ପୂର୍ବତନ ଅଧିନାୟକ ଚାପମ୍ୟାନ୍‌ଙ୍କ ପରଲୋକ, ଭାରତୀୟ ଫୁଟ୍‌ବଲ୍ ଦୁନିଆରେ ଶୋକର ଛାୟା

କୋଲକାତା: ଭାରତୀୟ ଫୁଟ୍‌ବଲ୍‌ ଦୁନିଆର ଅନ୍ୟତମ ପରିଚିତ ମୁହଁ ତଥା ଜାତୀୟ ଦଳର ପୂର୍ବତନ ଅଧିନାୟକ କାର୍ଲଟନ୍‌ ଚାପମ୍ୟାନଙ୍କର ସୋମବାର ସକାଳୁ ମାତ୍ର ୪୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ହୃଦଘାତ ହେବାରୁ ତାଙ୍କୁ ରବିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ସକାଳେ ପରଲୋକ ଘଟିଥିଲା। ନବେ ଦଶକରେ ବାଇଚୁଙ୍ଗ ଭୂତିଆ, ଆଇଏମ୍ ବିଜୟନଙ୍କ ସହ ମିଶି କ୍ଲବ୍‌ ଫୁଟ୍‌ବଲ୍‌ରେ ଏମାନେ ମାରାତ୍ମକ ତ୍ରିମୂର୍ତ୍ତି ଥିଲେ। ସବୁବେଳେ ହସଖୁସିଆ ଚରିତ୍ରର ଥିବା ଚାପମ୍ୟାନ୍‌ ଅନ୍ୟକୁ ସାହାଯ୍ୟ କରିବାକୁ ‌ଆଗଭର ଥାଆନ୍ତି ବୋଲି କହିଛନ୍ତି ତାଙ୍କ ଜାତୀୟ ଦଳ ସାଥୀ ବ୍ରୁନୋ କଟିନୋ। ଜଣେ ସୃଜନଶୀଳ ମଧ୍ୟଭାଗ ଖେଳାଳି ଭାବେ ଚାପମ୍ୟାନ୍‌ ଭାରତ ପାଇଁ ୧୯୯୫ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଖେଳିଥିଲେ। ତାଙ୍କ ନେତୃତ୍ବରେ ଭାରତୀୟ ଦଳ ୧୯୯୭ ମସିହାରେ ନେପାଳର କାଠମଣ୍ଡୁରେ ସାଫ୍‌ କପ୍‌ ବିଜେତା ହୋଇଥିଲା। ଭାରତ ପାଇଁ ୩୯ ମ୍ୟାଚ୍‌ ଖେଳି ସେ ୬ ଗୋଲ୍‌ ଦେଇଥିଲେ। ୧୯୯୫ ସାଫ୍‌ କ୍ରୀଡ଼ା (ମାଡ୍ରାସ), ୧୯୯୭ ନେହେରୁ କପ୍‌ ( କୋଚି), ୧୯୯୯ ସାଫ୍‌ ପ୍ରତିଯୋଗିତା (ମାରଗାଓଁ) ବିଜେତା ଭାରତୀୟ ଦଳର ସେ ସଦସ୍ୟ ଥିଲେ। କ୍ଲବ୍‌ସ୍ତରରେ ସେ ଇଷ୍ଟବେଙ୍ଗଲ୍‌ ଏବଂ ବର୍ତମାନ ଅଚଳ ଅବସ୍ଥାରେ ଥିବା ଜେସିଟି ମିଲ୍ସ ପାଇଁ ମଧ୍ୟ ସଫଳ ଖେଳ ଜୀବନ ବିତାଇଥିଲେ।

ନ‌ବେ ଦଶକରେ ଟାଟା ଫୁଟ୍‌ବଲ୍‌ ଏକାଡେମିରେ ଯୋଗ ଦେଇ ଖେଳ ଜୀବନର ଶୁଭାରମ୍ଭ କରିଥିବା ଚାପମ୍ୟାନ୍‌ ୧୯୯୩ରେ ଇଷ୍ଟବେଙ୍ଗଲରେ ଯୋଗ ଦେଇଥିଲେ। ସେହିବର୍ଷ ଏସିଆନ୍‌ କପ୍‌ ୱିନର୍ସ କପ୍‌ର ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଇରାକୀ କ୍ଲବ୍‌ ଅଲ ଜରୱା ବିପକ୍ଷରେ ହ୍ୟାଟ୍ରିକ୍ ସହ ଦଳକୁ ୬-୨ରେ ବିଜୟୀ କରାଇଥିଲେ। ବାଇଚୁଙ୍ଗ ଭୂତିଆ, ଆଇଏମ୍ ବିଜୟନ, ବ୍ରୁନୋ ଫର୍ନାଣ୍ଡିଜ୍‌, ରେନେଡ୍ଡୀ ସିଂହ, ଜୋ ପଲ୍ ଆଞ୍ଚେରି, ତାଜିନ୍ଦର କୁମାର, ତୁଷାର ରକ୍ଷିତଙ୍କ ସହିତ ଖେଳି ଚାପମ୍ୟାନ୍‌ ନବେ ଦଶକରେ ଭାରତକୁ ଏକ ଶକ୍ତିଶାଳୀ ଦଳରେ ପରିଣତ କରିଥିଲେ। ୧୯୯୫ରେ ଜେସିଟିରେ ଯୋଗଦେବା ପରେ ଏହି ପଞ୍ଜାବୀ କ୍ଲବ୍‌ ପାଇଁ ମୋଟ ୧୪ ଟ୍ରଫି ଜିତିଥିଲେ। ଭୂତିଆ ଓ ବିଜୟନଙ୍କୁ ନେଇ ମଧ୍ୟ ୧୯୯୬-୯୭ରେ ପ୍ରଥମ ସଂସ୍କରଣ ଜାତୀୟ ଫୁଟ୍‌ବଲ୍‌ ଲିଗ୍ ବିଜେତା ହୋଇଥିଲେ। ଏହା ପରେ ସେ ଏଫସି କୋଚିନ୍‌ରେ ଯୋଗ ଦେଇଥିଲେ ମଧ୍ୟ ଗୋଟିଏ ଋତୁ ପରେ ୧୯୯୮ରେ ଇଷ୍ଟବେଙ୍ଗଲ ପ୍ରତ୍ୟାବର୍ତନ କରିଥିଲେ। ୨୦୦୧ ମସିହାରେ ତାଙ୍କ ନେତୃତ୍ବରେ ଇଷ୍ଟବେଙ୍ଗଲ ମଧ୍ୟ ଏନଏଫଏଲ୍‌ ଟ୍ରଫି ହାସଲ କରିଥିଲା। ସେହିବର୍ଷ ସେ ପେସାଦାର ଫୁଟ୍‌ବଲ୍‌ରୁ ଅବସର ନେଇଥିଲେ। ପ୍ରଶିକ୍ଷକ ଭାବେ ଦ୍ବିତୀୟ ଡିଭିଜନ୍ ଆଇ-ଲିଗ୍ କ୍ଲବ୍ ଟାଟା ଫୁଟ୍‌ବଲ୍‌ ଏକାଡେମି, ସିଲଂର ରୟାଲ୍‌ ୱାହିଙ୍ଗଡୋ ଏଫ୍‌ସି, ଦିଲ୍ଲୀର ଶୁଭେଦା ମୁନ୍‌ଲାଇଟ୍‌ ଏଫସି ପାଇଁ ମଧ୍ୟ କାମ କରିଥିଲେ। ୨୦୧୭ ମସିହାରେ ସେ କୋଝିକୋଡର କ୍ବାର୍ଜ ଇଣ୍ଟରନ୍ୟାସନାଲ୍‌ ଫୁଟ୍‌ବଲ୍‌ ଏକାଡେମିର ବୈଷୟିକ ନିର୍ଦେଶକ ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର