିସିଆଇ ଫ୍ରାଞ୍ଚାଇଜ୍‌ଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦେଇଥିଲା। ତେଣୁ ଅନୁଷ୍କା ଶର୍ମା, ରିତ୍ବିକା ସାଜ୍‌ଦେ ଭଳି ପତ୍ନୀମାନେ ନିଜ ନିଜ ପତିଙ୍କ ସହ ୟୁଏଇ ଯାଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ଏବଂ କନ୍ୟା ଜୀଭା ୟୁଏଇ ଯିବାରୁ ବିରତ ରହିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଗସ୍ତରେ କାହାରି ପତ୍ନୀ କିମ୍ବା ବାନ୍ଧବୀଙ୍କୁ ଯିବାପାଇଁ ଅନୁମତି ମିଳିବନି ବୋଲି ବିସିସିଆଇ ସ୍ପଷ୍ଟ କରିଦେବା ପରେ ଅନୁଷ୍କା, ରିତ୍ବିକାଙ୍କ ସମେତ ଭାରତୀୟ ଖେଳାଳିଙ୍କ ଅନ୍ୟାନ୍ୟ ପରିବାର ସଦସ୍ୟ ଆଇପିଏଲ୍‌ ପରେ ୟୁଏଇରୁ ସ୍ବଦେଶ ଫେରିବାକୁ ବାଧ୍ୟ ହେବେ।

ସିଡ୍‌ନି: ଭାରତୀୟ କ୍ରିକେଟ୍‌ ଦଳ ସିଡ୍‌ନିରୁ ହିଁ ତା’ର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିପାରେ। ତେଣୁ ସିଡ୍‌ନି ଓ କାନ୍‌ବେରା ହିଁ ଆସନ୍ତା ମାସରେ ଭାରତର ସୀମିତ ଓଭର ଶୃଙ୍ଖଳା ଭେନ୍ୟୁ ଦୌଡ଼ରେ ରହିଛି। ଭାରତୀୟ ଦଳ ବ୍ରିସ୍‌ବନ୍‌ରେ ପହଞ୍ଚିବ ବୋଲି ପୂର୍ବରୁ ପ୍ରସ୍ତାବ ରହିଥିଲା। ହେଲେ କୁଇନ୍‌ସଲାଣ୍ଡ୍‌ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଭ୍ରମଣକାରୀ ଦଳକୁ ବାଧ୍ୟତାମୂଳକ ୧୪ ଦିନିଆ ସଂଗରୋଧ ଅବଧି ମଧ୍ୟ‌ରେ ପ୍ରଶିକ୍ଷଣ ପାଇଁ ଅନୁମତି ଦେଉନାହିଁ। ତେଣୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ଗସ୍ତ ସୂଚୀ ନେଇ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିପାରୁନି। ଆମେ କୁଇନ୍‌ସଲାଣ୍ଡ୍‌ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସହ ସୋମବାର ଏକ ଫଳପ୍ରଦ ଆଲୋଚନା କରିଥିଲୁ ଏବଂ ସେଠାରେ ଭାରତ ବିପକ୍ଷ ମ୍ୟାଚ୍‌ଗୁଡ଼ିକ ଆୟୋଜନ ନେଇ ବିଶ୍ବାସ ରଖିଛୁ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ କହିଛି। ଅନ୍ୟପକ୍ଷରେ ଭାରତୀୟ ଦଳକୁ ସ୍ବାଗତ କରିବା ପାଇଁ ଏବଂ ସଂଗରୋଧ ସମୟରେ ପ୍ରଶିକ୍ଷଣ ପାଇଁ ଅନୁମତି ଦେବାକୁ ସିଡ୍‌ନି ପ୍ରସ୍ତୁତ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ସିଡ୍‌ନି କ୍ରିକେଟ୍‌ ପଡ଼ିଆ (ସିଏସ୍‌ଜି) ସୀମିତ ଓଭର ଶୃଙ୍ଖଳାର ୬ରୁ ୪ ମ୍ୟାଚ୍‌ ଆୟୋଜନ କରିବାକୁ ରାଜି ଥିଲା ବେଳେ ଅବଶିଷ୍ଟ ୨ ମ୍ୟାଚ୍‌ କାନ୍‌ବେରାର ମନୁକା ଓଭାଲରେ ଖେଳାଯିବ। ବାଧ୍ୟତାମୂଳକ ସଂଗରୋଧ ସମୟରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ଦଳକୁ ପ୍ରଶିକ୍ଷଣ ଅନୁମତି ଦେବାପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଆମ ସରକାରକୁ କରିଥିବା ଅନୁରୋଧକୁ ଆମେ ଗ୍ରହଣ କରିନେଇଛୁ ବୋଲି ନ୍ୟୁ ସାଉଥ୍‌ ୱେଲ୍‌ସ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଷ୍ଟୁଆର୍ଟ ଆୟର୍ସ ସ୍ପଷ୍ଟ କରିଛନ୍ତି। ଅବଶ୍ୟ ଏହି ପ୍ରସ୍ତାବ ଏବେ ନ୍ୟୁ ସାଉଥ୍‌ ୱେଲ୍‌ସ କର୍ତ୍ତୃପକ୍ଷ (ସ୍ବାସ୍ଥ୍ୟ ଓ ପୁଲିସ ସମେତ) ଆକଳନ କରୁଛନ୍ତି। ଯଦି ନ୍ୟୁ ସାଉଥ୍‌ ୱେଲ୍‌ସ ରାଜ୍ୟ ସରକାର ଏବଂ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟରେ ବୁଝାମଣା ହୋଇଯାଏ ତାହାଲେ ପରିବର୍ତିତ ସୂଚୀକୁ ଅନୁମୋଦନ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ବାରା ଭାରତୀୟ କ୍ରିକେଟ୍‌ ବୋର୍ଡକୁ ପଠାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର