ଅଲିମ୍ପିକ୍‌ ଓ ହକି ବିଶ୍ବକପ୍‌ ପଦକ ବିଜେତା ବରିନ୍ଦର ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଅଲିମ୍ପିକ୍‌ ଏବଂ ହକି ବିଶ୍ବକପ୍‌ ପଦକ ବିଜେତା ବରିନ୍ଦର ସିଂହଙ୍କ ପରଲୋକ ଘଟିଛି। ୧୯୭୦ ଦଶକରେ ଭାରତର ବହୁ ସ୍ମରଣୀୟ ବିଜୟର ସଦସ୍ୟ ଥିବା ବରିନ୍ଦର ମଙ୍ଗଳବାର ସକାଳେ ଜଳନ୍ଧରରେ ପରଲୋକ ଗମନ କରିଛନ୍ତି। ତାଙ୍କୁ ୭୫ ବର୍ଷ ହୋଇଥିଲା। ୧୯୭୫ କୁଆଲାଲୁମ୍ପୁର ପୁରୁଷ ହକି ବିଶ୍ବକପ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହା ମଧ୍ୟ ବିଶ୍ବକପ୍‌ରେ ଭାରତର ଏକମାତ୍ର ସ୍ବର୍ଣ୍ଣ ପଦକ ହୋଇ ରହିଯାଇଛି। ସେହି ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୨-୧ ଗୋଳ୍‌ରେ ପରାସ୍ତ କରିଥିଲା। ବରିନ୍ଦର ମଧ୍ୟ ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଏବଂ ୧୯୭୩ରେ ଆମ୍‌ଷ୍ଟରଡାମ୍‌ ବିଶ୍ବକପ୍‌ରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ଅଂଶବିଶେଷ ଥିଲେ। ପୁଣି ୧୯୭୪ ଏବଂ ୧୯୭୮ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାତେଇଥିବା ଭାରତୀୟ ଦଳର ସଦସ୍ୟ ରହିଥିଲେ। ଏହି ଭାରତୀୟ ମହାନ୍‌ ହକି ତାରକା ୧୯୭୫ ମଣ୍ଟ୍ରିଲ ଅଲିମ୍ପିକ୍ସ ଖେଳିଥିଲେ। ୨୦୦୭ରେ ବରିନ୍ଦରଙ୍କୁ ସମ୍ମାନଜନକ ଧ୍ୟାନଚାନ୍ଦ ଜୀବନବ୍ୟାପୀ ଅବଦାନ ପୁରସ୍କାର ମିଳିଥିଲା। ତାଙ୍କ ପରଲୋକରେ ହକି ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ବରିନ୍ଦରଙ୍କ ସଫଳତା ସାରା ବିଶ୍ବରେ ହକି ସଂପ୍ରଦାୟ ମନେ ରଖିବେ ବୋଲି ହକି ଇଣ୍ଡିଆ ଶୋକବାର୍ତାରେ କହିଛି।

ସମ୍ବନ୍ଧିତ ଖବର