ଖ୍ୟାତିସଂପନ୍ନ କ୍ରିକେଟ୍‌ ପ୍ରଶିକ୍ଷକ ତାରକ ସିହ୍ନାଙ୍କ ପରଲୋକ

ନୂଆଦିଲ୍ଲୀ: ଋଷଭ ପନ୍ତ ଓ ଶିଖର ଧାୱନଙ୍କ ଭଳି ଏକାଧିକ ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କୁ ପ୍ରଶିକ୍ଷଣ ଦେଇଥିବା ଖ୍ୟାତିସଂପନ୍ନ ପ୍ରଶିକ୍ଷକ ତାରକ ସିହ୍ନା (୭୧ ବର୍ଷ) ଶନିବାର ପରଲୋକ ଗମନ କରିଛନ୍ତି। ତାରକ ଅବିବାହିତ ଥିଲେ। ସେ ତାଙ୍କ ଭଉଣୀ, ଶତାଧିକ ଛାତ୍ରଛାତ୍ରୀ ଓ ପ୍ରଶଂସକ ସହ ରହି ଜୀବନ ଅତିବାହିତ କରୁଥିଲେ। ଦିଲ୍ଲୀର ସୋନେଟ କ୍ଲବ୍‌ର ସେ ପିତାମହ ଥିଲେ। ‌ତାଙ୍କ ପ୍ରଶିକ୍ଷଣରେ ବହୁ କ୍ରିକେଟର୍‌ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଛନ୍ତି। ଉସ୍ତାଦ୍‌ଜୀ ଭାବେ ପରିଚିତ ତାରକଙ୍କୁ ୨୦୧୮ରେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଥିଲା। ସେ ଦିଲ୍ଲୀ କ୍ରିକେଟ୍‌ର ପ୍ରମୁଖ ତାରକା ସୁରିନ୍ଦର ଖାନା, ମନୋଜ ପ୍ରଭାକର, ଦିବଂଗତ ରମଣ ଲାମ୍ବା, ଅଜୟ ଶର୍ମା, ଅତୁଲ ୱାସନ, ସଂଜୀବ ଶର୍ମାଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ୯୦ ଦଶକ ପରେ ତାଙ୍କ ଦ୍ବାରା ପ୍ରଶିକ୍ଷିତ ଆକାଶ ଚୋପ୍ରା, ପୂର୍ବତନ ଭାରତୀୟ ମହିଳା ଦଳର ଅଧିନାୟିକା ଅଞ୍ଜୁମ ଚୋପ୍ରା, ଅଲ୍‌ରାଉଣ୍ଡର ରୁମେଲି ଧର, ଦ୍ରୁତ ବୋଲର ଆଶିଷ ନେହେରା, ଶିଖର ଧାୱନଙ୍କ ସହ ସଂପ୍ରତି ଖେଳୁଥିବା ଋଷଭ ପନ୍ତ ଜାତୀୟ ଦଳରେ ସ୍ଥାନ ପକ୍କା କରିଥିଲେ। ତାରକ ମଧ୍ୟ କିଛି ଦିନ ଜାତୀୟ ମହିଳା ଦଳର ପ୍ରଶିକ୍ଷକ ରହିଥିଲେ।

ସମ୍ବନ୍ଧିତ ଖବର