ହକି କିଂବଦନ୍ତି ଚରଣଜିତଙ୍କ ପରଲୋକ

ଧର୍ମଶାଳା (ହିମାଚଳପ୍ରଦେଶ): ୧୯୬୪ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ଅଧିନାୟକ, ୧୯୬୦ ରୋମ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ, ପଦ୍ମଶ୍ରୀ, ଅର୍ଜୁନ ପୁରସ୍କାର ବିଜେତା ତଥା ମହାନ ଭାରତୀୟ ହକି ତାରକା ଚରଣଜିତ ସିଂହ ଗୁରୁବାର ହିମାଚଳପ୍ରଦେଶର ଉନାଠାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହି ବର୍ଷୀୟାନ ହକି ତାରକା ୯୦ ବର୍ଷ ବୟସରେ ପର‌ଲୋକ ଗମନ କରିବା ପରେ ଭାରତୀୟ ହକିରେ ଏକ ଜାଜ୍ଜ୍ବଲ୍ୟମାନ ଯୁଗର ଅବସାନ ଘଟିଛି। ମୃତ୍ୟୁ ବେଳକୁ ଚରଣଜୀତଙ୍କର ସାନ ପୁଅ ତାଙ୍କ ପାଖରେ ଥିଲେ। ୫ ବର୍ଷ ତଳେ ହୃଦଘାତର ଶିକାର ହେବା ପରଠାରୁ ପକ୍ଷାଘାତ ରୋଗରେ ପୀଡ଼ିତ ‌ହୋଇଥିଲେ ଚରଣଜିତ। ତେବେ ବାଡ଼ିଧରି ଯିବା ଆସିବା କରିପାରୁଥିଲେ। ଗତ ଦୁଇ ମାସ ହେବ କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ନିୟମିତ ଅବନତି ଘଟି ଚାଲିଥିଲା। ଶେଷ‌ରେ ଗୁରୁବାର ଏକ ବଡ଼ ଧରଣର ହୃଦଘାତରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଦିଲ୍ଲୀରେ ରହୁଥିବା ଝିଅ ପହଞ୍ଚିବା ପରେ ଉନାଠାରେ ହିଁ ଶେଷକୃତ୍ୟ ସମାପନ ହେବ ବୋଲି ‌ତାଙ୍କ ପୁଅ ଭିପି ସିଂହ ପ୍ରକାଶ କରିଛନ୍ତି। ଚରଣଜିତ ତାଙ୍କ ଘଟଣାବହୁଳ ଖେଳ ଜୀବନରେ ଅନେକ ଐତିହାସିକ ସଫଳତା ହାସଲ କରିଥିଲେ। ସେ ମଧ୍ୟ ୧୯୬୨ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଚରଣଜୀତଙ୍କ ପତ୍ନୀଙ୍କର ୧୨ ବର୍ଷ ପୂର୍ବେ ନିଧନ ହୋଇସାରିଛି। ତାଙ୍କ ବଡ଼ ପୁଅ କାନାଡାରେ ଡାକ୍ତର ଅଛନ୍ତି। ଚରଣଜିତଙ୍କ ପରଲୋକ ଖବରରେ ଦେଶର ହକି ଜଗତ ଗଭୀର ଶୋକ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର