ଆଫ୍ରୋ-ଏସିଆ କପ୍‌ର ପୁନରୁଦ୍ଧାର ଲାଗି ଏସିସିର ଯୋଜନା: ଗୋଟିଏ ଦଳରୁ ଖେଳିବେ କୋହଲି, ବାବର

ନୂଆଦିଲ୍ଲା: ଦୀର୍ଘ ୧୭ ବର୍ଷ ତଳେ ଅର୍ଥାତ୍ ୨୦୦୫ରେ ପ୍ରଥମ ଥର ପାଇଁ ଖେଳାଯାଇଥିବା ଆଫ୍ରୋ-ଏସିଆନ୍ କପ୍‌କୁ ପୁଣି ଥରେ ଆରମ୍ଭ କରିବାକୁ ଏସୀୟ କ୍ରିକେଟ୍ ପରିଷଦ (ଏସିସି) ଯୋଜନା କରୁଛି। ଫଳରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନର ଦୁଇ ମହାନ ତାରକା ବିରାଟ କୋହଲି ଏବଂ ବାବର ଆଜମ ଗୋଟିଏ ଦଳରୁ ଖେଳିବାର ସମ୍ଭାବନା ସୃଷ୍ଟି ‌ହୋଇଛି। ଏହି ପ୍ରତିଯୋଗିତା କ୍ରିକେଟ୍ ଇତିହାସରେ ମାତ୍ର ଦୁଇ ଥର ଖେଳାଯାଇଛି। ୨୦୦୫ ଏବଂ ୨୦୦୭ରେ ଖେଳାଯାଇଥିବା ପ୍ରତିଯୋଗିତାର ପୂର୍ବ ଦୁଇ ସଂସ୍କରଣରେ ଏସିଆ ଏକାଦଶର ମୁକାବିଲା ଆଫ୍ରିକା ଏକାଦଶ କରିଥିଲା। ୨୦୦୫ର ପ୍ରଥମ ସଂସ୍କରଣରେ ତିନିଟି ଦିନିକିଆ ଖେଳା ଯାଇଥିଲା।

ଅନ୍ୟପକ୍ଷ‌ରେ ୨୦୦୭ରେ ତିନିଟି ଦିନିକିଆ ସହ ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ ଆୟୋଜିତ ହୋଇଥିଲା। ପ୍ରଥମ ପ୍ରତିଯୋଗିତା ଅମୀମାଂସିତ ରହିଥିଲା। ହେଲେ ଦ୍ବିତୀୟ ସଂସ୍କରଣର ସମସ୍ତ ମ୍ୟାଚ୍ ଏସିଆ ଏକାଦଶ ଜିତି ନେଇଥିଲା। ୧୫ ବର୍ଷ ପରେ ଏହି ପ୍ରତିଯୋଗିତାକୁ ୨୦୨୩ ମସିହାରେ ପୁଣି ଥରେ ଆରମ୍ଭ କରିବା ଲାଗି ଏସିସି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏସିଆ ଏକାଦଶରେ ଭାରତ, ପାକିସ୍ତାନ ସହ ବାଂଲାଦେଶ, ଆଫଗାନିସ୍ତାନ ଓ ଶ୍ରୀଲଙ୍କାର ଶ୍ରେଷ୍ଠ ଖେଳାଳି ସାମିଲ ରହିବେ। ଅନ୍ୟପକ୍ଷରେ ଆଫ୍ରିକା ଏକାଦଶରେ ଆଫ୍ରିକୀୟ ଦଳଗୁଡ଼ିକର ବଛା ବଛା ଖେଳାଳି ସ୍ଥାନ ପାଇବେ।

ସମ୍ବନ୍ଧିତ ଖବର